Advertisment

ଟିଏମସି ସାଂସଦ ମହୁଆ ଲୋକସଭାରୁ ବହିଷ୍କୃତ

ମହୁଆଙ୍କୁ ବହିଷ୍କୃତ କରିବା ପରେ ଲୋକସଭାକୁ ୧୧ ତାରିଖ ଦିନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

author-image
Hemant Lenka
Mahua

Mahua

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବଡ଼ ଝଟକା। ତାଙ୍କୁ ଲୋକସଭାରୁ ଆଜି ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟିର ସୁପାରିସ ଆଧାରରେ ମହୁଆଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି। ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଆଜି ଲୋକସଭାରେ ଆଗତ କରାଯାଇଥିଲା। ଏହାକୁ ବିରୋଧୀ ଦଳର ସଦସ୍ୟମାନେ ବିରୋଧ କରିଥିଲେ।

Advertisment

ତଥାପି ଏହା ଉପରେ ଭୋଟ ହୋଇଥିଲା। ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକସଭାରୁ ବାହାରି ଆସିଥିଲେ। ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା ସେ କହିଛନ୍ତି। 

ଆଜି ଲୋକସଭାରେ ମହୁଆ ନିଜର ପକ୍ଷ ରଖିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ଏଥିକ୍ସ କମିଟି ତାଙ୍କୁ ବହିଷ୍କୃତ କରିବାକୁ ସୁପାରିସ କରିଥିବାରୁ ବାଚସ୍ପତି ଓମ ବିର୍ଲା ତାଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନଥିଲେ। ଏହାକୁ ନେଇ ନିମ୍ନ ସଦନରେ ବେଶ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଶେଷରେ ବାଚସ୍ପତି ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିଛନ୍ତି। ଏହାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। 

Advertisment

ମହୁଆଙ୍କୁ ବହିଷ୍କୃତ କରିବା ପରେ ଲୋକସଭାକୁ ୧୧ ତାରିଖ ଦିନ ୧୧ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। 

ଗୌତମ ଆଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ମହୁଆ ନିଜର ସଂସଦ ଆକାଉଣ୍ଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡକୁ ବି ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଏଥିକ୍ସ କମିଟି ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଇଥିଲା। ଜେରା ସମୟରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରିଥିଲେ।

କମିଟି ପାଞ୍ଚ ଶହ ପୃଷ୍ଠାର ଏକ ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ଦେଇ କହିଥିଲା ଯେ ଆଗକୁ ମହୁଆ ସାଂସଦ ଭାବେ ରହିବା ଉଚିତ ନୁହେଁ। ତାଙ୍କୁ ସଂସଦ ପଦରୁ ବହିଷ୍କାର କରାଯିବା ଉଚିତ୍। ମହୁଆଙ୍କ କାର୍ଯ୍ୟକଳାପକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଘୃଣ୍ୟ ଓ ଅପରାଧିକ ଦର୍ଶାଇ ତାଙ୍କୁ କଠୋର ଦଣ୍ଡ ଦେବାକୁ ଏଥିକ୍ସ କମିଟି ସୁପାରିସ୍ କରିଥିଲା।

Mahua Moitra Mahua Moitra Bribe Case