Advertisment

ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ ରଦ୍ଦ, ସଂଶୋଧନର ପୁନର୍ବିଚାର ପାଇଁ ଫେରାଇଲା କ୍ୟାବିନେଟ୍‌

ଏହି ଅଧିନିୟମକୁ ସଂଶୋଧନ ପାଇଁ ଟ୍ରାଇବାଲ୍ ଆଡଭାଇଜରି କାଉନସିଲ୍ ନିକଟକୁ ପଠା ଯାଇଥିବା ଆଜି ଗୃହରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

ଅଦ୍ୟତନ ହୋଇଛି
LokaSeba Bhaban

LokaSeba Bhaban

Advertisment

ରଦ୍ଦ ହେଲା ଆଦିବାସୀ ଜମି ହସ୍ତାନ୍ତର ଅଧିନିୟମ। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ କ୍ୟାବିନେଟ୍। ଏହି ନିଷ୍ପତ୍ତି ପାଇଁ କିଛି ଦିନ ଧରି ବିରୋଧୀଙ୍କ ଟାର୍ଗେଟକୁ ଚାଲି ଆସିଥିବା ରାଜ୍ୟ ସରକାର ଶେଷରେ ଏହାକୁ ପ୍ରଶମିତ କରିବାକୁ ଉଦ୍ୟମ କରିଛନ୍ତି। ଏହି ଅଧିନିୟମକୁ ସଂଶୋଧନ ପାଇଁ ଟ୍ରାଇବାଲ୍ ଆଡଭାଇଜରି କାଉନସିଲ୍ ନିକଟକୁ ପଠା ଯାଇଥିବା ଆଜି ଗୃହରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ।

Advertisment

ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ପୁନର୍ବିଚାର ହେବ ଆଦିବାସୀ ଜମି ହସ୍ତାନ୍ତର ଅଧିନିୟମ ସଂଶୋଧନ ନିଷ୍ପତ୍ତି। ପୁନର୍ବିଚାର ତଥା ତର୍ଜମା ପାଇଁ ଏହାକୁ ଆଦିବାସୀ ଉପଦେଷ୍ଟା ପରିଷଦ ନିକଟକୁ ପଠା ଯାଇଥିବା ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାନସଭାରେ ତାଙ୍କର ଏପରି ଘୋଷଣାରୁ ନଭେମ୍ବର ୧୪ ତାରିଖର ଏସଂକ୍ରାନ୍ତ କ୍ୟାବିନେଟ୍‌ ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି ବୋଲି ବିଶ୍ୱାସ କରାଯାଉଛି। ତେବେ ମନ୍ତ୍ରୀ ବିଧାନସଭାରେ କାହିଁକି ଏହା ପ୍ରତ୍ୟାହୃତ ହେଲା ବୋଲି କହିଲେନି ତାହା ସନ୍ଦେହଜନକ।

ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରେଗୁଲେସନ-୨,୧୯୫୬ର ସଂଶୋଧନ ପ୍ରସ୍ତାବ (ଆଦିବାସୀଙ୍କ ଜମିକୁ କିଣିପାରିବେ ଅଣଆଦିବାସୀ)କୁ ମଞ୍ଜୁରୀ ମିଳିଥିଲା। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। ମାତ୍ର ଏହି ବିବାଦୀୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବା ଦିନଠାରୁ ହିଁ ବିବାଦ ଆରମ୍ଭ ହୋଇଥିଲା।

Advertisment

ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଏହି ଆଦିବାସୀ ମାରଣ ନୀତି ଲାଗି କଡ଼ା ଭାଷାରେ ସମାଲୋଚନା କରିଥିଲେ। ଏହାଦ୍ୱାରା ଆଦିବାସୀଙ୍କ ଜମି ସୁରକ୍ଷିତ ରହିବ ନାହିଁ ବରଂ କମ୍ ଦାମରେ ଅନ୍ୟମାନେ ଜମିକୁ ହଡ଼ପ କରିନେବେ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ଏହି ସମ୍ପ୍ରଦାୟ ଯେ ସମ୍ପୂର୍ଣ୍ଣ ଭୂମିହୀନ ହୋଇଯିବେ ସେ ଆଶଙ୍କାକୁ ବି ଏଡ଼ା ଯାଇ ନପାରେ ବୋଲି ଅଭିଯୋଗ ଉଠିଥିଲା।

ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇପାରିବ ବୋଲି କ୍ୟାବିନେଟ୍ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବିଜେପି ଦାବି କରିଥିଲା। କେବଳ ଜମି ମାଫିଆ ଓ ଠିକାଦାରଙ୍କ ହାତରେ ଗରିବ ଆଦିବାସୀଙ୍କ ଜମିକୁ ଟେକି ଦେବାକୁ ରାଜ୍ୟ ସରକାର ଏଭଳି ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା। ସରକାରଙ୍କ ଏଭଳି ଆଦିବାସୀ ବିରୋଧୀ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ବିଜେପି ଦୃଢ଼ ବିରୋଧ କରିବା ସହ କେଉଁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଫାଇଦା ନେବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲା। ରାଜ୍ୟ ସରକାର ଆଣିଥିବା ଏହି ନିୟମ ଲାଗୁ ହେଲେ ଆଦିବାସୀମାନେ ନିଜର ଜମି ହରାଇବା ସହ ଜୀବିକା ମଧ୍ୟ ହରାଇବେ। ତେଣୁ ବିଜେଡି ସରକାର ନିଜର ଆଦିବାସୀବିରୋଧୀ ମନୋଭାବକୁ ପ୍ରତ୍ୟାହାର ନକଲେ ବିଜେପି ଆଗାମୀ ଦିନରେ ସବୁ ଆଦିବାସୀ ସମାଜକୁ ସାଙ୍ଗରେ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା।

କ୍ୟାବିନେଟର ଏହି ନିଷ୍ପତ୍ତିକୁ କଂଗ୍ରେସ ମଧ୍ୟ ଦୃଢ଼ ବିରୋଧ କରିଥିଲା। ଆଦିବାସୀମାନଙ୍କ ଜମିକୁ ଲୁଟ୍ ପାଇଁ ଏଭଳି ସରକାରୀ ଷଡ଼ଯନ୍ତ୍ର ହୋଇଛି ବୋଲି କହି ରାଜ୍ୟ ସରକାରଙ୍କୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କଡ଼ା ଭାଷାରେ ସମାଲୋଚନା କରିଥିଲେ।

ବିରୋଧୀଙ୍କ ବାରମ୍ୱାର ଆକ୍ରମଣ ପରେ ନଭେମ୍ବର ୧୪ ତାରିଖର କ୍ୟାବିନେଟ୍ ନିଷ୍ପତ୍ତିକୁ ୧୬ ତାରିଖରେ ସ୍ଥଗିତ ରଖାଗଲା ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋଶାଲ ମିଡିଆରେ ଘୋଷଣା କଲେ। ତେବେ କ୍ୟାବିନେଟ୍‌ ନିଷ୍ପତ୍ତିକୁ ଜଣେ ମନ୍ତ୍ରୀ ବା ବିଭାଗୀୟ ସଚିବ ସ୍ଥଗିତ କରିପାରିବେ ନାହିଁ ବୋଲି ପୁଣି ଥରେ ବିରୋଧୀ ଆଲୋଚନା କରିବାକୁ ଶେଷରେ ନଭେମ୍ବର ୨୪ ତାରିଖ ସକାଳେ କ୍ୟାବିନେଟ୍‌ ବୈଠକ ବସି ୧୪ ତାରିଖର କ୍ୟାବିନେଟ୍‌ ନିଷ୍ପତ୍ତି ରଦ୍ଦ କରିବା ସହିତ ଏହି ଅଧିନିୟମରେ ପୁନର୍ବାର ସଂଶୋଧନ ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି।

ଆଦିବାସୀ ଜମି ବିକ୍ରି ପ୍ରସଙ୍ଗକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠେଇବାର ଆବଶ୍ୟକତା ନଥିଲା ବୋଲି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ କହିଛନ୍ତି, ଚାହିଁଥିଲେ କ୍ୟାବିନେଟ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରିଥାନ୍ତା। ଯେହେତୁ ଆଜି ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା, ତେଣୁ ତରବରିଆ ଭାବେ ପୁନର୍ବିଚାର କରିବାକୁ କହିଛନ୍ତି ରାଜ୍ୟ ସରକାର। ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ ସ୍ଥିତିକୁ ଗୋଳମାଳିଆ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିବା ସେ କହିଛନ୍ତି।

Odisha Assembly Lokaseva Bhaban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe