Advertisment

ଚର୍ଚ୍ଚାରେ ଦୁଇ ବିଜେଡି ସାଂସଦ: ଜଣେ ଜାତି ଓ ମହିଳା କାର୍ଡ ଖେଳିଲେ, ଆଉ ଜଣେ ପତ୍ନୀଙ୍କୁ ମନକଥା ଲେଖି ଲିଭାଇଦେଲେ

ସାର୍ବଜନୀନ ଜୀବନରେ ରହୁଥିବା ଜଣେ ଲୋକପ୍ରତିନିଧିଙ୍କ ସମ୍ପର୍କରେ ଗଣମାଧ୍ୟମ କେଉଁ ଢଙ୍ଗରେ ଖବର ପରିବେଷଣ କରିବ ତାହା କ’ଣ ରାଜନୀତିକ ବ୍ୟକ୍ତିମାନେ ସ୍ଥିର କରିବେ କି?

author-image
Ordigital Desk
Sulata and Anubhab

Sulata and Anubhab

ବିଜେଡିର ଦୁଇଜଣ ସାଂସଦ ଅନୁଭବ ମହାନ୍ତି ଓ ସୁଲତା ଦେଓ ନିଜର ସୋଶାଲ ମିଡିଆ ପୋଷ୍ଟକୁ ନେଇ ଆଜି ଦିନତମାମ ଚର୍ଚ୍ଚାରେ ରହିଛନ୍ତି । ସାଂସଦ ଅନୁଭବ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତି ଥିବା ଭଲପାଇବାକୁ ସ୍ୱୀକାର କରି ବନ୍ଧୁ ହୋଇ ରହିବାକୁ ସୋଶାଲ ମିଡିଆରେ ଲେଖିଥିବା ପୋଷ୍ଟକୁ ଡିଲିଟ୍ କରିଦେଇଛନ୍ତି । ସେହିପରି ସାଂସଦ ସୁଲତା ଦେଓ ଗଣମାଧ୍ୟମରେ ତାଙ୍କ ସଂକ୍ରାନ୍ତରେ ପରିବେଷଣ ହେଉଥିବା ‘ଖବର’କୁ ନେଇ ଜାତି ଓ ମହିଳା କାର୍ଡ ଖେଳିବା ସହ ଗଣମାଧ୍ୟମ ‘ଆସୁରିକ ମଜା’ ନେଉଛି ବୋଲି କହିଛନ୍ତି ।

Advertisment

ଆଜି ପୂର୍ବାହ୍ନରେ ସାଂସଦ ଅନୁଭବ ମହାନ୍ତି ନିଜ ‘ଏକ୍ସ’ ହ୍ୟାଣ୍ଡଲରରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ପତ୍ନୀ ବର୍ଷାଙ୍କୁ ଟ୍ୟାଗ୍ କରି ଏବେବି ତାଙ୍କ ପ୍ରତି ଥିବା ଭଲପାଇବାକୁ ସ୍ୱୀକାର କରି ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବାକୁ ଅଫର ଦେଇଥିଲେ । ଯେହେତୁ ବିବାହ ବିଫଳ ହୋଇଛି ଓ ବିଚ୍ଛେଦ ସୁନିଶ୍ଚିତ, ତେଣୁ ଏହା ସମ୍ମାନଜନକ ଢଙ୍ଗରେ ହେଉ ବୋଲି ଅନୁଭବ ଚାହିଁଛନ୍ତି ।

ତେବେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଶ୍ରୀ ମହାନ୍ତିଙ୍କ ଏହି ପୋଷ୍ଟ ବେଶ୍ ଭାଇରାଲ ହେବା ସହ ରାଜ୍ୟର ଗଣମାଧ୍ୟମ ବି ଉକ୍ତ ଖବରକୁ ତର୍ଜମା ଓ ବିଶ୍ଲେଷଣ କରି ଖବର ପ୍ରକାଶ କଲେ । କିନ୍ତୁ ମାତ୍ର କିଛି ଘଣ୍ଟା ମଧ୍ୟରେ କୌଣସି କାରଣ ନଦର୍ଶାଇ ଶ୍ରୀ ମହାନ୍ତି ଏହି ପୋଷ୍ଟକୁ ନିଜ ‘ଏକ୍ସ’ ହ୍ୟାଣ୍ଡଲରରୁ ଡିଲିଟ୍ କରିଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି ।

