Sulata Complained About It Through Her X Handle
ଭୁବନେଶ୍ୱର : ବିଜେଡି ସାଂସଦ ସୁଲତା ଦେଓଙ୍କୁ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ନିଜର କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛି ମହିନ୍ଦ୍ରା ଗ୍ରୁପ୍। କମ୍ପାନୀର ନାସିକ ଶାଖାରେ କାର୍ଯ୍ୟରତ ଓଡ଼ିଶାର ଭଦ୍ରକ ଜିଲ୍ଲାର ସତ୍ୟବ୍ରତ ନାୟକ ନାମକ ଜଣେ ବ୍ୟକ୍ତି ଫେସବୁକରେ ସୁଲତାଙ୍କୁ ଅଶାଳୀନ ଓ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ନେଇ ନିଜେ ସୁଲତା ଅଭିଯୋଗ କରିବା ପରେ ମହିନ୍ଦ୍ରା ଗ୍ରୁପ୍ ଏକ ବିବୃତ୍ତି ଜାରି କରି ଏହାର ନିନ୍ଦା କରିବା ସହ ଏଭଳି ଆଚରଣ ପ୍ରତି କମ୍ପାନୀ ସର୍ବଦା ‘ଜିରୋ ଟଲେରାନ୍ସ’ ନୀତି ଅବଲମ୍ବନ କରିଥାଏ ବୋଲି କହିଛି। ଏହାସହିତ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବାବେଳେ ଅନ୍ୟ କିଛି ମହିଳା ସାଂସଦ ମଧ୍ୟ ସୋସିଆଲ ମିଡିଆରେ ଜଣେ ସାଂସଦଙ୍କ ପ୍ରତି ଏଭଳି ଧମକକୁ ନିନ୍ଦା କରିଛନ୍ତି। ତେବେ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଗଣମାଧ୍ୟମ ଓ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପ୍ରତି ଅରୁଚିକର ଓ ସଂସ୍କାରବିହୀନ ମନ୍ତବ୍ୟ ଦେଉଥିବା ବିଜେଡି ନେତ୍ରୀ ସୁଲତା ଦେଓ ନିଜ ନିଜର ଆଚରଣ କେବେ ସୁଧାରିବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।
ସୁଲତାଙ୍କ ଅଭିଯୋଗ ଓ ମହିନ୍ଦ୍ରାର କାର୍ଯ୍ୟାନୁଷ୍ଠାନ
ସୁଲତା ଦେଓ ନିଜର ଫେସବୁକ ମାଧ୍ୟମରେ ବଳଙ୍ଗା ନାବାଳିକା ଆତ୍ମଦାହ ପ୍ରସଙ୍ଗରେ ନିଜର ମତ ରଖିଥିବାବେଳେ ତା’ ଉପରେ ପ୍ରତିକ୍ରିୟା ଦେଇଥିଲେ ମହିନ୍ଦ୍ରା ଗ୍ରୁପରେ କାର୍ଯ୍ୟରତ ସତ୍ୟବ୍ରତ ନାୟକ। ଯିଏକି ଭଦ୍ରକ ଜିଲ୍ଲାର। ସେ ସୁଲତାଙ୍କ ଫେସବୁକରେ କମେଂଟ ଦେଇ ତାଙ୍କୁ ହତ୍ୟା ଓ ଦୁଷ୍କର୍ମର ଧମକ ଦେଇଛନ୍ତି। ଯାହାକୁ ସୁଲତା ଅଗଷ୍ଟ ୧୭ ତାରିଖରେ ନିଜ ଏକ୍ସ ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଆନନ୍ଦ ମହିନ୍ଦ୍ରା ଓ ମହିନ୍ଦ୍ରା ଗ୍ରୁପ୍ ସମେତ ଅନ୍ୟମାନଙ୍କୁ ଟ୍ୟାଗ୍ କରି ନ୍ୟାୟ ଲୋଡ଼ିଛନ୍ତି। ନାସିକରେ କାର୍ଯ୍ୟରତ ମହିନ୍ଦ୍ରା କମ୍ପାନୀ କର୍ମଚାରୀ ଶ୍ରୀ ନାୟକ ଜଣେ ବିଜେପି କର୍ମୀ ବୋଲି ସୁଲତା ଦାବି କରିଛନ୍ତି। ଅବଶ୍ୟ ମହିନ୍ଦ୍ରା କମ୍ପାନୀର ସମ୍ପୃକ୍ତ କର୍ମଚାରୀ କିଭଳି ବିଜେପି କର୍ମୀ ଓ କ’ଣ ତାଙ୍କ ପାଖରେ ପ୍ରମାଣ ରହିଛି ତାହା ସେ ଦେଇନାହାନ୍ତି।
