Advertisment

କମଲ ନାଥ ବିଜେପି ମୁହାଁ ହେବା ପଛରେ ରହିଛି ଏହି କାରଣ!

କମଲ ନାଥ ଓ ତାଙ୍କ ପୁଅ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ଓ ଯେକୌଣସି ସମୟରେ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି।

author-image
Jitendra Garnayak
Kamal Nath

Kamal Nath

ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ସାମିଲ ହେବେ ବୋଲି ଶନିବାରଠାରୁ ଜୋର ଚର୍ଚ୍ଚା ଚାଲିଛି। ତେବେ ହଠାତ୍ ସେ କାହିଁକି ବିଜେପିରେ ମିଶିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଅ ତଥା ମଧ୍ୟ ପ୍ରଦେଶର ଏକମାତ୍ର କଂଗ୍ରେସ ସାଂସଦ ନକୁଳ ନାଥଙ୍କ ରାଜନୀତିକ କ୍ୟାରିୟରକୁ ନେଇ କମଲ ନାଥ ଚିନ୍ତିତ ଥିବାରୁ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଏହା ଗୋଟିଏ କାରଣ ହୋଇପାରେ। କିନ୍ତୁ ୟା ମଧ୍ୟରେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି। କମଲ ନାଥ ରାଜ୍ୟସଭା ଯିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଦଳ ତାଙ୍କୁ ଟିକେଟ୍ ଦେବାକୁ ମନା କରି ଦେବାରୁ ସେ ଖପ୍ପା ହୋଇଛନ୍ତି। ସେଥିପାଇଁ ସେ ଦଳ ଛାଡ଼ି ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ କରିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, କମଲ ନାଥ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରି ରାଜ୍ୟସଭା ଟିକେଟ୍ ମାଗିଥିଲେ। କିନ୍ତୁ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ସେଥିପାଇଁ କୌଣସି ପ୍ରତିଶ୍ରୁତି ଦେଇ ନଥିଲେ। ନିଜ ପାଇଁ ଟିକେଟ ଯୋଗାଡ଼ କରିବାକୁ ସେ ମଧ୍ୟ ପ୍ରଦେଶର ସମସ୍ତ କଂଗ୍ରେସ ବିଧାୟକଙ୍କ ପାଇଁ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ। ଏହାରି ମାଧ୍ୟମରେ ତାଙ୍କ ପଛରେ ଦଳର ସମସ୍ତ ବିଧାୟକଙ୍କ ସମର୍ଥନ ଥିବା ସେ ଦଳୀୟ ନେତୃତ୍ୱଙ୍କୁ ଦେଖାଇବାକୁ ଚାହିଁଥିଲେ। କିନ୍ତୁ ଦଳୀୟ ନେତୃତ୍ୱ ଏଥିରେ ପ୍ରଭାବିତ ହୋଇନଥିଲେ। ତେଣୁ ସେ ଖପ୍ପା ହୋଇଥିଲେ।

କମଲ ନାଥ ବିଜେପି ଯିବେ ବୋଲି ଜୋର ଚର୍ଚ୍ଚା ହେଉଥିଲେ ହେଁ ଏଯାବତ କଂଗ୍ରେସର ଶୀର୍ଷ ନେତୃତ୍ୱ ତାଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ କରି ନାହାନ୍ତି କି ତାଙ୍କୁ ଏଭଳି ପଦକ୍ଷେପ ନ ନେବାକୁ କହି ନାହାନ୍ତି। କୁହାଯାଉଛି, ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସର ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ଖପ୍ପା ହୋଇଥିଲେ। ୨୩୦ ଆସନ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ ବିଜେପି ୧୬୩ଟି ଆସନ ଜିତିଥିବା ବେଳେ କମଲ ନାଥଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା କଂଗ୍ରେସ ମାତ୍ର ୬୬ ଆସନରେ ବିଜୟୀ ହୋଇଛି। କମଲ ନାଥଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଦଳର ଏହି ଅବସ୍ଥା ହେଲା ବୋଲି ଶୀର୍ଷ ନେତୃତ୍ୱ ମନେ କରୁଥିବା ଜଣାପଡ଼ିଛି।

Advertisment

ମଧ୍ୟ ପ୍ରଦେଶକୁ ବିଭିନ୍ନ ସମୟରେ ପଠାଯାଇଥିବା ପ୍ରଭାରୀମାନଙ୍କୁ କମଲ ନାଥ ସହଯୋଗ କରୁ ନଥିଲେ। ବରିଷ୍ଠ କଂଗ୍ରେସ ନେତା ଜେପି ଅଗ୍ରୱାଲଙ୍କୁ ମଧ୍ୟ ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପରେ ତାଙ୍କୁ ସେହି ଦାୟିତ୍ୱରୁ ମୁକ୍ତ କରାଯାଇଥିଲା। କାରଣ କମଲ ନାଥ ତାଙ୍କୁ ଚାହୁଁ ନଥିଲେ। ସେଥିପାଇଁ ଦଳୀୟ କାର୍ଯ୍ୟରେ ସେ ଜେପି ଅଗ୍ରୱାଲଙ୍କୁ ସହଯୋଗ କରୁ ନଥିଲେ। ପରେ ରଣଦୀପ ସୂର୍ଯେୱାଲାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ତାଙ୍କୁ ବି ସହଯୋଗ କରି ନଥିଲେ କମଲ ନାଥ। ସେ ତାଙ୍କ ଇଚ୍ଛା ଅନୁସାରେ ଟିକେଟ ବଣ୍ଟନ କରିଥିଲେ ଓ ପ୍ରଚାର କରିଥିଲେ। ସେଥିପାଇଁ ଦଳ ମଧ୍ୟ ପ୍ରଦେଶରେ ହାରିଲା ବୋଲି କଂଗ୍ରେସର ଶୀର୍ଷ ନେତୃତ୍ୱ ମନେ କରୁଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବା ପରେ କମଲ ନାଥଙ୍କୁ ମଧ୍ୟ ପ୍ରଦେଶ କଂଗ୍ରେସର ସଭାପତି ପଦରୁ ହଟାଇ ଦିଆଯାଇଥିଲା। 

କମଲ ନାଥ ଓ ତାଙ୍କ ପୁଅ ନକୁଳ ନାଥ ବିଜେପି ସହିତ ଯୋଗାଯୋଗରେ ଥିବା କୁହାଯାଉଛି। ଗତକାଲି କମଲ ନାଥ ଦିଲ୍ଲୀରେ ପହଞ୍ଚିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା। ସେହିଭଳି କମଲ ନାଥ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ପରେ ଏହି ଚର୍ଚ୍ଚା ସତ ବୋଲି ମନେ କରାଯାଉଛି। କାରଣ ଏହାକୁ ଉଡ଼ାଖବର କହି ସେ ଖଣ୍ଡନ କରି ନଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବରେ କମଲ ନାଥ କହିଥିଲେ ଯେ ଯଦି ଏପରି କିଛି ଘଟେ (ଯଦି ସେ ବିଜେପିରେ ମିଶିବା ନେଇ ନିଷ୍ପତ୍ତି ନିଅନ୍ତି), ତା’ହେଲେ ପ୍ରଥମେ ମିଡିଆକୁ ଜଣାଇବେ।

କମଲ ନାଥ ୨୦୧୮ ଡିସେମ୍ବରରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ସେ ମଧ୍ୟ ପ୍ରଦେଶର ଛିନ୍ଦୱାଡାରୁ ୯ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ତାଙ୍କ ପୁଅ ନକୁଳ ନାଥ ଏହି ଆସନରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ।   

Bjp Congress Kamal Nath