Advertisment

ସେହିପରି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ନିଜ ଫେସବୁକ୍ ଆକାଉଣ୍ଟରେ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ନିଜର ମନକଥା ଲେଖିଛନ୍ତି । ଜାତି ଓ ମହିଳା କାର୍ଡ ଖେଳି ସୁଲତା ସୋଶାଲ ମିଡିଆ ମାଧ୍ୟମରେ ସହାନୁଭୂତି ସାଉଁଟିବାକୁ ପ୍ରୟାସ କରିବା ସହ ଏଇ କିଛି ଦିନ ହେବ କିଛି ମିଡିଆ ତାଙ୍କୁ ଲାଞ୍ଛିତ କରି ଆସୁରିକ ମଜା ନେଉଛନ୍ତି ବୋଲି କହିବାକୁ ପଛାଇ ନାହାନ୍ତି । ନିଜ ଫେସବୁକ୍ ଆକାଉଣ୍ଟ ମାଧ୍ୟମରେ ସେ ଗଣମାଧ୍ୟମକୁ ଭର୍ତ୍ସନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିବାକୁ ଯେଉଁ କୌଶଳ ଆପଣାଇଛନ୍ତି, ତାହା ତାଙ୍କୁ ସୋଶାଲ ମିଡିଆରେ ଅଧିକ ‘ଟ୍ରୋଲ୍‌’ କରାଇବାରେ ଲାଗିଛି । ସୁଲତା ଲେଖିଛନ୍ତି ଯେ, ତାଙ୍କ ଭଳି ଜଣେ ଓବିସି ପିଆରଆଇ (ପଂଚାୟତ ପ୍ରତିନିଧି)ଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରି ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁ ଘଟଣାକୁ ନେଇ ମିଡିଆ ତାଙ୍କୁ ଦୋଷ ଦେଇଛି, ସେଥିରେ କେଉଁଠି ସେମାନେ ତାଙ୍କ ଦୋଷ ଦେଖିଛନ୍ତି ବୋଲି ଓଲଟା ପ୍ରଶ୍ନ କରିବା ସହ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ପଦ ସାଂସଦ ମାନସ ମଙ୍ଗରାଜଙ୍କୁ ଦିଆଯିବା ନିହାତି ଆବଶ୍ୟକ ଥିଲା ବୋଲି ଶ୍ରୀମତୀ ଦେଓ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ସାର୍ବଜନୀନ ଜୀବନରେ ରହୁଥିବା ଜଣେ ଲୋକପ୍ରତିନିଧିଙ୍କ ସମ୍ପର୍କରେ ଗଣମାଧ୍ୟମ କେଉଁ ଢଙ୍ଗରେ ଖବର ପରିବେଷଣ କରିବ ତାହା କ’ଣ ରାଜନୀତିକ ବ୍ୟକ୍ତିମାନେ ସ୍ଥିର କରିବେ କି? ଯଦି କୌଣସି ଖବର ଅତିରଞ୍ଜିତ ଅବା ମିଛ ତଥ୍ୟ ଉପରେ ପର୍ଯ୍ୟବେସିତ କିମ୍ବା ଚରିତ୍ରହନନ କରୁଛି ତା’ର ପ୍ରତିବାଦ କରାଯାଇପାରିବ । କିନ୍ତୁ ‘ଗଣମାଧ୍ୟମ ତାଙ୍କୁ ଲାଞ୍ଛିତ କରି ଆସୁରିକ ମଜା’ ନେଉଛି ବୋଲି ଜଣେ ସାଂସଦ କହିବା କେତେ ଯଥାର୍ଥ ଓ ଏହା କ’ଣ ପରୋକ୍ଷରେ ଗଣମାଧ୍ୟମକୁ କଣ୍ଠରୋଧ କରିବାର ପ୍ରୟାସ ନୁହେଁ କି ବୋଲି ଚର୍ଚ୍ଚା ହେଉଛି । ପୁରୁଷ ଓ ମହିଳାଙ୍କ ମଧ୍ୟରେ ଲିଙ୍ଗଗତ ପାର୍ଥକ୍ୟକୁ ଦୂର ପାଇଁ ଉଭୟ ରାଜ୍ୟ ସରକାର ଓ ବିଜେଡି କାର୍ଯ୍ୟ କରୁଛି ବୋଲି ତାଙ୍କ ଦଳର ନେତାମାନେ ବିଭିନ୍ନ ଫୋରମରେ ଡିଣ୍ଡିମ ପିଟୁଛନ୍ତି । ଆଉ ସେହି ବିଜେଡିର ସାଂସଦ ସୁଲତା ଦେଓ ନିଜକୁ ‘ମହିଳା’ ଦର୍ଶାଇ ଓ ‘ଓବିସି’ ପ୍ରସଙ୍ଗ ଉଠାଇ ସହାନୁଭୂତି ସାଉଁଟିବାକୁ ପ୍ରୟାସ କରି ପରୋକ୍ଷରେ ସେ ନିଜ ଦକ୍ଷତା ଓ ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୨୨ ଜୁନ୍ ମାସରେ ସୁଲତାଙ୍କୁ ପ୍ରାର୍ଥୀ କରିବାବେଳେ ‘ଓବିସି’ କଥା ନବୀନ କହିନଥିଲେ । ଏପରିକି ୨୦୨୨ ଜୁଲାଇ ମାସରେ ସୁଲତାଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଦାୟିତ୍ୱ ନ୍ୟସ୍ତବେଳେ ବି ତାଙ୍କ ଦଳ ‘ମହିଳା କାର୍ଡ’ ଖେଳିନଥିଲା । ଏବେ ପ୍ରାୟ ବର୍ଷକ ପରେ ସେହି ପଦ ଚାଲି ଯିବାପରେ ସୁଲତା  ପ୍ରତିକ୍ରିୟାଶୀଳ ହୋଇ ଗଣମାଧ୍ୟମକୁ ଦୋଷ ଦେବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।

BjD Anubhav Mohanty Social Media Sulota Deo