Advertisment

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ: ସୋମାଲିକା ନୁହେଁ ପ୍ରତ୍ୟୁଷାଙ୍କୁ ବିବାହ ପାଇଁ କଲେ ଆବେଦନ

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
Tirtol Mla with his fiance

Tirtol Mla with his fiance

Advertisment

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ପୁଣିଥରେ ବ୍ୟକ୍ତିଗତ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି । ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ ଓହରି ଯିବା ନେଇ ଯୌନ ନିର୍ଯାତନା ଓ ପ୍ରତାରଣାର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏପରି ସମୟରେ ପ୍ରତ୍ୟୁଷା ନନ୍ଦ ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିବାକୁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ସେ ଆବେଦନ କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ସହପାଠୀ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ନିମନ୍ତେ ଗତ ୨୧ତାରିଖରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଆବେଦନ ତାରିଖଠୁ ଏକମାସର ନୋଟିସ୍ ଅବଧି ଶେଷ ପରେ ଶ୍ରୀ ଦାସ ନିଜର ବାନ୍ଧବୀଙ୍କୁ ବିବାହ କରିବେ ।

ପ୍ରତ୍ୟୁଷାଙ୍କ ଘର କଟକରେ ହୋଇଥିବାରୁ ଉଭୟ କଟକ ସବରେଜିଷ୍ଟ୍ରାରଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ପ୍ରତ୍ୟୁଷାଙ୍କ ସହ ଶ୍ରୀ ଦାସ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଲିଭ-ଇନରେ ରହୁଛନ୍ତି । ପ୍ରତ୍ୟୁଷା ପୂର୍ବରୁ ବିବାହିତା ଓ ତାଙ୍କର ୫-୬ବର୍ଷ ବୟସର ଗୋଟିଏ ପୁଅ ମଧ୍ୟ ଅଛି । ପ୍ରତ୍ୟୁଷାଙ୍କ ସ୍ୱାମୀ ରାଜ୍ୟ ବାହାରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟରତ ଅଛନ୍ତି । ପ୍ରତ୍ୟୁଷାଙ୍କ ପ୍ରଥମ ବିବାହ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ହୋଇଥିଲା ।

Advertisment
Picସୋମାଲିକାଙ୍କୁ ବିବାହ ପାଇଁ ବିଜୟ ଶଙ୍କର ଗତବର୍ଷ କରିଥିବା ଆବେଦନ ।

ପ୍ରତ୍ୟୁଷାଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ ବିଧାୟକ ଶ୍ରୀ ଦାସ ତାଙ୍କର ଦୀର୍ଘଦିନର ପ୍ରେମିକା ସୋମାଲିକାଙ୍କଠୁ ଦୂରେଇ ଯାଇଥିଲେ । ୨୦୨୧ ମସିହାରେ ବିଧାୟକ ବିଜୟଶଙ୍କର ଓ ସୋମାଲିକାଙ୍କ ସମ୍ପର୍କ ମଧ୍ୟରେ ପ୍ରତ୍ୟୁଷାଙ୍କ ଏଣ୍ଟ୍ରି  ପରଠୁ ବିବାଦ ଦେଖାଦେଇଥିଲା । ପ୍ରତ୍ୟୁଷା ତାଙ୍କ ସ୍ୱାମୀଙ୍କ ସହ ବାଙ୍ଗାଲୋରରେ ରହୁଥିବାବେଳେ କୋଭିଡ୍ ସମୟରେ ନିଜ ଘରକୁ ଫେରିଥିଲେ । ଆଉ ତା’ପରେ ହିଁ ବିଜୟଶଙ୍କର ସହ ତାଙ୍କର ଘନିଷ୍ଠତା ଗଢ଼ି ଉଠିଥିଲା । ବିଜୟଶଙ୍କର ସହ ପ୍ରତ୍ୟୁଷା ଏକାଠି ପାଠ ପଢ଼ୁଥିଲେ । ଅବଶ୍ୟ ଇତିମଧ୍ୟରେ ପ୍ରତ୍ୟୁଷାଙ୍କର ପ୍ରଥମ ବିବାହର ଡିର୍ଭୋସ ହୋଇସାରିଥିବା ଜଣାପଡ଼ିଛି । ପ୍ରତ୍ୟୁଷା ଗତ କିଛିମାସ ପୂର୍ବରୁ ଏକ ୱେବ୍ ଚ୍ୟାନେଲ ସ୍ଥାପନ କରି ଗଣମାଧ୍ୟମ ଦୁନିଆରେ ପାଦ ଥାପିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଧାୟକ ଶ୍ରୀ ଦାସ ଗତବର୍ଷ ମେ’ ୧୭ତାରିଖରେ ନିଜର ଦୀର୍ଘଦିନର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ଆବେଦନ କରିଥିଲେ । କିନ୍ତୁ ଏକମାସର ନୋଟିସ୍ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ । ଯାହାକୁ ନେଇ ସୋମାଲିକା ପରବର୍ତ୍ତୀ ସମୟରେ ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା, ଦୁଷ୍କର୍ମ ମାମଲା ଦାଏର କରିଥିଲେ ।

