Advertisment

ବାଚସ୍ପତି ନିର୍ବାଚନ: ଟିଏମସି ଓ କଂଗ୍ରେସ ମଧ୍ୟରେ ଫାଟ!

ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ ଏନଡିଏ ଗ୍ରହଣ କରି ନଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାର୍ଥୀ ଦେଇଥିବା କହିଛନ୍ତି।

author-image
Hemant Lenka
TMC

TMC

ସ୍ୱାଧୀନତା ପରେ ପ୍ରଥମଥର ପାଇଁ ସମ୍ଭବତଃ ଲୋକସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୮ ଥରର ସାଂସଦ କେ ସୁରେଶଙ୍କୁ ତାଙ୍କ ସାମ୍ନାରେ ରଖିଛି।

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆର ଦାବିକୁ ଏନଡିଏ ଗ୍ରହଣ କରି ନଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାର୍ଥୀ ଦେଇଥିବା କହିଛନ୍ତି। ଅବଶ୍ୟ ଏନଡିଏ ପାଖରେ ସଂଖ୍ୟା ରହିଥିବାରୁ ବାଚସ୍ପତି ପଦ ମେଣ୍ଟ ପାଖକୁ ଯିବ। କିନ୍ତୁ ପ୍ରଥମଥର ଏହି ପଦ ପାଇଁ ନିର୍ବାଚନ ହେବ।

ଅନ୍ୟପକ୍ଷରେ କଂଗ୍ରେସ କେ ସୁରେଶଙ୍କୁ ପ୍ରାର୍ଥୀ କରିବା ପରେ ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟ ଟିଏମସି ଅସନ୍ତୋଷ ପ୍ରକାଶ କରିଛି। କେ ସୁରେଶଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଏକ ପାକ୍ଷିଆ ନିଷ୍ପତ୍ତି ବୋଲି ମମତା ବାନାର୍ଜୀଙ୍କ ଦଳ ଅଭିଯୋଗ କରିଛି।

Advertisment

ତେବେ କଂଗ୍ରେସର କହିବା କଥା ଯେ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ହୋଇଥିଲା। ମଧ୍ୟାହ୍ନ ଡେଡ ଲାଇନର ୧୦ ମିନିଟ ପୂର୍ବରୁ ସୁରେଶ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେଣୁ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିନାହିଁ।

ପ୍ରାର୍ଥିପତ୍ର ଦାଖଲ ପରେ ସୁରେଶ ଟିଏମସି ସଦସ୍ୟମାନଙ୍କୁ ପାଖକୁ ଯାଇ ସମର୍ଥନ କାମନା କରିଛନ୍ତି। ଟିଏମସିର ସେକେଣ୍ଡ ଇନ କମାଣ୍ଡ ଅଭିଷେକ ବାନାର୍ଜୀଙ୍କ ସହ ରାହୁଲ ଗାନ୍ଧି ମଧ୍ୟ କଥା ହୋଇଛନ୍ତି। କ’ଣ ପାଇଁ ବିନା ଆଲୋଚନାରେ ସୁରେଶଙ୍କୁ ପ୍ରାର୍ଥୀ କରାଗଲା, ସେକଥା ରାହୁଲ ଗାନ୍ଧି ବିସ୍ତୃତ ଭାବେ ଅଭିଷେକଙ୍କୁ ବୁଝାଇଛନ୍ତି।

ବରିଷ୍ଠ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ”ଦଳ ସହ ଆଲୋଚନା ହୋଇନି। ମୁଁ ଟିଭିରୁ ଦେଖିଲି ଓ ଏ ସମ୍ପର୍କରେ ଜାଣିଲି। ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ ମଧ୍ୟ ମୋ ପାଖକୁ ଆସିଥିଲେ ଓ ଏ ବିଷୟରେ ପଚାରିଥିଲେ।

ମୁଁ ତାଙ୍କୁ ଆଲୋଚନା ହୋଇ ନଥିବା କହିଥିଲି। କଂଗ୍ରେସ ଏହା ପଛର କାରଣ ଆମକୁ କହିବା ଦରକାର।” କ’ଣ ଟିଏମସି ସାଂସଦମାନେ କେ ସୁରେଶଙ୍କୁ ସମର୍ଥନ କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, “ଆମେ ଗୋଟିଏ ବୈଠକ କରିବୁ। ଏ ସମ୍ପର୍କରେ ଆଲୋଚନା ହେବ। ଆମ ନେତା ଏହା ଉପରେ ନିଷ୍ପତ୍ତି ନେବେ। ଦଳର ନିଷ୍ପତ୍ତି ଅନୁସାରେ ପଦକ୍ଷେପ ନିଆଯିବ।”

ବରିଷ୍ଠତା ଭିତ୍ତିରେ କେ ସୁରେଶ ଲୋକସଭାର ପ୍ରୋଟେମ ସ୍ପିକର ହେବା କଥା। କିନ୍ତୁ ବିଜେପି କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପଦ ଦେଇଥିଲା। ସେହିପରି ବିରୋଧୀ ପରମ୍ପରା ଅନୁସାରେ ଉପ ବାଚସ୍ପତି ପଦ ମାଗିଥିଲେ। କିନ୍ତୁ ସରକାର ଏହାକୁ ଅଣଦେଖା କରିଥିଲେ। ତେଣୁ ବିରୋଧୀ ବାଚସ୍ପତି ପଦର ନିର୍ବାଚନ କରିବାକୁ ସରକାରଙ୍କୁ ବାଧ୍ୟ କରିଛନ୍ତି।

Rahul Gandhi TMC Lok Sabha Session Lok Sabha Election 2024 K Suresh