ତେବେ ସୁଲତାଙ୍କ ‘ଏକ୍ସ’ରେ ଏହି ପୋଷ୍ଟ୍ ପରେ ମହିନ୍ଦ୍ରା ଗ୍ରୁପ୍ ନିଜର ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରିଛି। ମହିନ୍ଦ୍ରା ଗ୍ରୁପ କହିଛି ଯେ, ‘ଆମେ ଆମ ଜଣେ କର୍ମଚାରୀଙ୍କ ଦ୍ୱାରା ଜଣେ ରାଜନୈତିକ ନେତାଙ୍କୁ ଫେସବୁକରେ ଅଶୋଭନୀୟ ଓ ଅନୁଚିତ ମେସେଜ ପଠାଯାଇଥିବା ଅଭିଯୋଗ ବିଷୟରେ ଅବଗତ ହୋଇଛୁ। ମହିନ୍ଦ୍ରା ଗ୍ରୁପ ସବୁବେଳେ ମାନବିକ ମର୍ଯ୍ୟାଦାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇଛି ଏବଂ କୌଣସି ପ୍ରକାର ଅସଦାଚରଣ, ଧମକ ବା ଅପମାନଜନକ ଆଚରଣକୁ ସହ୍ୟ କରେ ନାହିଁ ଓ ଜିରୋ ଟଲେରାନ୍ସ ନୀତି ଆପଣାଇ ଆସିଛି। କଂପାନୀ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।’
କେବଳ ସୁଲତା ନୁହଁନ୍ତି ପ୍ରତ୍ୟେକ ମହିଳାଙ୍କୁ ସମ୍ମାନ ସର୍ବୋପରି
ସୁଲତାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏକାଧିକ ସାଂସଦ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ଟିଏମସି ସାଂସଦ ସାଗରିକା ଘୋଷ ଏହାକୁ ‘ଅତ୍ୟନ୍ତ ଆଘାତଜନକ ଓ ଅଗ୍ରହଣୀୟ’ ବୋଲି ଅଭିହିତ କରି ‘ମହିଳାଙ୍କ ପ୍ରତି ଘୃଣା ଓ ହିଂସା ଏବେ ସମାଜରେ ବ୍ୟାପିଯାଇଛି। ଭାରତ ଲିଙ୍ଗ ନ୍ୟାୟ କ୍ଷେତ୍ରରେ ପଛକୁ ଚାଲିଯାଇଛି’ ବୋଲି କହିଛନ୍ତି। ସେହିପରି ସାଂସଦ ପ୍ରିୟଙ୍କା ଚତୁବେର୍ଦୀ ମଧ୍ୟ ଏହାକୁ ‘ଅତ୍ୟନ୍ତ ଲଜ୍ଜାଜନକ’ ବୋଲି ନିନ୍ଦା କରି କେନ୍ଦ୍ର ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ବିଜେଡି ସାଂସଦ ସସ୍ମିତ ପାତ୍ର ଏହାକୁ ‘ଅସହ୍ୟ’ ବୋଲି କହି ତୁରନ୍ତ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି।
ସୁଲତାଙ୍କ ଆଚରଣ ଓ ଉଚ୍ଚାରଣ
ତେବେ, ସୋସିଆଲ ମିଡିଆ ମାଧ୍ୟମରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେବାରେ ଓଡ଼ିଶାର ସାଂସଦମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ସୁଲତା ଦେଓ ଆଗରେ ରହିଛନ୍ତି। ସୋସିଆଲ ମିଡିଆରେ ନିଜର ମତ-ମନ୍ତବ୍ୟ ଓ କଟାକ୍ଷ କରିବାର ଅଧିକାର ସମସ୍ତଙ୍କର ରହିଛି। ମାତ୍ର ଜଣେ ନେତ୍ରୀ ଓ ସାଂସଦ ହୋଇ ମଧ୍ୟ ଶ୍ରୀମତୀ ଦେଓ ଅନେକ ସମୟରେ ଗଣମାଧ୍ୟମ ପ୍ରତି ହେଉ ଅବା ଅନ୍ୟ ବ୍ୟକ୍ତିବିଶେଷଙ୍କ ପ୍ରତି ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ତାଙ୍କର ନିମ୍ନ ମାନସିକତା ଓ ପାରିବାରିକ ସଂସ୍କାର ନଥିବାକୁ ଦର୍ଶାଇବାରେ ଲାଗିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଗତ ମାସରେ ସୋସିଆଲ ମିଡିଆରେ ଦେଶର ଜଣେ ପ୍ରତିଷ୍ଠିତ ସାଂସଦଙ୍କ ପ୍ରତି ବ୍ୟକ୍ତିଗତ କଟାକ୍ଷ କରି ‘ଶୁକ୍ରାଣୁ-ଡିମ୍ବାଣୁ’ ଭଳି ଉପାଖ୍ୟାନ ରଖିବାକୁ ମଧ୍ୟ ଶ୍ରୀମତୀ ଦେଓ ପଛାଇ ନଥିଲେ। ଅବଶ୍ୟ ଏଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ କଟୂ ସମାଲୋଚନାର ମଧ୍ୟ ଶିକାର ହେବାକୁ ପଡ଼ିଥିଲା ଓ ତାଙ୍କ ନାଁରେ କଟକରେ ଏକ ସଂଗଠନ ଦ୍ୱାରା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡ଼ିଛି। ଏହା ଉପରେ ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହାକୁ ଅପେକ୍ଷା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755603123.jpg)