ବିପର୍ଯ୍ୟୟ ପରେ ସୁଧୁରୁଛି କି ବିଜେଡି: ଆଜିର ସାମ୍ବାଦିକ ସମ୍ମିଳନୀ ଦେଲା ସଙ୍କେତ, ତଥାପି ଲଗାମ ପାଣ୍ଡିଆନ-ବବି ହାତରେ

ଯେଉଁଥିପାଇଁ ବବିଙ୍କ ଖାସ୍ ଅନୁଗତ ପ୍ରତାପ କେଶରୀ ଦେବଙ୍କୁ ‘ଉପମୁଖ୍ୟ ସଚେତକ’ ପଦବୀରେ ଥଇଥାନ ସହ ତାଙ୍କୁ ଆଗରେ ରଖି ଦଳୀୟ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ ପାଇଁ ପାଣ୍ଡିଆନ ଓ ବବି ଯୋଡ଼ି ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା।

ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ ଦେବ

  • Published: Thursday, 27 June 2024
  • , Updated: 27 June 2024, 10:23 PM IST

ନିଜର କଲାକର୍ମ ପାଇଁ ରାଜ୍ୟବାସୀଙ୍କ ଦ୍ୱାରା ପ୍ରତ୍ୟାଖାତ ବିଜେଡି ଏବେ ଟ୍ରାକକୁ ଫେରୁଛି । ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳ ଏବେ ବରିଷ୍ଠ ନେତାମାନଙ୍କୁ ଆଗକୁ ଆଣିବାରେ ଲାଗିଛି । ଏହାସହିତ ଦଳ ଆଉ ଆତ୍ମଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ କିମ୍ବା ତାଙ୍କର ତଥାକଥିତ ‘କ୍ରୀତଦାସ’ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ କବଜାରେ ନାହିଁ ବୋଲି ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି । ରାଜ୍ୟର ପ୍ରଥମ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ କାଉଂଟର ପାଇଁ ବିଜେଡି କରିଥିବା ଗତ ତିନିଦିନ ମଧ୍ୟରେ ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ସାଧାରଣରେ  ସନ୍ଦେଶ ଦେଇଛି । ଅବଶ୍ୟ ବିଜେଡି ଏବେବି ପାଣ୍ଡିଆନ ଓ ବବିଙ୍କ କବଜାରେ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି, ଯେଉଁଥିପାଇଁ ବବିଙ୍କ ଖାସ୍ ଅନୁଗତ ପ୍ରତାପ କେଶରୀ ଦେବଙ୍କୁ ‘ଉପମୁଖ୍ୟ ସଚେତକ’ ପଦବୀରେ ଥଇଥାନ ସହ ତାଙ୍କୁ ଆଗରେ ରଖି ଦଳୀୟ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ ପାଇଁ ପାଣ୍ଡିଆନ ଓ ବବି ଯୋଡ଼ି ପ୍ରୟାସ କରୁଛନ୍ତି ବୋଲି ଚର୍ଚ୍ଚା ।

ଆଜି ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା ଓ ପ୍ରତାପ ଦେବ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ମହାନଦୀ ଜଳବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ବୟାନକୁ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର ବୋଲି କହିଛନ୍ତି । ଏହାସହିତ ମହାନଦୀ ଜଳବିବାଦ ପ୍ରସଙ୍ଗରେ ବିଜେଡି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଦଳର ନେତାମାନେ ଯୁକ୍ତି ବାଢ଼ିଥିଲେ ।

ବିଜେଡିର ନିର୍ବାଚନ ବିପର୍ଯ୍ୟୟ ପରେ ଗତ ୨୪ତାରିଖରେ ପ୍ରଥମଥର ପାଇଁ ଦଳର ବରିଷ୍ଠ ନେତା ବିଧାୟକ ପ୍ରତାପ କେଶରୀ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରରେ ନାଗରିକ ସମ୍ବର୍ଦ୍ଧନା ସଭାରେ ଦେଇଥିବା ବୟାନକୁ ଦଳ ପକ୍ଷରୁ କାଂଉଟର କରିଥିଲେ । ବିଜେଡି ସରକାର ଥିବାବେଳେ ତାଙ୍କୁ ମନ୍ତ୍ରୀପଦ ଓ ଖଣିର ଅଫର ଦିଆଯାଇଥିଲା ବୋଲି ଶ୍ରୀ ମାଝୀ କହିଥିଲେ ।
ସେହିପରି ଗତକାଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ ପୂର୍ବର ବିଜେଡି ସରକାର ବିଗତ ୨୪ବର୍ଷ ମଧ୍ୟରେ କିଛି କରିନାହିଁ ବୋଲି କହିଥିଲେ । ପଡ଼ୋଶୀ ଛତିଶଗଡ଼ ସହ ଆପୋଷ ଆଲୋଚନାରେ ବିବାଦର ସମାଧାନ ହେଉ ଅବା ଟ୍ରିବ୍ୟୁନାଲରେ ସଠିକ୍ ଢଙ୍ଗରେ ନିଜର ପକ୍ଷ ରଖିବା ଅବା କେନ୍ଦ୍ର ସରକାରଙ୍କ ସହଯୋଗ ନେବା ଆଦି ବିଜେଡି ସରକାର କରିନଥିଲା ବୋଲି ଶ୍ରୀ ପୂଜାରୀ କହିଥିଲେ ।

