/odisha-reporter/media/post_attachments/uploadimage/library/16_9/16_9_0/Chariot_1751121899.jpg)
Chariot
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାକୁ ନେଇ ଶାସକ-ବିରୋଧୀଙ୍କ ଆରୋପ-ପ୍ରତ୍ୟାରୋପ ମଧ୍ୟରେ ତିନିଠାକୁରଙ୍କ ରଥ ଆଜି ଶରଧାବାଲିରେ ପହଂଚିଛି । ତେବେ ଗତକାଲି ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ମାତ୍ର ଦୁଇପାଦ ଟଣା ହେବା, କର୍ଡ଼ନ ଭିତରେ ହଜାର ହଜାର ପାସଧାରୀଙ୍କ ପ୍ରବେଶ, ଠେଲାପେଲା-ଦଳାଚକଟାରେ ଆଘାତ ହୋଇ ୭୦୦ରୁ ଅଧିକ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି ହେବା, ଭିଡ଼ ନିୟନ୍ତ୍ରଣରେ ପୁଲିସ ପ୍ରଶାସନର ବିଫଳତା, ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଆଦି ଘଟଣାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି ।
ମହାପ୍ରଭୁଙ୍କ ପହଣ୍ଡିଠୁ ଆରମ୍ଭ କରି ସମସ୍ତ ପ୍ରକାରର ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିଲେ ମଧ୍ୟ ଭିଡ଼ ନିୟନ୍ତ୍ରଣରେ ପୁଲିସ କାହିଁକି ବିଫଳ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏଆଇ କ୍ୟାମେରା ମାଧ୍ୟମରେ ପୁରୀ ସହର ଓ ଏହାର ଚାରିପାଶ୍ୱର୍ ଉପରେ ନଜର ରଖିଥିବା ନେଇ ଓଡ଼ିଶା ପୁଲିସ ଦାବି କରିଥିବା ସତ୍ତ୍ୱେ ସହରରେ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବା ହିଁ ପୁଲିସର ପାରିବାପଣିଆକୁ ପଦାରେ ପକାଇ ଦେଇଛି । ଏହି ଅବ୍ୟବସ୍ଥାକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ଚାଲିଥିବା ଆରୋପ-ପ୍ରତ୍ୟାରୋପ ଓ ସରକାରଙ୍କ ନିରବତା ଯୋଗୁ ପୁଲିସର ବିଫଳତା ଓ ପ୍ରକୃତ ଦୋଷୀ ଖସିଯିବାର ଆଶଙ୍କା ଦେଖାଦେଇଛି । ତେବେ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ କ୍ଷୁବ୍ଧ ଥିବା ସୂଚନା ମିଳିଛି ।
ଶରଧାବାଲିରେ ତିନିଠାକୁରଙ୍କ ରଥ
ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ରଥ ନଗଡ଼ିବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଆକ୍ରୋଶକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ଦ୍ୱିତୀୟ ଦିନରେ ରଥଟଣା କାର୍ଯ୍ୟ ପ୍ରାୟ ସକାଳ ୯ଟା ୫୦ମିନିଟରେ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ନନ୍ଦିଘୋଷଙ୍କ ରଥ ଦିନ ପ୍ରାୟ ୧ଟା ୧୦ମିନିଟରେ ଶରଧାବାଲିରେ ପହଂଚିଥିଲା । ଏହାପୂର୍ବରୁ ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ପହଂଚି ସାରିଥିଲା । ଆଜି ନନ୍ଦିଘୋଷ ରଥକୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କଠୁ ଆରମ୍ଭ କରି ଏଜି ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଟାଣିଥିଲେ । ଶିଳ୍ପପତି ଗୌତମ ଅଦାନୀ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ସହ ମହାପ୍ରଭୁଙ୍କ ରଥ ଦଉଡ଼ି ଛୁଇଁ ଆଶୀର୍ବାଦ ନେଇଥିବା ଜଣାପଡ଼ିଛି ।
