Advertisment

କାହା ଆଡ଼କୁ ଢଳିବେ ମହିଳା ଭୋଟର: ଓଡ଼ିଶାର ୫୦ହଜାର ଗାଁରେ ସଭା- ସଂକୀର୍ତ୍ତନ କରି ସଚେତନତା ବାର୍ତ୍ତା ଦେବ ବିଜେପି

ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ବିଲ୍‌’ ସର୍ବସମ୍ମତିରେ ଗୃହୀତ ହୋଇଛି ।

author-image
Ordigital Desk
Voter

Voter

ସଂସଦରେ ଐତିହାସିକ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବାପରେ ଏହାର ଶ୍ରେୟ ନେବାକୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ୧୯୯୪ ମସିହାରେ ସର୍ବପ୍ରଥମେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା ବୋଲି କହି ବିଜେପି ଆଜି ବିଜେଡିର ଏଭଳି ଶ୍ରେୟ ନେବାର ଦାବିକୁ ଖାରଜ କରିଛି । ଆଉ ରାଜ୍ୟର ୫୦ହଜାର ଗାଁରେ ସାଧାରଣ ସଭା ଓ ସଂକୀର୍ତ୍ତନ ଦଳମାନଙ୍କ ସହାୟତାରେ ଘରେଘରେ ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନରେନ୍ଦ୍ର ମୋଦି ସରକାର ନେଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ସଚେତନ କରାଇବାକୁ ନିଷ୍ପତ୍ତି ନେଇଛି ।

Advertisment

ଆଜି ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟସଭା ଓ ଲୋକସଭାରେ ଐତିହାସିକ ମହିଳା ସଂରକ୍ଷଣ ସମ୍ବିଧାନ ସଂଶୋଧନ ବିଲ୍ ତଥା ‘ନାରୀ ଶକ୍ତି ବନ୍ଦନ ବିଲ୍‌’ ସର୍ବସମ୍ମତିରେ ଗୃହୀତ ହୋଇଛି । ଓଡ଼଼ିଶାର ୫୦ ହଜାର ଗାଁରେ ମଧ୍ୟ ସାଧାରଣ ସଭା କରି ମୋଦିଜୀଙ୍କର ଏହି ଐତିହାସିକ ବାର୍ତ୍ତା ସହ ଅନ୍ୟାନ୍ୟ ଲୋକାଭିମୁଖୀ ଯୋଜନାର ବାର୍ତ୍ତାକୁ ପହଁଚାଇବାକୁ ଦଳ ପକ୍ଷରୁ ପଦକ୍ଷେପ ନିଆଯିବ । ବିଜେପି ହେଉଛି ଭାରତର ପ୍ରଥମ ରାଜନୈତିକ ଦଳ ଯିଏ ୧୯୯୪ ମସିହାରେ ଗୁଜୁରାଟର ଭଡ଼ୋଦରାରେ ଅନୁଷ୍ଠିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସପକ୍ଷରେ ଏକ ଆନୁଷ୍ଠାନିକ ସଂକଳ୍ପ ଗୃହୀତ କରିଥିଲା ଏବଂ ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ଦାବି କରିଥିଲା । ବିଜେପି ସରକାର ଆସିବା ପୂର୍ବରୁ ୧୯୯୬ ମସିହାରେ ଏଚ.ଡି. ଦେବଗୌଡ଼ା ସରକାର ସମୟରେ ମହିଳାଙ୍କୁ ସଂରକ୍ଷଣ ଦେବା ପାଇଁ ୮୧ତମ ସମ୍ବିଧାନ ସଂଶୋଧନ ବିଲ୍ ଅଣାଯାଇଥିଲା । ଏହାକୁ ଗୃହରେ ବିଜେପି ସମର୍ଥନ ଦେଇଥିବାବେଳେ ଅନ୍ୟ ଦଳଙ୍କ ଅସହଯୋଗରୁ ଏହି ବିଲ୍ ଗୃହୀତ ହୋଇପାରିନଥିଲା । ଏହା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ୧୯୯୮ ଓ ୧୯୯୯ରେ ଦୁଇ ଥର କ୍ରମାଗତ ୮୪ତମ ଓ ୮୫ତମ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲେ । କିନ୍ତୁ ସମର୍ଥନ ନମିଳିବାରୁ ତାହା ଗୃହୀତ ହୋଇପାରିନଥିଲା । ୟୁପିଏ ଶାସନବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର ଏହି ବିଲ୍ ଗୃହରେ ଅଣାଯାଇଥିବା ସତ୍ୱେ ମଧ୍ୟ ଆନ୍ତରିକ ଇଚ୍ଛାଶକ୍ତି ନଥିବା କାରଣରୁ ଲୋକସଭାରେ ପାରିତ ହୋଇପାରିନଥିଲା । ମୋଦି ସରକାର ଏବେ ମହିଳା ସଂରକ୍ଷଣ ବିଲ୍ ଆଣିବା ପରେ ପୂର୍ବରୁ ଯେଉଁମାନେ ମହିଳା ସଂରକ୍ଷଣ ବିଲକୁ ପ୍ରତିବାଦ କରି ବିରୋଧ କରୁଥିଲେ ସେମାନେ ଆଉ ବିରୋଧ ପାଇଁ ସାହାସ କରିପାରିଲେ ନାହିଁ ।

ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ହେବା ଫଳରେ ଆଗାମୀ ଦିନରେ ଓଡ଼ିଶା ଓ ସମଗ୍ର ଦେଶରେ ବିଧାୟକ ଓ ସାଂସଦ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଇବ । ଲୋକସଭାରେ ଏବେ ୮୧ ଜଣ ମହିଳା ସାଂସଦ ଥିବାବେଳେ ଏହି ସଂଖ୍ୟା ବଢି ୧୮୨ ହେବ । ଓଡ଼ିଶାରେ ୧୪୭ ସଂଖ୍ୟା ବିଶିଷ୍ଟ ବିଧାନସଭାରେ ୧୮ ଜଣ ମହିଳା ବିଧାୟିକା ଥିବାବେଳେ ଏହି ସଂଖ୍ୟା ବଢି ୪୯ ହେବ  ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ ଆଜି ରାଜ୍ୟ କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାମାନଙ୍କୁ ଏହି ମହିଳା ସଂରକ୍ଷଣ ବାର୍ତ୍ତା ଘରେଘରେ ପହଂଚାଇବାକୁ ପରାମର୍ଶ ଦେଇଥିଲେ ।

Advertisment

ଅନ୍ୟପକ୍ଷରେ, ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ଦିନରୁ ବିଜେଡି ଏହାର ଶ୍ରେୟ ନେବାକୁ ଆଗକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଯୋଗୁ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଗୃହୀତ କରାଇବାକୁ ବାଧ୍ୟ ହେଲେ ବୋଲି ଦାବି କରିବା ସହ ୨୦୧୮ ମସିହାରେ ବିଜେଡି ହିଁ ଜାତୀୟସ୍ତରରେ ଏନେଇ ଅଭିଯାନ କରିଥିଲା । କିନ୍ତୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ନିଷ୍ପତ୍ତି ବିଜେପି ୧୯୯୪ ମସିହାରେ ନିଜ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନେଇଥିବା ଓ ବାଜପେୟୀ ସରକାରରେ ୨ଥର ଏହି ବିଲକୁ ଗୃହୀତ ପାଇଁ ଉଦ୍ୟମ ହୋଇଥିବା କଥା କହି ବିଜେଡିକୁ କଡ଼ା ଜବାବ ଦେଇଛନ୍ତି ।

ରାଜ୍ୟରେ ମହିଳା ଏସଏଚଜି ଗ୍ରୁପ୍ ମାଧ୍ୟମରେ ମହିଳାଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରୁଥିବା ବିଜେଡି ପାଇଁ ବିଜେପିର ଏଭଳି ସଚେତନତା କାର୍ଯ୍ୟକ୍ରମ ଏବେ ଚିନ୍ତାର କାରଣ ହୋଇଛି । ବିଜେଡିର ଏହି ଭୋଟବ୍ୟାଙ୍କରେ ଛିଦ୍ର କରିବାରେ ବିଜେପିର ଗାଁ ଗାଁରେ ସାଧାରଣ ସଭା ଓ ସଂକୀର୍ତ୍ତନ କେତେ ଫଳପ୍ରଦ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।

BjD Bjp Vote Target