ବିରୋଧୀ ବିଜେଡି ଓ କଂଗ୍ରେସର ବର୍ଜନ ଧମକ ପରେ ୧୭ତାରିଖରୁ ବିଧାୟକମାନଙ୍କ ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆଜି ପୁଣିଥରେ ବିଧାନସଭା ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଏହି କାର୍ଯ୍ୟକ୍ରମର ଅତିଥି ତାଲିକାରୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିବାବେଳେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜୁ ଉଦଘାଟନ କରିବେ ବୋଲି ସଂଶୋଧିତ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ତେବେ ବିଜେଡି ପୁଣିଥରେ ନିଜର ବର୍ଜନ ନିଷ୍ପତ୍ତିକୁୁ ଦୋହରାଇ ଦଳ କୌଣସି ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ବିଧାନିକ ପଦମର୍ଯ୍ୟାଦା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଉଥିବା କହିଛି । ଆଉ କଂଗ୍ରେସ ନିଜର ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ପରେ ନିଷ୍ପତ୍ତି ଜଣାଇବ ବୋଲି କହିଛି ।
ଆଜି ବିଧାନସଭା ପକ୍ଷରୁ ସମସ୍ତ ବିଧାୟକମାନଙ୍କୁ ୧୭ ତାରିଖରୁ ଆରମ୍ଭ ହେଉଥିବା ଦୁଇଦିନିଆ ପ୍ରଶିକ୍ଷଣ ଶିବିରର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛନ୍ତି । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ପ୍ରଶିକ୍ଷଣ ଶିବିରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବର୍ତ୍ତେ କେନ୍ଦ୍ରମନ୍ତ୍ରୀ କିରେନ ରୁଜୁ ଉଦଘାଟନ ଏବଂ ୧୮ତାରିଖରେ ଉଦଯାପନୀ ଅଭିଭାଷଣ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ପରିବର୍ତ୍ତେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କରିବେ ବୋଲି ଉଲ୍ଲେଖ ରହିଛି । ତେବେ ପୂର୍ବରୁ ଜାରି କାର୍ଯ୍ୟସୂଚୀ ଅନୁସାରେ ବାକି ଅତିଥି ଓ କାର୍ଯ୍ୟକ୍ରମକୁ ଅପରିବର୍ତ୍ତିତ ରଖାଯାଇଛି ।
ବିଧାୟକମାନଙ୍କ ପାଇଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଜନୀତିକରଣ କରାଯାଇଥିବା ଅଭିଯୋଗ ଆଣି ଗତକାଲି ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ବର୍ଜନ କରିବେ ବୋଲି ଚେତାବନୀ ଦେବାପରେ ଆଜି ବିଧାନସଭା ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଏଥିରେ ଧର୍ମେନ୍ଦ୍ର ଓ ଜେପି ନଡ୍ଡାଙ୍କୁ ଅତିଥି ତାଲିକାରୁ ବାଦ୍ ଦିଆଯାଇଛି ।
ତେବେ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ପରେ ବିଜେଡି ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ, “ ଆମେ କୌଣସି ବ୍ୟକ୍ତିବିଶେଷଙ୍କୁ ବିରୋଧ କରୁନାହୁଁ । ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ ନଷ୍ଟ କରାନଯାଉ ବୋଲି ଗତକାଲି ସରକାରଙ୍କୁ ସଚେତନ କରାଇଥିଲୁ । ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଥାଉଥାଉ ବିଧାନସଭାରେ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ କାହିଁକି ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଗୃହର ନେତା ମୁଖ୍ୟମନ୍ତ୍ରୀ ଅଛନ୍ତି, ବାଚସ୍ପତି ବି ଅଛନ୍ତି । କିନ୍ତୁ ପୁଣିଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ ବୋଲି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଯେହେତୁ ଗୃହର ଗାରିମା ନଷ୍ଟ କରାଯାଉଛି ଓ ଏକ ଭୁଲ୍ ପରମ୍ପରା ସୃଷ୍ଟି ହେଉଛି ତେଣୁ ବିଜେଡି ଏଥିରେ ସାମିଲ ହେବନି । ବିରୋଧ କୌଣସି ବ୍ୟକ୍ତିବିଶେଷଙ୍କୁ ନୁହେଁ ବରଂ ସମ୍ବିଧାନିକ ପଦମର୍ଯ୍ୟାଦାକୁ ନଷ୍ଟ କରାଯିବାକୁ ବିଜେଡି ବିରୋଧ କରୁଛି ।”
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ, “ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସରକାର ରାଜନୀତିକରଣ କରୁଛନ୍ତି । ତେଣୁ କଂଗ୍ରେସ ଏହାକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଭାପତିଙ୍କୁ ଆଣି କାର୍ଯ୍ୟକ୍ରମ କରାଯିବାକୁ ଦଳ ନାପସନ୍ଦ କରୁଛି । ମାତ୍ର ଆଜି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଦଳର ବରିଷ୍ଠ ନେତାମାନଙ୍କ ସହ ଏଦିଗରେ ବିଚାରବିମର୍ଶ ପରେ ଯାହାକିଛି ନିଷ୍ପତ୍ତି ନିଆଯିବ” ବୋଲି ଶ୍ରୀ କାଡ଼ାମ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ପ୍ରାୟ ୪୫ମିନିଟ୍ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ ଉତ୍ସବରେ ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବେ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ଏହି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେପି ସାଂସଦ ଭର୍ତ୍ତୃହରି ମହତାବ, ବିଜେଡି ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ଡକାଯାଇଛି ।
ଅନ୍ୟପକ୍ଷରେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଗୁରୁବାର ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖି ତାଙ୍କ ଦଳ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି । ଯେହେତୁ କେନ୍ଦ୍ରମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ ତଥା ଓଡ଼ିଶା ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ପଦମର୍ଯ୍ୟାଦାକୁ କ୍ଷୂଣ୍ଣ କରାଯାଉଛି ସେଥିପାଇଁ ବିଜେଡି ଏଭଳି ନିଷ୍ପତ୍ତି ନେଇଥିବା ସେ ତାଙ୍କ ଚିଠିରେ ଅବଗତ କରାଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।