ସମନ୍ୱୟ ଅଭାବ, ଭିଡ଼ ନିୟନ୍ତ୍ରଣରେ ବିଫଳତା
ସମନ୍ୱୟ ଅଭାବ ଓ ଭିଡ଼ ନିୟନ୍ତ୍ରଣରେ ବିଫଳତା ଯୋଗୁ ରଥଯାତ୍ରାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଚଳିତ ରଥଯାତ୍ରାରେ ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଏଆଇ ଟେକ୍ନୋଲୋଜି ଓ ଡ୍ରୋନ ଆଦିର ଉପଯୋଗ କରି ପୁରୀ ସହର ଓ ଏହାର ଚାରିପାଶ୍ୱର୍ ଉପରେ ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଥିବା ନେଇ ଓଡ଼ିଶା ପୁଲିସ ଦାବି କରିଥିଲା । ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର(ପୁରୀ ରଥଯାତ୍ରା ଟ୍ରାଫିକ ଦାୟିତ୍ୱ) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଚଳିତ ରଥଯାତ୍ରାରେ ଏଆଇ ସିସିଟିଭି କ୍ୟାମେରା ଆମମାନଙ୍କ ପାଇଁ ବେଶ୍ ସହାୟକ ହୋଇଛି ।
ଏହା ସହାୟତାରେ ଟ୍ରାଫିକ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ସୁରକ୍ଷା ପାଇଁ ତୁରନ୍ତ ନିଷ୍ପତ୍ତି ନେବାରେ ସହାୟକ ହୋଇଛି । ଉତ୍ତରା ଛକରୁ ପୁରୀ ଓ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଏଆଇକ୍ୟାମେରା ସ୍ଥାପିତ ହୋଇଛି ବୋଲି ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେବା ସହ ‘କଣ୍ଟ୍ରୋଲ ଓ କମାଣ୍ଡ ରୁମ’କୁ ଦେଖାଇ ସେ ପ୍ରଶଂସା ସାଉଁଟିବାକୁ ପ୍ରୟାସ କରିଥିଲେ । କିନ୍ତୁ କର୍ଡନ ପାସଧାରୀଙ୍କ ଅଧିକ ପ୍ରବେଶ ଯୋଗୁ ନନ୍ଦିଘୋଷ ରଥଟଣାରେ ସମସ୍ୟା ହୋଇଥିବା ନେଇ ଆଇନ ମନ୍ତ୍ରୀଙ୍କ ବୟାନ, ଠେଲାପେଲା ଓ ଦଳାଚକଟାରେ ୬୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସ୍ୱୀକାରୋକ୍ତି ହିଁ ଖୋଲାଖୋଲି ଭାବେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟ(୧୫ଦିନର ଭଡ଼ା)ରେ ସ୍ଥାପିତ ହୋଇଥିବା ଏହି ହାଇଟେକ୍ ସୁରକ୍ଷା ବ୍ୟବସ୍ଥା ଓ ଏଡିଜି ଶ୍ରୀ ଗଙ୍ଗୱାରଙ୍କ ଦମ୍ଭୋକ୍ତିର ନଗ୍ନ ଚିତ୍ରକୁ ପଦାରେ ପକାଇ ଦେଇଛି । ଏହି ଆହତମାନଙ୍କ ମଧ୍ୟରୁ ପ୍ରାୟ ୧୫ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଥିବା ସୂଚନା ମିଳିଛି ।
ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଚଳିତ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ଚଳିତଥର ଏନଏସଜି କମାଣ୍ଡୋଙ୍କଠୁ ଆରମ୍ଭ କରି ରାପିଡ୍ ଆକ୍ସନ ଫୋର୍ସ, ୮ କମ୍ପାନୀ କେନ୍ଦ୍ରୀୟ ପୁଲିସ ଫୋର୍ସ,ଏନଡିଆରଏଫ ,ନୌସେନା, ତଟରକ୍ଷୀ ବାହିନୀ ଓ ଓଡ଼ିଶା ପୁଲିସ ସମେତ ମୋଟ ପ୍ରାୟ ୧୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ପୁଲିସ ଡିଜି ୱାଇବି ଖୁରାନିଆ ନିଜେ ୪ଦିନ ଆଗରୁ ପୁରୀରେ ଡେରା ପକାଇଥିଲେ । କିନ୍ତୁ ପୁଲିସ ବିଭାଗରେ ସମନ୍ୱୟର ଅଭାବ ଯୋଗୁ ଭିଡ଼ ନିୟନ୍ତ୍ରଣ ସମ୍ଭବପର ହୋଇପାରିନଥିଲା । ରଥଯାତ୍ରା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ଅଫିସରମାନେ ସବୁବର୍ଷ ଭଳି ରଥଯାତ୍ରାବେଳେ ଗୋଟିଏ ସ୍ଥାନରେ ଏକାଠି ନରହିବା ଏବଂ ସେମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଓ ମନମୁଖୀ କାର୍ଯ୍ୟ କରିବା ଯୋଗୁ ଭିଡ଼ ନିୟନ୍ତ୍ରଣ ହୋଇପାରିନଥିବା ଜଣାପଡ଼ିଛି । ପୁରୀ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଅଂଚଳକୁ ‘ନୋ ଫ୍ଲାଇଜୋନ୍’ ଘୋଷଣା କରାଯାଇଥିଲେ ମଧ୍ୟ ତଟରକ୍ଷୀ ବାହିନୀର ବିମାନ ଉଡ଼ିବା, ପ୍ରାୟ ୨୦ରୁ ଅଧିକ ଡ୍ରୋନ୍ ଅନଧିକୃତ ଭାବେ ବଡ଼ଦାଣ୍ଡ ଓ ସିଂହଦ୍ୱାର ସମ୍ମୁଖରେ ଘୁରି ବୁଲିବା ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି ।
ବିରୋଧୀ-ଶାସକ ମୁହାଁମୁହିଁ
ଗତକାଲି ରଥଯାତ୍ରାରେ ଅବ୍ୟବସ୍ଥା ହୋଇଥିବା ଦାବି କରି ବିରୋଧୀ ଦଳର ନେତାମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠୁ ଆରମ୍ଭ କରି ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ ନେତା ବିଜୟ ମହାପାତ୍ର ,ନିରଞ୍ଜନ ପଟ୍ଟନାୟକ ଓ ଅରୁଣ ସାହୁ ପ୍ରମୁଖ ଭିଡ଼ ନିୟନ୍ତ୍ରଣରେ ବିଫଳତା, ୧୦ହଜାରରୁ କର୍ଡ଼ନ ପାସ୍ ବଂଟନ ଆଦି ଯୋଗୁ ନନ୍ଦିଘୋଷ ରଥ ଟଣା ହୋଇ ନଥିବା ଅଭିଯୋଗ କରିଛନ୍ତି । ମୁମ୍ବାଇରେ ଚିକିତ୍ସାଧୀନ ନବୀନ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ,ନନ୍ଦିଘୋଷ ରଥଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଚାହୁଁନାହୁଁ । କିନ୍ତୁ ଆମ ରାଜ୍ୟର ତଥା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି ତାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନକରି ରହି ହେଉନାହିଁ ।
ସେହିପରି ପୂର୍ବତନ ଆଇନମନ୍ତ୍ରୀ ଅରୁଣ ସାହୁ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ବିଜେପି କର୍ମୀଙ୍କୁ ୧୦ରୁ ୧୫ହଜାର କର୍ଡ଼ନ ପାସ୍ ଦେଇ ରାଜ୍ୟ ସରକାର ରଥଯାତ୍ରାରେ ଚରମ ବିଶୃଙ୍ଖଳାକୁ ଡାକିଛନ୍ତି । ଯେଉଁ ମନ୍ତ୍ରୀ ଏହି ପାସ୍ ବାଂଟିଛନ୍ତି ଅବା ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି କହିଛନ୍ତି ଯେ, ବୟାନ ଦେବାବେଳେ ବ୍ରେକ୍ ଲଗାନ୍ତୁ । ପ୍ରଭୁଙ୍କ କାର୍ଯ୍ୟରେ ତ୍ରୁଟି ହେଲେ ତାକୁ ପ୍ରଭୁ ସହିବେ ନାହିଁ । ଗତକାଲି ରଥଯାତ୍ରାରେ ଅଧିକ ଲୋକ ନଥିଲେ,ଆଗରୁ ଏହାଠୁ ଅଧିକ ଲୋକ ହୋଇଛନ୍ତି । ଏତେ ପରିମାଣର କର୍ଡନ ପାସ୍ ଦିଆଗଲା କେମିତି । ଏତେ ଲୋକ ନନ୍ଦିଘୋଷ ରଥର କର୍ଡନ ଭିତରେ ପଶିଲେ କେମିତି ଓ ପୁଲିସ କ’ଣ କରୁଥିଲା । ଲୋକେ ଦଳଚକଟାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। ରଥଯାତ୍ରାରେ ପ୍ରଶାସନ ଚରମ ବିଶୃଙ୍ଖଳା ଓ ଦାୟିତ୍ୱହୀନ କାର୍ଯ୍ୟ କରିଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିରୋଧୀ କୁତ୍ସିତ ରାଜନୀତି କରୁଛନ୍ତି । ଜଣ୍ଡିସ୍ ହୋଇଥିବା ଲୋକଙ୍କୁ ମହାପ୍ରଭୁଙ୍କ ଲୀଳା ଯଦି ରାଜନୀତିର ବିଷୟବସ୍ତୁ ଲାଗୁଛି ତା’ହେଲେ ମୋର କିଛି କହିବାର ନାହିଁ । ଅତୀତରେ ସେମାନେ ବହୁ ତ୍ରୁଟିବିଚ୍ୟୁତି କରି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି । ମୋ ଜାଣିବାରେ ୧୯୭୭ ମସିହାରୁ ଆଜିପର୍ଯ୍ୟନ୍ତ ପ୍ରଥମଦିନରେ ଗୁଣ୍ଡିଚା ମନ୍ଦିରରେ ରଥ ପହଂଚିବାର ନଜିର ନାହିଁ ।
ଦ୍ୱିତୀୟ ଦିନରେ ହିଁ ରଥ ଗଣାଯାଏ ଓ ଏହା ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କ । ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଜି ନହେଲେ କାଲି ତା’ର ଫଳ ଭୋଗିବେ । ସେହିପରି ନବୀନଙ୍କ ‘ଏକ୍ସ’ର ମତାମତ ଉପରେ ପ୍ରତିକ୍ରିୟା ଦେଇ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ କଟାକ୍ଷ କରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ମୁମ୍ବାଇରେ ରହି ରଥଯାତ୍ରା ଠିକ୍ ହୋଇଛି କି ନାହିଁ ଜାଣିଗଲେ । ପ୍ରଭୁ ଜଗନ୍ନାଥ ବୋଧେ ସେଠାକୁ ଯାଇ ତାଙ୍କୁ କହିଦେଲେ । ନବୀନବାବୁ ରଥଯାତ୍ରାରେ କେତେ ସମୟ ରୁହନ୍ତୁ ତାହା ଲୋକେ ଜାଣିଛନ୍ତି। ଜଗନ୍ନାଥଙ୍କ ଲୀଳାକୁ ନେଇ ରାଜନୀତି କରାଯାଏ ନାହିଁ । ଚଳିତବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ହୋଇଛି ।
ତଦନ୍ତ,କାର୍ଯ୍ୟାନୁଷ୍ଠାନ ଓ ଉତ୍ତରଦାୟିତ୍ୱ ଜରୁରୀ
ରଥଯାତ୍ରା ସମୟରେ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହେବାପରେ ରଥଟଣାରେ ବିଳମ୍ବ କାହିଁକି ହେଲା, କିଏ ଦାୟୀ ଓ ତିନିଠାକୁରଙ୍କ ରଥ ଦାୟିତ୍ୱରେ ଥିବା ଅଫିସରମାନେ କ’ଣ କରୁଥିଲେ ଏସବୁର ଖୋଳତାଡ଼ ହେବା ଜରୁରୀ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଏଭଳି ଅବ୍ୟବସ୍ଥାକୁ ନେଇ ସରକାର କଠୋର ଆଭିମୁଖ୍ୟ ପୋଷଣ କରିବାର ଆବଶ୍ୟକତା ରହିଛି । ଏହାର ନିରପେକ୍ଷ ତଦନ୍ତ ହେଲେ ହିଁ ରଥଯାତ୍ରା ଆରମ୍ଭରୁ ଶେଷପର୍ଯ୍ୟନ୍ତ କିଏ ଓ କେଉଁସ୍ତରରେ ଦାୟୀ ତାହା ଲୋକଲୋଚନକୁ ଆସିପାରନ୍ତା ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