କିନ୍ତୁ ରାଜନୀତିକ ଚାପରେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ଏପରିକି ବିଧାୟକଙ୍କ ପ୍ରେମ-ସେକ୍ସ ଓ ପ୍ରତାରଣାକୁ ନେଇ ରାଜନୀତିକ ହଟଚମଟ ହୋଇଥିବା ସତ୍ତ୍ୱେ ରାଜ୍ୟ ସରକାର କିଛି ପଦକ୍ଷେପ ନେଲେ ନାହିଁ କିମ୍ବା ସୋମାଲିକା ନ୍ୟାୟ ପାଇବାରେ ସକ୍ଷମ ହେଲେନି । ପୁଲିସ ଓ ସରକାରଙ୍କଠୁ ନିରାଶ ହେବାପରେ ସୋମାଲିକା ଏବେ କୋର୍ଟଙ୍କ ଆଶ୍ରୟ ନେଇଛନ୍ତି ଏବଂ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି ।

ତେବେ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଯୌନ ସମ୍ପର୍କ ରଖି ଶେଷ ମୁହୂର୍ତ୍ତରେ ଓହରି ଯାଇଥିବା ବିଜେଡି ବିଧାୟକ ବିଜୟଶଙ୍କର ପୁଣି କିଭଳି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯୌନ ନିର୍ଯାତନାର ମାମଲା ସତ୍ତ୍ୱେ ବିଧାୟକଙ୍କ ବିରୁଦ୍ଧରେ ପୁଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ଓ ବିଧାୟକଙ୍କୁ ପରୋକ୍ଷରେ ବାରମ୍ବାର ଏକାଧିକ ଯୁବତୀଙ୍କ ସହ ପ୍ରତାରଣା କରିବାର ସୁଯୋଗ କିଭଳି ମିଳୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଏନେଇ ସୂଚନା ପାଇବା ପରେ ସୋମାଲିକା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜୟଙ୍କୁ ଛାଡ଼ିବିନି, କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବି, ମୋର କ’ଣ କିଛି ଇଜ୍ଜତ ନାହିଁ, ସେ ଯେତେବେଳେ ଯାହାକୁ ଚାହଁବେ ତାଙ୍କ ଜୀବନ ନଷ୍ଟ କରିବେ । ଝିଅ ବୋଲି କଣ ମୋତେ ଏମିତି ହଇରାଣ କରାଯିବ ନା କଣ। ୩୦ ଦିନ ଭିତରେ ନିଶ୍ଚିତ ଅଭିଯୋଗ କରିବି ବୋଲି କହିଲେ ସୋମାଲିକା ।

Jagatsinghpur Bijay Shankar Das Mla
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe