Advertisment

ଆସନ୍ତାକାଲି ଦିଲ୍ଲୀ ଯିବେ କଂଗ୍ରେସ ଓ ବିଜେପି ନେତା, ଚୂଡ଼ାନ୍ତ କରିବେ ନିର୍ବାଚନୀ ରଣନୀତି

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବ ବୋଲି ଜଣାପଡ଼ିଛି । ଏହି ଟିମରେ ବିଜେପିର ସମସ୍ତ ୨୨ଜଣ ବିଧାୟକଙ୍କ ସମେତ ଦଳର କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହେବେ ।

author-image
Ordigital Desk
BJP and Congress

BJP and Congress

ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ନିର୍ବାଚନୀ ରଣନୀତି ଚୂଡ଼ାନ୍ତ କରିବେ । ଏଥିପାଇଁ ରାଜ୍ୟରେ ଦୁଇ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଭିନ୍ନ ଭିନ୍ନ ଭାବେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି କରିବ ସେ ନେଇ ଦୁଇ ଦଳର ରାଜ୍ୟ ନେତାମାନେ ଦିଲ୍ଲୀରେ ନିଜ ନିଜର ହାଇକମାଣ୍ଡଙ୍କ ସହ ବିଚାରବିମର୍ଶ କରିବେ ବୋଲି ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, କଂଗ୍ରେସ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତାକାଲି କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ୨୦ତାରିଖରେ ଦିଲ୍ଲୀରେ ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଯୋଗ ଦେବାକୁ ଓଡ଼ିଶାରୁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ପଂଚାନନ କାନୁନଗୋ, ବିଜୟ ପଟ୍ଟନାୟକ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଗଣେଶ୍ୱର ବେହେରାଙ୍କ ସମେତ ମୋଟ ୧୮ଜଣ ନେତା ଦିଲ୍ଲୀ ଯିବେ ବୋଲି ପିସିସି ସୂତ୍ରରୁ ସୂଚନା ମିଳିଛି । ଏହି ବୈଠକରେ ମୁଖ୍ୟତଃ ରାଜ୍ୟରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ହେବା ସହ ଆଗାମୀ ନିର୍ବାଚନରେ ଦଳ ଓଡ଼ିଶାରେ କେଉଁ ଢଙ୍ଗରେ ମଇଦାନକୁ ଓହ୍ଲାଇବ ତାହା ଚୂଡ଼ାନ୍ତ ହେବ । ଏହି ନେତାମାନେ ଦିଲ୍ଲୀ ରହଣୀବେଳେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ କଂଗ୍ରେସ ବହୁ ପୂର୍ବରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିସାରିଛି । ଜୁଲାଇ ମାସରେ ନିଜର ଇସ୍ତାହାର କମିଟି ଗଠନ କରିଥିବା କଂଗ୍ରେସ ଆଗୁଆ ପ୍ରାର୍ଥୀ ଚୟନ ପ୍ରକ୍ରିୟା ମଧ୍ୟ କରିସାରିଛି ।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବ ବୋଲି ଜଣାପଡ଼ିଛି । ଏହି ଟିମରେ ବିଜେପିର ସମସ୍ତ ୨୨ଜଣ ବିଧାୟକଙ୍କ ସମେତ ଦଳର କିଛି ବରିଷ୍ଠ ନେତା ମଧ୍ୟ ସାମିଲ ହେବେ । ସଂସଦ ଅଧିବେଶନ ଚାଲୁଥିବାରୁ ଦିଲ୍ଲୀରେ ଥିବା ରାଜ୍ୟର ଦଳୀୟ ସାଂସଦମାନେ ମଧ୍ୟ ଏହି ନେତାମାନଙ୍କ ସହ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

Advertisment

ବିଜେପିର ଏହି ନେତାମାନେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ଏହି ଟିମ୍ ୨୪ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିବାରୁ ତା’ପୂର୍ବରୁ ଏହି ନେତାମାନେ କେନ୍ଦ୍ରରେ ଥିବା ଦଳର ବରିଷ୍ଠ ନେତାମାନଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି । ଏହି ଗସ୍ତ ସମୟରେ ରାଜ୍ୟ ନେତାମାନେ ଆଗାମୀ ନିର୍ବାଚନରେ ଦଳ କେଉଁଭଳି ଆଭିମୁଖ୍ୟ ରଖି ଲଢ଼େଇ କରିବ ତାହା ଚୂଡ଼ାନ୍ତ କରିବେ । ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେଡି ସମସ୍ତ ପ୍ରସଙ୍ଗରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇ ଆସୁଥିବାରୁ ରାଜ୍ୟରେ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଏହି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନେବାକୁ ରାଜ୍ୟର ନେତାମାନେ ନିଜର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଜେଡି ନିଜର ନିର୍ବାଚନୀ ରଣନୀତି ଜୋରଦାର କରିଥିବାବେଳେ ଏବେ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ନିଜ ନିର୍ବାଚନୀ ରଣନୀତି ଚୂଡ଼ାନ୍ତ ନିମନ୍ତେ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଭିକେ ପାଣ୍ଡିଆନ ଏବେ ଦ୍ୱିତୀୟ ପର୍ଯ୍ୟାୟ ଜିଲ୍ଲା ଗସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୂର୍ବରୁ ନିଜର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରିଥିବା ପାଣ୍ଡିଆନ ଏବେ ଦ୍ୱିତୀୟ ଦଫା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଗତକାଲି ଗଞ୍ଜାମ ଓ ଆଜି କେନ୍ଦ୍ରାପଡ଼ା ଗସ୍ତ କରି ଲୋକଙ୍କୁ ଭେଟିଛନ୍ତି ।

Bjp State Bjp Congress Odisha Congress