ପଞ୍ଚାୟତରେ କ୍ଷମତା ହଡ଼ପ କରି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ତୃତୀୟ ମହଲା : ବିଜେପି

‘ଓଡ଼ିଶାର ଗଣତନ୍ତ୍ରର ହତ୍ୟା ହେଉଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ ।’

ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

  • Published: Thursday, 08 February 2024
  • , Updated: 08 February 2024, 07:27 PM IST

ଗଣତାନ୍ତ୍ରିକ ବ୍ୟବସ୍ଥାରେ ପଂଚାୟତଗୁଡ଼ିକୁ ପ୍ରଦତ୍ତ କ୍ଷମତାକୁ ହଡ଼ପ କରି ରାଜ୍ୟ ସରକାର ଏବେ ସଚିବାଳୟର ତୃତୀୟ ମହଲାରୁ ରାଜ୍ୟର ସବୁ ପଂଚାୟତକୁ ଆୟତ କରିବାକୁ ଚାହୁଁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଛି, ଗଣତନ୍ତ୍ରର ଶାସନ ନାହିଁ ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାର ଗଣତନ୍ତ୍ରର ହତ୍ୟା ହେଉଛି । ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉନାହିଁ । ଯାହାଙ୍କ ହାତରେ ଶାସନର ଡୋରି ରହିଛି, ସେ ଜଣେ ଜନପ୍ରତିନିଧି ନୁହନ୍ତି । ବିକାଶକୁ ରୋକିବା ପାଇଁ ବିଜେଡି ସରକାର ନିର୍ବାଚିତ ଜନପ୍ରତିନିଧିଙ୍କର କ୍ଷମତାକୁ କ୍ଷୂଣ୍ଣ କରି ତାଙ୍କୁ ଅପମାନିତ କରୁଛନ୍ତି । ପଂଚାୟତର କ୍ଷମତା ଓ ଆର୍ଥିକ ପରିଚାଳନା ଦାୟିତ୍ୱ ସରକାରୀ କର୍ମଚାରୀଙ୍କ ହାତକୁ ଟେକି ଦିଆଯାଇଛି । ଗ୍ରାମସଭା ଓ ପଲ୍ଲୀସଭାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ରାଜ୍ୟ ସରକାର ଶାସନ ଚଳାଇବାକୁ ଚାହୁଁଛନ୍ତି ଏବଂ ଜନପ୍ରତିନିଧିମାନଙ୍କୁ ଅଣଦେଖା କରି ତାଙ୍କର ଯାହା ସାମ୍ବିଧାନିକ ଏବଂ ଗଣତନ୍ତ୍ରର ମୁଖ୍ୟ ଦାୟିତ୍ୱକୁ ତୁଲାଇବାକୁ ନଦେବା ପାଇଁ ରାଜ୍ୟ ସରକାର ବିରାଟ ଷଡ଼ଯନ୍ତ୍ର ଚଳାଇଛନ୍ତି ।

ସରପଂଚମାନଙ୍କ କ୍ଷମତା ହ୍ରାସ ପାଇବା କାରଣରୁ ଗ୍ରାମାଂଚଳରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ବ୍ୟାପକ ମାତ୍ରାରେ ଟଙ୍କା ହଡପ୍ କରାଯାଉଛି। ନିର୍ବାଚିତ ପ୍ରତିନିଧିମାନଙ୍କ ବିକାଶମୂଳକ ପ୍ରସ୍ତାବକୁ ଗ୍ରହଣ ନକରି ଦଳୀୟ ଆଧାରରେ କାର୍ଯ୍ୟ କରାଯିବାକୁ ସ୍ଥାନୀୟ ବିଡିଓଙ୍କ ସମେତ ଅନେକ ସରକାରୀ ଅଧିକାରୀ ସହଯୋଗ ମଧ୍ୟ କରୁଛନ୍ତି । ଭତା, ରାସନକାର୍ଡ, ଜିପିଡିପି ବାଧାପ୍ରାପ୍ତ ହେଉଛି । ଏ ନେଇ ସରପଂଚଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ଜନପ୍ରତିନିଧିଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି ।  ଗତ ଫେବୃୟାରୀ ୧ତାରିଖରେ ବିଜେପି ଏନେଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲା । ଦୀର୍ଘ ବର୍ଷ ଧରି ନିରନ୍ତର ଭାବେ ହଡ଼ପ କରିଆସୁଥିବା ଏବଂ ସରପଂଚଙ୍କ କ୍ଷମତା ଉପରେ ଅଙ୍କୁଶ ଲଗାଇ ଦେଇଥିବା ବିଜେଡି ସରକାର ଏବେ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଫେବୃୟାରୀ ୩ ତାରିଖ ଦିନ ତରବରିଆ ଭାବରେ ଏଫଟିଓ (ଫଣ୍ଡ ଟ୍ରାନ୍ସଫର ଅର୍ଡର) ଉପରେ ବିଡିଓଙ୍କ କାଉଂଟର ଦସ୍ତଖତକୁ ପ୍ରତ୍ୟାହାର କରିଛନ୍ତି । ଭୋଟ ସର୍ବସ୍ୱ ଓ ବିକାଶ ବିରୋଧୀ ବିଜେଡି ସରକାରର ଏଭଳି ଆଭିମୁଖ୍ୟକୁ ଗ୍ରାମାଂଚଳବାସୀ ଆଦୌ କ୍ଷମା ଦେବେ ନାହିଁ ବୋଲି ବିଜେପି କହିଛି ।

ସେହିପରି ୨୦୨୧-୨୨ଲୋକାଲ ଫଣ୍ଡ୍ ଅଡିଟ ରିପୋର୍ଟ ମଧ୍ୟ ପଂଚାୟତ ସମିତିରେ ବ୍ୟାୟକ ଅନିୟମିତତା ଦର୍ଶାଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି। କେନ୍ଦ୍ରରୁ ଆସୁଥିବା ସିଏଫସି ଓ ଏସଏଫସି ପଇସାର ୬୫ଭାଗ ଖର୍ଚ୍ଚ ହୋଇପାରୁ ନାହିଁ । ସରକାର ମାତ୍ର ୮ ପ୍ରତିଶତ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିପାରିଛନ୍ତି । କୋଟି କୋଟି ଟଙ୍କା ଆତ୍ମସାତ ହେବାର ଲୋକାଲ ଫଣ୍ଡ ଅଡିଟ ଧରିଛି । ୧୮୫୬କୋଟି ଟଙ୍କାରୁ ୧୧୯୮କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ । ଏହା ବ୍ୟତୀତ କୋଟି କୋଟି ଟଙ୍କାର ଆର୍ଥôକ ଅନିୟମତତା ଏବଂ ହେରଫେର ମଧ୍ୟ ଲୋକାଲ ଫଣ୍ଡ ଅଡିଟ୍ ଦର୍ଶାଇଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ, ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related story