/odisha-reporter/media/post_attachments/uploadimage/library/16_9/16_9_0/Yogi_1738752536.jpg)
Yogi
ଲୋକସଭା ନିର୍ବାଚନ ବେଳେ ସମାଜବାଦୀ ଠାରୁ ଉତ୍ତର ପ୍ରଦେଶର କ୍ଷମତାସୀନ ବିଜେପି ସମ୍ମାନଜନକ ଫୈଜାବାଦରେ ହାରି ଯାଇଥିଲା। ଫୈଜାବାଦ ଲୋକସଭା ସିଟ୍ ଅଧୀନରେ ଅଯୋଧ୍ୟାର ରାମ ମନ୍ଦିର ରହିଛି। ଜାନୁଆରୀ ମାସରେ ବହୁ ଆଡ଼ମ୍ବରରେ କେନ୍ଦ୍ରର ବିଜେପି ସରକାର ଭବ୍ୟ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ସମସ୍ତେ କହୁଥିଲେ ବିଜେପି ଫୈଜାବାଦରେ ନିଶ୍ଚୟ ବିଜୟ ହେବ। କିନ୍ତୁ ଦଳକୁ ରାମ ମନ୍ଦିରର ଆସନରେ ପରାସ୍ତ ହେବାକୁ ପଡ଼ିଥିଲା। ଏଥିପାଇଁ ବିଜେପିକୁ ତୀବ୍ର ସମାଲୋଚନା ମଧ୍ୟ ହେବାକୁ ପଡ଼ିଛି।
ହେଲେ ଏବେ ଏହାର ବଦଲା ନେବାକୁ ବିଜେପି ପାଖରେ ସୁଯୋଗ ରହିଛି। ମିଲ୍କିପୁର ବିଧାନସଭା ଆସନରେ ଆଜି ଅନୁଷ୍ଠିତ ଉପ ନିର୍ବାଚନକୁ ଦଳ ସମ୍ମାନର ଲଢ଼େଇ ଭାବେ ମୁଣ୍ଡକୁ ନେଇଛି। ଏଠାରେ ବିଜୟ ହୋଇ ଦଳ ଫୈଜାବାଦ ପରାଜୟର ବଦଲା ନେବା ମୁଡରେ ରହିଛି। ଏଥିପାଇଁ ଏଠାରେ ବିଜେପି ନିଜର ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଠାରେ ଏକାଧିକ ଥା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମିଲ୍କିପୁର ଆଜି ଭୋଟ ଦେଉଥିବା ବେଳେ ବିଜେପି ଭୋଟରମାନଙ୍କୁ ଅଯୋଧ୍ୟା ପରାଜୟର ବଦଲା ନେବାକୁ ଆହ୍ୱାନ ଦେଇଛି। ଆଜି ଏଠାରେ ଉପ ନିର୍ବାଚନ ପାଇଁ ଭୋଟିଂ ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ।
ଫୈଜାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସପାର ଅବଧେଶ ପ୍ରସାଦଙ୍କ ଠାରୁ ୫୪ ହଜାର ଭୋଟରେ ପରାସ୍ତ ହୋଇଥିଲେ। ଏବେ ପ୍ରସାଦଙ୍କ ପୁଅ ଅଜିତଙ୍କୁ ସପା ମିଲ୍କିପୁର ବିଧାନସଭା ଆସନରେ ପ୍ରାର୍ଥୀ କରିଛି। ଅବଧେଶ ପ୍ରସାଦ ଏଠାରେ ପୂର୍ବରୁ ବିଧାୟକ ରହିଥିଲେ। ସେ ଲୋକସଭା ଆସନ ଜିତିବାରୁ ତାଙ୍କୁ ଏହାକୁ ଖାଲି କରିବାକୁ ପଡ଼ିଥିଲା। ଏବେ ଉକ୍ତ ଆସନରେ ତାଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି।
ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ କହିଛନ୍ତି. “ମିଲ୍କିପୁର ଉପ ନିର୍ବାଚନରେ ସପା ପ୍ରାର୍ଥୀଙ୍କୁ ପରାସ୍ତ କରି ଲୋକସଭା ପରାଜୟର ବଦଲା ନେବାକୁ ପ୍ରତିଶ୍ରୁତିବଦ୍ଧ। ସପା ପ୍ରାର୍ଥୀ ନିଜର ଅମାନତ ହରାଇବେ। ସପା ପକ୍ଷରୁ ଅଯୋଧ୍ୟାର ନାଁ ନେଇ କଟାକ୍ଷ କରାଯାଉଛି। କ’ଣ ସପା ଅଯୋଧ୍ୟାର ଲୋକଙ୍କୁ ଅପମାନିତ କରିବ?” ବିଜେପି ଏଠାରେ ୩୯ ବର୍ଷୀୟ ଚନ୍ଦ୍ରଭାନୁ ପାଶ୍ୱାନଙ୍କୁ ପ୍ରାର୍ଥୀ କରିଛି।
ମୌର୍ଯ୍ୟ କହିଛନ୍ତି, “ସେମାନେ(ସପା) ନିର୍ବାଚନ ହାରୁଥିବା ଭଲ ଭାବେ ଜାଣିଛନ୍ତି। ପରିବାରରୁ ଜଣେ ସାଂସଦ ଏବେ ଅଛନ୍ତି। ଏବେ ସେହି ପରିବାରର ବିଧାୟକ ମଧ୍ୟ ଚାହୁଁଛି। ଆପଣମାନେ କ’ଣ ଏପରି ଚାହୁଁଛନ୍ତି? ସମାଜବାଦୀ ପାର୍ଟିକୁ ଉଚିତ ଶିକ୍ଷା ଦିଆଯିବା ଦରକାର ନୁହେଁ କି?”
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଚାର ବେଳେ ମିଲ୍କିପୁର ଲଢ଼େଇକୁ ଜାତୀୟତାବାଦ ବନାମ ବଂଶବାଦ ରାଜନୀତି ଭାବେ ଅଭିହିତ କରିଥିଲେ। ଏଥିସହ ସେ ସପା ଗୋଟିଏ ଅପରାଧିକ ଦଳ ବୋଲି କହିଥିଲେ। ଏହାର ଅର୍ଥ ବିଜେପି ମିଲ୍କିପୁର ଉପ ନିର୍ବାଚନକୁ ନିଜ ସମ୍ମାନର ଲଢ଼େଇ ଭାବେ ଗ୍ରହଣ କରି ବିଜୟ ହେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି।
ବିଜେପି ଯେହେତୁ ମିଲ୍କିପୁରକୁ ସମ୍ମାନର ଲଢ଼େଇ ଭାବେ ଗ୍ରହଣ କରିଛି, ସପା ମଧ୍ୟ ଆକ୍ରମଣ କରିବାରେ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ଏଠାରେ ଅଖିଲେଶ ପିଡିଏ(ପଛୁଆ, ଦଳିତ ଓ ଆଦିବାସୀ) ଫର୍ମୁଲା କଥା କହି ପ୍ରଚାର କରିଛନ୍ତି। ମିଲ୍କିପୁରରେ ଏକ ତୃତୀୟାଂଶ ଲୋକ ଦଳିତ। ତେଣୁ ଏହା ଏକ ସଂରକ୍ଷିତ ଆସନ।
ସୋମବାର ପ୍ରଚାର ବେଳେ ଅଖିଲେଶ କହିଥିଲେ, “ପିଡିଏ ଏକତା ବିରୋଧରେ କୌଣସି ପ୍ରକାରର ଫୋର୍ସ କାମ କରିପାରିବ ନାହିଁ। ପିଡିଏକୁ ଅଯୋଧ୍ୟାର ରେଜଲ୍ଟ ସୁହାଇଥିବା ବେଳେ ଏବେ ମିଲ୍କିପୁରରେ ଏହାର ପୁନରାବୃତ୍ତି ହେବ। ମିଲ୍କିପୁର ନିର୍ବାଚନ କେବଳ ଗୋଟିଏ ନିର୍ବାଚନ ନୁହେଁ, ଏହା ଏକ ଚ୍ୟାଲେଞ୍ଜ। ଉପ ନିର୍ବାଚନ ସିଧାସଳଖ ଲୋକ ଓ ପ୍ରଶାସନ ମଧ୍ୟରେ ଲଢ଼େଇ।”
ଯେଉଁ ୫ଟି ବିଧାନସଭା ଆସନକୁ ନେଇ ଫୈଜାବାଦ ଲୋକସଭା ଆସନ ତିଆରି ହୋଇଛି, ତା’ ମଧ୍ୟରେ ମିଲ୍କିପୁର ରହିଛି। ୨୦୨୨ରେ ମିଲ୍କିପୁରରେ ଅବଧେଶ ପ୍ରସାନ ଏଠାରେ ଜିତିଥିଲେ। ୨୦୧୭ରେ ଏହି ଆସନ ବିଜେପି ପାଖକୁ ଯାଇଥିଲା। ଅଯୋଧ୍ୟା ମଧ୍ୟ ଫୈଜାବାଦ ମଧ୍ୟରେ ଥିବା ଗୋଟିଏ ବିଧାନସଭା ଆସନ।
୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଉତ୍ତର ପ୍ରଦେଶରେ ବଡ଼ ଝଟକା ଲାଗିଥିଲା। ସବୁ ପ୍ରକାରର ରଣକୌଶଳ ସତ୍ତ୍ୱେ ସପା ଓ କଂଗ୍ରେସ ଯୋଡ଼ି ଏଠାରେ ୪୩ଟି ଆସନ ଜିତିଥିଲେ। ବିଜେପି ୩୬ଟି ଆସନ ପାଇଥିଲା। ୨୦୧୯ ତୁଳନାରେ ଏହା ୩୦ କମ।
୨୦୨୪ ଲୋକସଭା ନିର୍ବାଚନରେ କେବଳ ଫୈଜାବାଦ ନୁହେଁ, ବିଜେପି ଶ୍ରାବସ୍ତିରେ ବି ହାରିଥିଲା। ଏଠାରେ ଦଳ ରାମ ମନ୍ଦିରର ନିର୍ମାଣ କାମର ମୁଖିଆ ନୃପେନ୍ଦର ମିଶ୍ରାଙ୍କ ପୁଅ ସାକେତଙ୍କୁ ଟିକେଟ ଦେଇଥିଲା। ଉତ୍ତର ପ୍ରଦେଶକୁ ଦିଲ୍ଲୀର ପ୍ରବେଶ ପଥ କୁହାଯାଏ। ଏଠାରେ ବିଜେପି କେବଳ ୩୬ଟି ଆସନ ଜିତିବାରୁ କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇ ନଥିଲା। ଦଳ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ସାଥୀ କରି କେନ୍ଦ୍ରରେ ସରକାର କରିଛି।
ଫୈଜାବାଦ ଝଟକା ପରେ ବିଜେପି ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଛି। କିନ୍ତୁ ଏବେ ମିଲ୍କିପୁରରେ ଜିତି ଦଳ ୟୁପିରେ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
