Advertisment

Rajya Sabha Elections: କାହାକୁ ରାଜ୍ୟସଭା ପଠାଇବ ବିଜେପି

ବାଜିଲା ରାଜ୍ୟସଭା ବିଗୁଲ। ଚର୍ଚ୍ଚାରେ ବିଜେପିର ଜାତୀୟ ଓ ରାଜ୍ୟସ୍ତରୀୟ ନେତା। ଓଡ଼ିଶାର ୪ ରାଜ୍ୟସଭା ସାଂସଦ ମମତା ମହନ୍ତ, ମୁନା ଖାନ୍ , ସୁଜିତ୍ କୁମାର ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି।

author-image
Jitendra Garnayak
BJP Leaders

ଓଡ଼ିଶାରୁ କିଏ ଯି‍‍ବେ ରାଜ୍ୟସଭା? ବିଧାନସଭାରେ ଯେତିକି ସଂଖ୍ୟା ରହିଛି ବିଜେପି ସହଜରେ ୨ ଜଣଙ୍କୁ ପଠାଇପାରିବ। ହେଲେ ତୃତୀୟ ଜଣଙ୍କ ପାଇଁ ବିଜେପି ବିଜେଡିର ସାହାଯ୍ୟ ନେଇପାରେ । ଯଦି ଏପରି ହୁଏ, ତା’ହେଲେ ବିଜେପି ୩ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇ ପାରିବ ବୋଲି ଚର୍ଚ୍ଚା ହେଉଛି। 

Advertisment

ରାଜ୍ୟସଭା ଚର୍ଚ୍ଚାରେ ସବୁଠୁ ଆଗରେ ମନମୋହନ ସାମଲଙ୍କ ନାଁ ଥିବା ବେଳେ ତାଙ୍କ ପରେ ଅଛନ୍ତି ପୂର୍ବତନ ସଭାପତି ସମୀର ମହାନ୍ତି। ତେବେ କେତେକ ମନମୋହନ ସାମଲ ଦିଲ୍ଲୀ ଯିବାକୁ ଅନିଛୁକ କହୁଥିବା ବେଳେ ଦଳର ନିଷ୍ପତ୍ତି ସର୍ବେସର୍ବା ବୋଲି କହୁଛନ୍ତି। ଏହାପରେ ଚର୍ଚ୍ଚାରେ ସାଂସଦ ସୁଜିତ କୁମାର ଅଛନ୍ତି। ତାଙ୍କୁ ରିପିଟ୍ କରାଯାଇପାରେ। ବିଜେପିର ମମତା ମହନ୍ତ ଏବଂ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ଏହାରି ମଧ୍ୟରେ ଚର୍ଚ୍ଚାରେ ଶିଳ୍ପପତି ତଥା ରାଉରକେଲାରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ରାୟ ଅଛନ୍ତି। ଆଉ କେତେକ କହୁଛନ୍ତି ଦିଲ୍ଲୀପ ନୁହନ୍ତି, ଦିଲ୍ଲୀ ଜଣଙ୍କୁ ପଠାଇପାରେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ବିଜେପି ସରପ୍ରାଇଜ ଦେଇପାରେ।

Advertisment

ସେପଟେ ବିଜେଡି ତା’ର ସଂଖ୍ୟା ଅନୁସାରେ ଜଣେ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଇପାରିବ। ବିଜେଡିରୁ ଦୁଇଟି ନାଁ ଚର୍ଚ୍ଚାକୁ ଆସୁଛି। ଜଣେ ହେଲେ ନବୀନଙ୍କ ପଲଟିକାଲ ସେକ୍ରେଟାରୀ ସଂତୃପ୍ତ ମିଶ୍ର ଓ ଆଉ ଜଣେ ହେଲେ ସୁବ୍ରତ ବାଗଚୀ। ତେବେ ଆଗରୁ ଅଶୋକ ପଣ୍ଡା କହିଥିଲେ ଓ ଏବେ ବରିଷ୍ଠ ବିଜେଡି ନେତା ବଦ୍ରିନାରାୟଣ ପାତ୍ର ବି କହିଛନ୍ତି ଯେ ଦଳର ବରିଷ୍ଠ ନେତାମାନେ ରାଜ୍ୟସଭାକୁ ଯାଆନ୍ତୁ। ଯଦି ଏଭଳି ହୁଏ, ତା’ହେଲେ ସଂତୃପ୍ତ ମିଶ୍ରଙ୍କ ପତା କଟିପାରେ ବୋଲି ଚର୍ଚ୍ଚା ହେଉଛି।

ମାର୍ଚ୍ଚ ୧୬ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଏହା ନେଇ ପ୍ରେସ୍ ନୋଟ୍ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିରେ ରହିଛି ଓଡ଼ିଶାର ୪ ଆସନ। ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ ଏବଂ ୬ରେ ଯାଞ୍ଚ କରାଯିବ। ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍ ଗ୍ରହଣ କରାଯିବ। ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି। ଓଡ଼ିଶାର ୪ ରାଜ୍ୟସଭା ସାଂସଦ ମମତା ମହନ୍ତ, ମୁନା ଖାନ୍ , ସୁଜିତ୍ କୁମାର ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି। 

ସ୍ୱାତୀ ଜେନାଙ୍କ ରିପୋର୍ଟ