ଓଡ଼ିଶାରେ ଏଥର ୬୦ପ୍ରତିଶତ ବୁଥରେ ରହିବ ୱେବକାଷ୍ଟିିଂ, ପକ୍ଷପାତ କରିପାରିବ ନାହିଁ ପ୍ରଶାସନ: ସିଇସି

ରାଜ୍ୟରେ ଭୋଟରଙ୍କ ସଂଖ୍ୟା ୩.୧୮କୋଟିରୁ ୩.୩୨କୋଟିକୁ ବୃଦ୍ଧି ହୋଇଛି । ଏଥିରେ ୧.୬୮କୋଟି ପୁରୁଷ ଓ ୧.୬୪କୋଟି ମହିଳା ଭୋଟର ଅଛନ୍ତି ।

ସିଇସି ରାଜୀବ କୁମାର

  • Published: Saturday, 17 February 2024
  • , Updated: 17 February 2024, 08:52 PM IST

ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ନିର୍ବାଚନ କମିଶନ ମଧ୍ୟ ନିର୍ବାଚନ କରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏଥର ରାଜ୍ୟରେ ମୋଟ ୩୭୮୦୯ଟି ମତଦାନ କେନ୍ଦ୍ର ମଧ୍ୟରୁ ୨୨୬୮୫ଟି ମତଦାନ କେନ୍ଦ୍ର(୬୦%)ରେ ୱେବକାଷ୍ଟିଂର ସୁବିଧା ରହିବ । କୌଣସି ଏକ ନିର୍ଦ୍ଦିର୍ଷ୍ଟ ଦଳକୁ ସୁହାଇବା ଭଳି କୌଣସି ପକ୍ଷପାତ ନିଷ୍ପତ୍ତି ପ୍ରଶାସନ ନେଇପାରିବ ନାହିଁ । ଏହାଉପରେ କମିଶନଙ୍କ ତୀକ୍ଷ୍ଣ ନଜର ରହିବ । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିଶନ ।

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ କମିଶନ ଭେଟିଛନ୍ତି । ସେମାନଙ୍କର ବିଭିନ୍ନ ମତାମତ ଓ ଅଭିଯୋଗ କମିଶନଙ୍କ ନଜରକୁ ଆସିଛି । ବିଜେପି, କଂଗ୍ରେସ ଓ ବିଜେଡି ସମେତ ଆପ୍ , ବିଏସପି ଓ ସିପିଏମ୍ ଦଳ ନିଜର ପକ୍ଷ କମିଶନଙ୍କ ପାଖରେ ରଖିଛନ୍ତି । କେତେକ ଦଳ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟରେ ନିର୍ବାଚନ ସମୟରେ ନିରପେକ୍ଷତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହିତ ଆମ୍ବୁଲାନ୍ସ ଓ ସରକାରୀ ଗାଡ଼ିରେ କିଛି ଅସାଧୁ କାରବାର ହେଉଥିବାର ଅଭିଯୋଗ କରିଛନ୍ତି । ପ୍ରଶାସନର ପକ୍ଷପାତିତା ଯୋଗୁ ନିର୍ବାଚନ ସମୟରେ ସଭା ଆଦି କରିବା ପାଇଁ ସ୍ଥାନ ମିଳୁନଥିବା ମଧ୍ୟ ରାଜନୀତିକ ଦଳ କହିଛନ୍ତି । ଯାହାକୁ କମିଶନ ଗୁରୁତ୍ୱର ସହ ନେଇଛନ୍ତି । ସମସ୍ତ ଜିଲ୍ଲାପାଳ(ଜିଲ୍ଲା ନିର୍ବାଚନଅଫିସର) ଓ ପୁଲିସ ଏସପି, ଆଇଜି ଓ କମିଶନରମାନଙ୍କ ସହ ବୈଠକ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଏନଫୋର୍ସମେଂଟ ଏଜେନ୍ସୀ, ଶେଷରେ ପୁଲିସ ଡିଜି, ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବଙ୍କ ସହ କମିଶନ କଥା ହୋଇ ରାଜ୍ୟରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ପରାମର୍ଶ ଦେଇଛନ୍ତି ।

ଶ୍ରୀ କୁମାର କହିଚନ୍ତି ଯେ, ରାଜ୍ୟରେ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ୨୦୨୪ରେ ୪.୪% ଭୋଟର ବୃଦ୍ଧି ପାଇଛନ୍ତି । ଭୋଟରଙ୍କ ସଂଖ୍ୟା ୩.୧୮କୋଟିରୁ ୩.୩୨କୋଟିକୁ ବୃଦ୍ଧି ହୋଇଛି । ଏଥିରେ ୧.୬୮କୋଟି ପୁରୁଷ ଓ ୧.୬୪କୋଟି ମହିଳା ଭୋଟର ଅଛନ୍ତି । ୪୩ଟି ବିଧାନସଭା ମଣ୍ଡଳୀରେ ମହିଳା ଭୋଟରଙ୍କ ଆନୁପାତିକ ହାର ପ୍ରାୟ ଏକ ହଜାର ରହିଛି । ମହିଳା ଭୋଟରଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ହୋଇଛି । ରାଜ୍ୟରେ ୩୩୮୦ଜଣ ତୃତୀୟ ଲିଙ୍ଗ ଭୋଟର, ୯୦୬୦ଜଣ ଶତାୟୁ ଭୋଟର, ୪.୫୮ଲକ୍ଷ ଦିବ୍ୟାଙ୍ଗ ଭୋଟର ଏବଂ ୧୮-୧୯ବର୍ଷ ମଧ୍ୟରେ ୭.୫୫ଲକ୍ଷ ଭୋଟର ଥିବା କମିଶନର କହିଛନ୍ତି । ଭୋଟଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ରହିବ ।

