Advertisment

Bihar Election: ତେଜସ୍ୱୀଙ୍କ ବଡ଼ ଘୋଷଣା: ବିହାରରେ ରହିବେ ଏକାଧିକ ଉପ ମୁଖ୍ୟମନ୍ତ୍ରୀ

ଗୁରୁବାର ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା। ମହାଗଠବନ୍ଧନ କ୍ଷମତାକୁ ଆସିଲେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଓ ବିକାଶଶୀଳ ଇନସାନ ପାର୍ଟି ମୁଖ୍ୟ ମୁକେଶ ସାହାଣୀ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିରୋଧୀ ମେଣ୍ଟ ଘୋଷଣା କରିଛି।

author-image
Hemant Lenka
Tejashwi

ତେଜସ୍ୱୀ ଯାଦବ (ଫାଇଲ ଫଟୋ)

ଆରଜେଡି ନେତା ତଥା ବିରୋଧୀ ମେଣ୍ଟ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବଡ଼ ଘୋଷଣା କରିଛନ୍ତି। ମହାଗଠନ୍ଧନ ସରକାରରେ ଏକାଧିକ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏନେଇ ଖୁବଶୀଘ୍ର ଘୋଷଣା ହେବ ବୋଲି ତେଜସ୍ୱୀ ସୂଚନା ଦେଇଛନ୍ତି।  

Advertisment

ସେ କହିଛନ୍ତି, “ରାଜ୍ୟରେ ଆହୁରି ଅନେକ ଉପ ମୁଖ୍ୟମନ୍ତ୍ରୀ ରହିବେ। ଆପଣମାନେ କିଛି ଦିନ ଭିତରେ ସେସବୁ ଜାଣିପାରିବେ।” ତେଜସ୍ୱୀଙ୍କ କହିବା କଥା ଯେ ବର୍ତ୍ତମାନ ସରକାର ଉପରେ ବିହାରବାସୀ କ୍ଷୁବ୍ଧ ହୋଇ ରହିଛନ୍ତି। ସେମାନେ ପରିବର୍ତ୍ତନ ଚାହୁଁଛନ୍ତି। ସେ କହିଛନ୍ତି, “୨୦ ବର୍ଷ ହେଲାଣି ବର୍ତ୍ତମାନ ସରକାର ବିହାରବାସୀଙ୍କ ଶୋଷଣ କରିଚାଲିଛି। ବିହାରବାସୀ ପରିବର୍ତ୍ତନ ଚାହୁଁଛନ୍ତି। ସେମାନେ ବର୍ତ୍ତମାନର ସରକାର ଉପରେ ଖୁସି ନାହାନ୍ତି।” 

ଆସନ୍ତା ନିର୍ବାଚନ(Bihar Election) ପାଇଁ ସହର୍ସାରେ ପ୍ରଚାର କରୁଥିବା ତେଜସ୍ୱୀ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ଏଠାରେ ଆୟୋଜିତ ବିଶାଳ ସମାବେଶରେ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଗୁଜରାଟରେ ଫ୍ୟାକ୍ଟ୍ରୀ ପ୍ରତିଷ୍ଠା କରୁଛନ୍ତି ଓ ବିହାରରେ ବିଜୟ ଚାହୁଁଛନ୍ତି। କିନ୍ତୁ ସେମିତି ହେବନି। ଆମେ ବିହାରୀ। ଆମେ ବାହାର ଲୋକଙ୍କ ଦ୍ୱାରା ଭୟଭୀତ ହେବୁନାହିଁ।” ବିହାରକୁ ବାହାର ଲୋକ ନୁହନ୍ତି ବରଂ ରାଜ୍ୟର ଲୋକ ଶାସନ କରିବେ ବୋଲି ତେଜସ୍ୱୀ ପ୍ରତିଶ୍ରୁତି ଦେଇଛନ୍ତି। 

Advertisment

ଗୁରୁବାର ମହାଗଠବନ୍ଧନ ପକ୍ଷରୁ ତେଜସ୍ୱୀ(Tejashwi Yadav)ଙ୍କୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା। ମହାଗଠବନ୍ଧନ କ୍ଷମତାକୁ ଆସିଲେ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଓ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ମୁଖ୍ୟ ମୁକେଶ ସାହାଣୀ ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିରୋଧୀ ମେଣ୍ଟ ଘୋଷଣା କରିଛି। କିନ୍ତୁ ଆଜି ତେଜସ୍ୱୀଙ୍କ କହିବା କଥା ଯେ ମୁକେଶଙ୍କ ବ୍ୟତୀତ ଆହୁରୁ ଅନେକ ନେତା ଉପ ମୁଖ୍ୟମନ୍ତ୍ରୀ ହେବେ। 

ମହାଗଠବନ୍ଧନରେ ସିଟ ଶେୟାରିଂ ଫର୍ମୁଲା ଓ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ବେଶ ଟଣାଓଟରା ଚାଲିଥିଲା। ଏହି ବିବାଦର ସାମାଧାନ କରିବାକୁ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ ପାଟନାରେ ପହଞ୍ଚିଥିଲେ। ସେ ମେଣ୍ଟରେ ଥିବା ସବୁ ଦଳ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତେଜସ୍ୱୀଙ୍କ ନାଁ ଘୋଷଣା କରିଥିଲେ। 

Tejashwi Yadav Bihar Election