ଶ୍ରୀ ପୂଜାରୀଙ୍କ ବୟାନକୁ ଆଜି ବିଜେଡିର ଏହି ୩ଜଣ ବରିଷ୍ଠ ନେତା ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧ କରିଥିଲେ । ଏହାସହିତ ବିଜେଡି ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଯୁକ୍ତି ବାଢ଼ିବା ସହ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଥିବାରୁ ମହାନଦୀ ଜଳବିବାଦର ସମାଧାନ ଖୁବଶୀଘ୍ର ହୋଇଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଚର୍ଚ୍ଚା ହେଉଛି, ବିଜେଡି କ୍ଷମତାରୁ ଯିବା ପରେ ସଦବୁଦ୍ଧି ଉଦୟ ହୋଇଛି ଓ ଦଳୀୟ ନେତାମାନଙ୍କୁ ଖୋଜା ପଡ଼ିଛି । ନଚେତ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କହିଲେ ୩-୪ଜଣ ତୋଷାମଦକାରୀ ହିଁ ଆଗକୁ ଆସି ପୋଷାଶୁଆ ପରି ଦଳର ପକ୍ଷ ରଖି ଉଠି ଯାଉଥିଲେ । ସାମ୍ବାଦିକମାନେ ପ୍ରଶ୍ନ ପଚାରିଲେ ବି ଉତ୍ତର ନଦେଇ ପଳାଉଥିଲେ । ଯେଉଁମାନଙ୍କୁ ଦଳ ଆଗକୁ ଆଣି ଗଣମାଧ୍ୟମକୁ ବୟାନ ଜାରି କରୁଥିଲା ସେମାନଙ୍କ ମଧ୍ୟରେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ପ୍ରିୟବ୍ରତ ମାଝୀ ଓ ଲେନିନ୍ ମହାନ୍ତିଙ୍କ ଭଳି ରାଜନୀତିକ ଅପରିପକ୍ୱ ଓ ଅନଭିଜ୍ଞ ବ୍ୟକ୍ତିମାନେ ପ୍ରମୁଖ ଭୂମିକା ନେଉଥିଲେ । ଗଣମାଧ୍ୟମକୁ କ’ଣ ବୟାନ ଦିଆଯିବ ତାହା କୁଆଡ଼େ ତୃତୀୟ ମହଲାର ତତକାଳୀନ ସୁପରସିଏମ୍ ନିଲମ୍ବିତ ଆଇପିଏସ୍ ଡିଏସ୍ କୁଟ୍ଟେ ନିର୍ଦ୍ଧାରଣ କରୁଥିଲେ । ଆଉ ତାଙ୍କର ଜ୍ୱାଇଁ ମାନସ ମଙ୍ଗରାଜଙ୍କ ମାଧ୍ୟମରେ ଦଳ ଏହି ତୋଷାମଦକାରୀ ନେତାଙ୍କୁ ଆଗକୁ ଆଣି ନିଜର ପକ୍ଷ ରଖୁଥିଲା । ବିଜେଡିର ପୁରୁଖା ନେତାମାନଙ୍କୁ ପଛରେ ପକାଇ ଆମଦାନୀ ନେତାମାନଙ୍କ ମାଧ୍ୟମରେ ଦଳ ପକ୍ଷ ରଖୁଥିବାରୁ ତାହା ପ୍ରଭାବଶାଳୀ ହୋଇପାରୁନଥିଲା କି ସାଧାରଣ ଲୋକେ ତାକୁ ଗ୍ରହଣ ମଧ୍ୟ କରୁନଥିଲେ । ଯାହାର ପ୍ରମାଣ ଦଳକୁ ଚଳିତ ନିର୍ବାଚନରେ ମିଳିସାରିଛି ।

ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ ଦଳୀୟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ଭିକେ ପାଣ୍ଡିଆନ ଓ ଡିଏସ କୁଟ୍ଟେଙ୍କ ଆକ୍ରୋଶର ଶିକାର ହେବା ଭୟରେ କେହି ମୁହଁ ଖୋଲିବାକୁ ସାହାସ କରିପାରୁନଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା, କେଉଁ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ସ୍ଥିର କରିବା ଅବା କହିବା ପାଇଁ ବରିଷ୍ଠ ନେତାମାନଙ୍କୁ ଅନୁମତି ନଥିଲା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବି ପ୍ରତିକ୍ରିୟା ଦେଇନପାରି ବିଜେଡିର ଏହି ବରିଷ୍ଠ ନେତାମାନେ ନିଜକୁ ଅତ୍ୟନ୍ତ ଅସହାୟ ମଣୁଥିଲେ ବୋଲି ଚର୍ଚ୍ଚା ହେଉଛି ।

ଅବଶ୍ୟ ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସିଧାସଳଖ ଦଳୀୟ ନେତାମାନଙ୍କୁ ନିୟମିତ ଭେଟୁଥିବା ଜଣାପଡ଼ିଛି । ଆଉ ଦଳ ନିଜର ଅଭିଜ୍ଞ ନେତାମାନଙ୍କୁ ଆଗକୁ ଆଣି ପ୍ରତିକ୍ରିୟା ମଧ୍ୟ ରଖୁଛି । କିନ୍ତୁ ସଂଗଠନ କିଭଳି ଆଗକୁ ବଢ଼ିବ ଓ ତୃଣମୂଳସ୍ତରର କର୍ମୀମାନଙ୍କ ମନୋବଳ କିଭଳି ବୃଦ୍ଧି ପାଇବ ସେ ନେଇ ଦଳ ନିରବ ରହିଛି ।

ବିଜେଡି ସୂତ୍ର ଅନୁସାରେ, ଯେଉଁ ପାଣ୍ଡିଆନ ଓ ବବିଙ୍କ ଗର୍ବ-ଅହଙ୍କାର ଓ ଏକଛତ୍ରବାଦୀ ନୀତି ସହ କଦର୍ଯ୍ୟ ବ୍ୟବହାର ଯୋଗୁ ଓଡ଼ିଶାବାସୀ ବିଜେଡିକୁ ପ୍ରତ୍ୟାଖାତ କଲେ ଏବେ ସେହି ପାଣ୍ଡିଆନ ଓ ବବି ଯୋଡ଼ି ନବୀନଙ୍କୁ ମୋହରା କରି ନିଜର ଟିମ୍ ମାଧ୍ୟମରେ ଦଳ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି । ଖାସ୍ ଏହି କାରଣରୁ ଶେଷମୁହୂର୍ତ୍ତରେ ବିରୋଧୀ ଦଳର ‘ଉପମୁଖ୍ୟ ସଚେତକ’ ଭଳି ଅଣସମ୍ବିଧାନିକ ପଦବୀରେ ବବି ନିଜର ଖାସ୍ ଅନୁଗତ ପ୍ରତାପ ଦେବଙ୍କୁ ଥଇଥାନ କରିଥିବା ଚର୍ଚ୍ଚା ହେଉଛି । ବବିଙ୍କ ଇଙ୍ଗିତରେ ଶ୍ରୀ ଦେବ ନିଜ ସରକାରୀ କ୍ୱାର୍ଟର୍ସରେ ନିର୍ଦ୍ଦିଷ୍ଟ ବର୍ଗର ଦଳୀୟ ନେତାମାନଙ୍କୁ ଡାକି ନିୟମିତ ମନ୍ତ୍ରଣା କରୁଥିବାରୁ ଏହା ପରୋକ୍ଷରେ ବିଜେଡିର ବିଭାଜନର କାରଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଜଣାପଡ଼ିଛି । ଆଉ ପାଣ୍ଡିଆନ-ବବି ଯୋଡ଼ିଙ୍କ ଏଭଳି କାର୍ଯ୍ୟ ହିଁ ଏବେ ବିଜେଡିରେ ଗୋଷ୍ଠୀକନ୍ଦଳକୁ ତୀବ୍ର କରିବାରେ ଲାଗିଥିବା ସୂଚନା ମିଳିଛି ।

Related story