ରାଜ୍ୟରେ ମୋଟ ୩୭୮୦୯ଟି ମତଦାନ କେନ୍ଦ୍ର ଚିହ୍ନଟ ହୋଇଛି । ଏହି କେନ୍ଦ୍ର ମଧ୍ୟରୁ ୩୩୪୬୯ଟି କେନ୍ଦ୍ର ଗ୍ରାମାଂଚଳରେ ଓ ୪୩୪୦ଟି ସହରାଂଚଳରେ ରହିଛି । ଗୋଟିଏ ମତଦାନ କେନ୍ଦ୍ରରେ ହାରାହାରି ୮୭୯ଜଣ ଭୋଟର ଅଛନ୍ତି । ୱେବକାଷ୍ଟିଂ ସୁବିଧା ୨୨୬୮୫ଟି କେନ୍ଦ୍ରରେ କରାଯିବ, ଯାହାଫଳରେ ନିର୍ବାଚନ କମିଶନ ତାଙ୍କ ଅଫିସରୁ ଏହି କେନ୍ଦ୍ର ଉପରେ ନଜର ରଖିପାରିବେ । ମହିଳାମାନଙ୍କ ଦ୍ୱାରା ପ୍ରାୟ ୪ହଜାର ମତଦାନ କେନ୍ଦ୍ରର ପରିଚାଳନା କରାଯିବ । ୭୦୦ଟି ମଡେଲ ମତଦାନ କେନ୍ଦ୍ର ଚିହ୍ନଟ ହୋଇଛି ।

କେବଳ ସେତିକି ନୁହେଁ, ରାଜ୍ୟର ୧୫ଟି ଜିଲ୍ଲା ସୀମାନ୍ତବର୍ତ୍ତୀ ରାଜ୍ୟ ସହ ଜଡ଼ିତ ଥିବାରୁ ମୋଟ ୧୫୬ଟି ଟିମ୍ ଗଠନ କରାଯାଇଛି । ସବୁ ଏନଫୋର୍ସମେଂଟ ଏଜେନ୍ସୀ ଓ ପୁଲିସକୁ ନେଇ ଗଠିତ ଏହି ଟିମ୍ ସୀମାବର୍ତ୍ତୀ ଜିଲ୍ଲାରେ ପ୍ରତ୍ୟେକଟି ଅନିୟମିତତା ଓ  ନିଶାଦ୍ରବ୍ୟ କାରବାର ଉପରେ ନଜର ରଖିବେ । କୌଣସି ଏଜେନ୍ସୀ ସେମାନଙ୍କର ଅଧିକାରଭୁକ୍ତ ନୁହେଁ କହି ଖସିପାରିବେ ନାହିଁ । ସମସ୍ତେ ମିଳିତ ଭାବେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।

ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ କରିବା ସହ ସବୁ ରାଜନୀତିକ ଦଳ ପାଇଁ ସମାନ ନୀତି ଆପଣାଇବାକୁ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ଯେଭଳି କୌଣସି ହିଂସା ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜନୀତିକ ଓ ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ ପାର୍ଥକ୍ୟ ରକ୍ଷା କରିବା, ଇଭିଏମ୍‌-ଭିିଭିପାଟ୍ ରହୁଥିବା ସ୍ଥାନରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମତଦାନ ପରେ ଇଭିଏମକୁ ଭଲଭାବେ ସିଲ୍ କରି ରାଜନୀତିକ ଦଳର ଏଜେଣ୍ଟମାନଙ୍କୁ ଫର୍ମ ୧୭(ଗ)ରେ ଭୋଟ ପରିମାଣ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି ।

ପେଡ୍ ନ୍ୟୁଜ ଓ ପ୍ରାର୍ଥୀଙ୍କ ଆତ୍ମପ୍ରଚାର ଖର୍ଚ୍ଚ ଉପରେ ନଜର ରଖି ସେସବୁକୁ ସେମାନଙ୍କ ନିଜସ୍ୱ ଖର୍ଚ୍ଚରେ ସାମିଲ କରାଇବାକୁ କୁହାଯାଇଛି । ସରକାରୀ କଳ ଯେଭଳି କୌଣସି ଦଳର ପ୍ରଚାର ଓ ବିଜ୍ଞାପନ ନଦେବ ତାହା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Related story