Advertisment

ପୁଣି ଜୋର ଧରିଲା ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସ ଡକରା

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ଏହା ପୂର୍ବରୁ ଅପରାହ୍ନରେ ଭୁବନେଶ୍ୱରରେ ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ।

BJP & BJD

BJP & BJD

Advertisment

 ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇପାରେ ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ୩ଦିନ ତଳେ ଉଭୟ ବିଜେପି ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ, ମାତ୍ର ଆଜିର ରାଜନୀତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଆଜି ବିଜେପି ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକା ଯାଇଥିବାବେଳେ ବିଜେଡି ନେତାମାନଙ୍କୁ ନବୀନ ନିବାସ ଡକାଯାଇଛି। ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଉଭୟ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ନେତାମାନଙ୍କୁ ଆଜି ଅଚାନକ ଅପରାହ୍ନ ସାଢ଼େ ୩ଟାରେ ନବୀନ ନିବାସକୁ ଡକାଯାଇଛି । ଦଳର ବରିଷ୍ଠ ନେତାମାନଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଦଳର ପ୍ରାୟ ୧୫ରୁ ୨୦ଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକାଯାଇଛି ।

ଏପଟେ ବିଜେପିର ବରିଷ୍ଠ ନେତାମାନଙ୍କୁ ଅଚାନକ ଦିଲ୍ଲୀ ଡକାଯାଇଛି । ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡ଼ୁ, ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏହି ବୈଠକରେ  ସାମିଲ ହେବେ ବୋଲି ସୂଚନା ମିଳିଛି ।

Advertisment

ବିଜେଡି ଓ ବିଜେପିରେ ଚାଲିଥିବା ଏହି ରାଜନୀତିକ ଘଟଣାକ୍ରମ ରାଜ୍ୟରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲାଖୋଲି ଭାବେ ସଭା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନୁରୂପ ଭାବେ ସମ୍ବଲପୁର ଓ ଚଣ୍ଡିଖୋଲ ସଭାରେ ରାଜ୍ୟ ସରକାରଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବା ଯୋଗୁ ଦୁଇ ଦଳ ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ବୁଝାମଣା ହୋଇପାରେ ବୋଲି ଚର୍ଚ୍ଚା ବଳବତ୍ତର ରହିଛି ।

ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ରାଜ୍ୟର ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି ଗତ ୪ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ବିଜେପିର ଜଣେ ବରିଷ୍ଠ ନେତା ତଥା ନିର୍ବାଚନୀ ନୀତି ନିର୍ଦ୍ଧାରକଙ୍କ ସହ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ଆସନ୍ତା ୩-୪ ଦିନ ମଧ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚାର ପ୍ରକୃତ ରୂପରେଖ ପଦାକୁ ଆସିବ ବୋଲି ସୂଚନା ମିଳିଛି ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe