Advertisment

ନବ ଦାସ ହତ୍ୟାକାଣ୍ଡକୁ ନେଇ ଦୁଇ ନେତ୍ରୀଙ୍କ ଟ୍ୱିଟ ୱାର

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତି ଗଲାଣି। ଏହି ମାମଲାରେ ଆଜି ପଦ୍ମପୁର ବିଧାୟକ ବର୍ଷା ସିଂ ବରିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Barsha And Arpita

Barsha And Arpita

ଦୁଇ ନେତ୍ରୀଙ୍କ ଟ୍ୱିଟ୍‌ ୱାର। ସୋଶାଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା ଓ ବିଜେପି ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା। ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ ବର୍ଷା ବିଜେପିକୁ ଟାର୍ଗେଟ କରିଥିବା ବେଳେ ବିଜେଡିର ଅପରାଧିକ ସାମ୍ରାଜ୍ୟର ଲମ୍ୱା ତାଲିକା ଦେଇ ଘାଇଲା କରିଛନ୍ତି ଅର୍ପିତା। ଦୁଇ ଯୁବ ନେତ୍ରୀଙ୍କ ଏପରି ବାକ୍ୟଯୁଦ୍ଧକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତି ଗଲାଣି। ଏହି ମାମଲାରେ ଆଜି ପଦ୍ମପୁର ବିଧାୟକ ବର୍ଷା ସିଂ ବରିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, @dpradhanbjp ବାବୁ, ଗତ କିଛି ଦିନ ହେଲା ଆପଣଙ୍କ ଦଳର କେତେକ ନେତା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। 

Advertisment

ବର୍ଷା ଆହୁରି ଲେଖିଛନ୍ତି, ଯେତେବେଳେ ମୋ’ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ରାଜ୍ୟ ବିଜେପିର କିଛି ନେତା ଏପରି କରିଥିଲେ। ସେହି ସମୟରେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି। ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ ଦୁଃଖ ଦେଇଥିଲା। ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି। ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ? ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟାକରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ମୃତ ବ୍ୟକ୍ତିଙ୍କ ସଂପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ ବୋଲି ବର୍ଷା ଲେଖିଛନ୍ତି।

ବର୍ଷାଙ୍କୁ ଟ୍ୱିଟ୍‌ରେ ଜବାବ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ଉପସଭାପତି ଅର୍ପିତା ଅପରାଜିତ ବଡ଼ଜେନା। ସେ ଟ୍ୱିଟ୍‌ରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, @Barsha_bariha ଅପା, ଆପଣ ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କହିଛନ୍ତି, ସେ କଥା ହେଉଛି ନିରାଧାର। ଆମ ଦଳର କେବେ ସଂସ୍କାର ନୁହେଁ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା। ଆପଣ ଏହି ଟୁଇଟ କରିବା ପୂର୍ବରୁ ଯିଏ ଏହି ଟୁଇଟ ତିଆରି କରି ଆପଣଙ୍କୁ ଦେଇଛନ୍ତି, ତାଙ୍କୁ ଥରେ ପଚାରିବାର ଥିଲା। ଓଡ଼ିଶାରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁଙ୍କ ଅବସ୍ଥା ଆଜି କ’ଣ ଅଛି? ଆପଣଙ୍କ ନିର୍ବାଚନମଣ୍ଡଳୀରେ ଏହାର ଅବସ୍ଥା ଆପଣ ବୁଲିବା ବେଳେ ଦେଖୁଥିବେ? ଏହାର ପ୍ରତିକାର କରିବା ପାଇଁ ଆପଣଙ୍କ ସରକାର, ଆପଣଙ୍କ ନେତା କେବେ ଚିନ୍ତା କରିଛନ୍ତି କି? କିନ୍ତୁ କଣ୍ଟାବାଡ଼ରେ ଲୁଗା ପକାଇ ଝଗଡା କରିବା ଆପଣଙ୍କ ଦଳର ପୁରୁଣା ଅଭ୍ୟାସ ବୋଲି ଅର୍ପିତା ଅପରାଜିତ ବଡ଼ଜେନା ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, କଳାହାଣ୍ଡି ଜିଲ୍ଲାର ମମିତା ମେହେର ଭଉଣୀ କଣ କରିଥିଲେ? ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଗଲା। ଏଥିରେ ଆପଣଙ୍କ ଦଳର ସେତେବେଳର ମନ୍ତ୍ରୀ ସମ୍ପୃକ୍ତି ଅଛନ୍ତି କି ନାହିଁ? ହତ୍ୟାକାରୀ ଆଜି ବାହାରେ ବୁଲୁଛନ୍ତି, ତଦନ୍ତ ଆଜି ଦିଗହରା ହୋଇଛି। ପୁରୀ ଜିଲ୍ଲା ନିମାପଡ଼ାର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଲା। ଏଥିରେ ଯେଉଁଭଳି ଭାବେ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀଙ୍କ ନାଁ ଆସିଲା ତାହା ସତ ନା ମିଛ? ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ କେମିତି ହେଲା? ଆପଣ ତ ପୁରୀ ଜିଲ୍ଲାର ବୋହୂ ଟିକେ ପଚାରି ବୁଝନ୍ତୁ।

@Barsha_bariha ଅପା, ଆପଣଙ୍କ ଦଳ @bjd_odishaର ତିର୍ତ୍ତୋଲ ବିଧାୟକ @B_Jay_Das07 ବିଜୟଶଙ୍କର ଦାସ କାହିଁକି ବିଧାନସଭାକୁ ଆସୁନାହାନ୍ତି ଟିକେ ଫୋନ କରି ବୁଝିଲେ ଭଲ ହୁଅନ୍ତା। ସୋମାଲିକା ଭଉଣୀ ଆମଭଳି ଜଣେ ଝିଅ। ସେ ଆଜି ଯେଉଁ କଥା ଉଠାଇଛନ୍ତି ତାଙ୍କୁ ନ୍ୟାୟ ଦେବାପାଇଁ ଆପଣଙ୍କ ସରକାର କାହିଁକି ପଛାଉଛନ୍ତି? ଆପଣ ତ କହୁଛନ୍ତି ଆପଣଙ୍କ ସରକାର ଟ୍ରାନ୍ସପାରେଣ୍ଟ ସରକାର। ଫାଇଭ ଟିର ସରକାର। ଏ ନୀରିହ ଝିଅକୁ ନ୍ୟାୟ ଦେବାରେ କୁଆଡେ ଗଲେ ଆପଣଙ୍କ 1 ନମ୍ବର ପ୍ରଶାସକ ବୋଲି ପ୍ରଶ୍ନ କରିଛନ୍ତି ଅର୍ପିତା ଅପରାଜିତ ବଡ଼ଜେନା।

BjD Bjp State Bjp Bjd Leader Barsha Singh Bariha Naba Das Murder