Advertisment

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମାଧାନ ପାଇଁ ଲୋକଙ୍କୁ ଦେଲେ ପ୍ରତିଶ୍ରୁତି

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗୁହାରୀ କରିବାକୁ ଆସିଥିଲେ ଦିବ୍ୟାଙ୍ଗ କଷ୍ଟହରି ଜେନା। ତାଙ୍କର ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ। ନାଁରେ ଯେମିତି ‘କଷ୍ଟ’ ରହିଛି। ତାଙ୍କ ଜୀବନରେ ମଧ୍ୟ ସେତିକି କଷ୍ଟ। ସେ ଜନ୍ମରୁ ଦିବ୍ୟାଙ୍ଗ। ହେଲେ ଏ ଯାଏଁ ଖଣ୍ଡେ ଗାଡି ପାଇ ନାହାନ୍ତି।

ଅଦ୍ୟତନ ହୋଇଛି
BJP

BJP

Advertisment

ଦୀର୍ଘ ୧୬ ବର୍ଷ ପରେ ଚଳଚଞ୍ଚଳ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରଥମ ଥର ପାଇଁ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଣ ଜଣ କରି ସେ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଆଉ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ଆଜି ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିବା ଜଣାପଡ଼ିଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଛନ୍ତି ଅଭିଯୋଗକାରୀ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗୁହାରୀ କରିବାକୁ ଆସିଥିଲେ ଦିବ୍ୟାଙ୍ଗ କଷ୍ଟହରି ଜେନା। ତାଙ୍କର ଘର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ। ନାଁରେ ଯେମିତି ‘କଷ୍ଟ’ ରହିଛି। ତାଙ୍କ ଜୀବନରେ ମଧ୍ୟ ସେତିକି କଷ୍ଟ। ସେ ଜନ୍ମରୁ ଦିବ୍ୟାଙ୍ଗ। ହେଲେ ଏ ଯାଏଁ ଖଣ୍ଡେ ଗାଡି ପାଇ ନାହାନ୍ତି। କିଛି ଦିନ ତଳେ ବାପା ଚାଲିଗଲେ। ରହିବାକୁ ଘର ଖଣ୍ଡେ ବି ନାହିଁ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ କଷ୍ଟହରି। ହେଲେ ସାନ୍ତ୍ୱନାମୂଳକ ଭାବେ ତାଙ୍କୁ କେବଳ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ସେହି ଅର୍ଥ ବାଟମାରଣା ହୋଇଗଲା। ହେଲେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ବେଶ ଖୁସି ଅଛନ୍ତି।

ଠିକ୍‌ ସେମିତି ଆଉ ଜଣେ ଦୁଃଖୀ ହେଉଛନ୍ତି ସୁଷମା ବେହେରା। ପୁରୀ ଶାସଙ୍ଗ ଅଞ୍ଚଳର ସୁଷମା ଗାଁରେ କାମ ନପାଇ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲେ। କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଜୀବନ ସିନା ବଞ୍ଚିଗଲା, ହେଲେ ହାତ ଓ ଗୋଡ଼ ହରାଇଲେ। ଆଉ ସେ କାମ କରିପାରୁ ନାହାନ୍ତି। ସ୍ୱାମୀ ଦିନ ମଜୁରିଆ ଯୋଗୁ ଘର ଚଳାଇବା କଷ୍ଟ ହେଉଛି। ବଡ଼ କଥା ହେଲା ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିନି। ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ବେଶ୍ ଉତ୍ସାହିତ ଅଛନ୍ତି।

Advertisment

ସେମିତି ଆଉ ଜଣେ ହେଉଛନ୍ତି ସ୍ୱପ୍ନା ପାତ୍ର। ତାଙ୍କ ଘର ନୟାଗଡ଼ ଜିଲ୍ଲାର। ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିବାକୁ ଆସିଥିଲେ। ୪ ବର୍ଷ ହେଲା ତାଙ୍କ ସ୍ୱାମୀଙ୍କ ଖାଦ୍ୟ ନଳୀ କଟା ହୋଇଛି। BSKYରୁ ମିଳିଥିବା ପଇସା ସରିବା ପରେ ଆହୁରି ମଧ୍ୟ ଟଙ୍କା ଆବଶ୍ୟକ ରହିଛି। ସ୍ୱାମୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ଯୋଗାଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଥିଲେ।

କଷ୍ଟହରି ଜେନା, ସୁଷମା ଓ ସ୍ୱପ୍ନା ପାତ୍ରଙ୍କ ପରି ଅନେକ ଲୋକ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିବାକୁ ଆସିଥିଲେ। କିଏ ଘର ପାଇଁ ତ, ଆଉ କିଏ ପେନସନ ପାଇଁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ସକାଳୁ ହିଁ ଲାଗିଥିଲା ଲୋକଙ୍କ ଗହଳି। ପୂର୍ବ ସରକାରରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲୁଥିଲା, ହେଲେ ନିଜେ ମୁଖ୍ୟମନ୍ତ୍ରୀ ଆସୁନଥିଲେ କି ସମସ୍ୟାର ସମାଧାନ ହେଉନଥିଲା। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ଅଭିଯୋଗ କହି ସମାଧାନର ପ୍ରତିଶ୍ରୁତି ପାଇ ବେଶ୍ ଖୁସି ହୋଇଛନ୍ତି ସାଧାରଣ ଲୋକେ। ଆଜି ପ୍ରଥମ ଦିନରେ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍। ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅଭିଯୋଗ ଶୁଣାଣି ହୋଇଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି କରିଛନ୍ତି। ଖୋର୍ଦ୍ଧାରେ ଲୋକେ ଲମ୍ବାଧାଡ଼ିରେ ସକାଳୁ ଛିଡ଼ା ହୋଇ ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ। ବିଶେଷ ଭାବେ ଆବାସ, ରାସନ୍ କାର୍ଡ ଭଳି ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ। ସେହିପରି ଭଦ୍ରକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୨୮ରୁ ଅଧିକ ଅଭିଯୋଗ ଶୁଣାଣି ହୋଇଛି। ତାଛଡ଼ା ବାଲେଶ୍ୱର, ମାଲକାନଗିରି ଭଳି ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣି ହୋଇଛି।

Bhubaneswar Bjp Bhubaneswar News Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe