Advertisment

ଚିକିଟିରେ ପରସ୍ପର ବିରୋଧରେ ଲଢ଼ିବେ ଦୁଇ ଭାଇ

ମନୋରଞ୍ଜନ ଓ ରବୀନ୍ଦ୍ରନାଥଙ୍କ ବାପା ଚିନ୍ତାମଣି ଦ୍ୟାନସାମନ୍ତରାୟ ୧୯୮୦ରେ ସ୍ୱାଧୀନ, ୧୯୮୫ରେ କଂଗ୍ରେସ ଓ ୧୯୯୫ରେ ପୁଣି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Congress

Congress

Advertisment

ଓଡ଼ିଶା ରାଜନୀତିରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ନିର୍ବାଚନ ଥିବା ବେଳେ ପରସ୍ପର ବିରୋଧରେ ଲଢ଼େଇ କରିବେ ଦୁଇ ଭାଇ। ଚିକିଟି ବିଧାନସଭା ଆସନରେ ଦୁଇ ଭାଇ ନିର୍ବାଚନ ରଣକ୍ଷେତ୍ରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।

Advertisment

ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଦୁଇ ପୁଅ ବିଧାନସଭା ନିର୍ବାଚନ ଲଢ଼ିବାକୁ ଗୋଟିଏ ଆସନରୁ ଟିକେଟ ପାଇଛନ୍ତି। ବିଜେପି ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ଭାଇ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟଙ୍କୁ କଂଗ୍ରେସ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି।

ବିଜେପିରୁ ପ୍ରାର୍ଥୀ ହୋଇଥିବା ମନୋରଞ୍ଜନଙ୍କ ନିର୍ବାଚନ ଲଢ଼ିବାର ଅଭିଜ୍ଞତା ରହିଛି। ସେ ପୂର୍ବରୁ ଦୁଇ ଥର ନିର୍ବାଚନ ଲଢ଼ି ପରାସ୍ତ ହୋଇଛନ୍ତି। କିନ୍ତୁ ରବୀନ୍ଦ୍ର ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୧୪ରେ ମନୋରଞ୍ଜନ କଂଗ୍ରେସରୁ ପ୍ରାର୍ଥୀ ହୋଇ ୪୨,୭୦୧ ଭୋଟ ପାଇଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ୫୨, ୭୧୮ ଭୋଟ ପାଇଥିଲେ।

Advertisment

କଂଗ୍ରେସ ପ୍ରାର୍ଥୀ ପାଇଥିଲେ ମାତ୍ର ୩,୭୪୭ ଭୋଟ। ସେ କଂଗ୍ରେସରୁ ଥରେ ଓ ବିଜେପିରୁ ଥରେ ଲଢ଼ି ପରାସ୍ତ ହୋଇଛନ୍ତି। ତଥାପି ୨୦୨୪ ଚିକିଟି ବିଧାନସଭା ଆସନ ପାଇଁ ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିଛି। ସେ ଏଥର ନିଜ ଭାଇ ଓ ବିଜେଡି ପ୍ରାର୍ଥୀଙ୍କୁ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ମନୋରଞ୍ଜନ ଓ ରବୀନ୍ଦ୍ରନାଥଙ୍କ ବାପା ଚିନ୍ତାମଣି ଦ୍ୟାନସାମନ୍ତରାୟ ୧୯୮୦ରେ ସ୍ୱାଧୀନ, ୧୯୮୫ରେ କଂଗ୍ରେସ ଓ ୧୯୯୫ରେ ପୁଣି ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଥିଲେ। ସେ ବିଧାନସଭାରେ ଥରେ ଉପ ବାଚସ୍ପତି ଓ ଆଉ ଥରେ ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ।

୨୦୦୯ରେ ସେ ଶେଷଥର ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ୨୦୧୪ରେ ସେ ନିର୍ବାଚନ ନ ଲଢ଼ି ପୁଅକୁ କଂଗ୍ରେସ ଟିକେଟରେ ପ୍ରୋଜେକ୍ଟ କରିଥିଲେ। ହେଲେ ମନୋରଞ୍ଜନ କଂଗ୍ରେସକୁ ଜିତି ପାରି ନଥିଲେ। କଂଗ୍ରେସ ଟିକେଟ ପାଇ ପରାସ୍ତ ହେବା ପରେ ସେ ବିଜେପିକୁ ଲମ୍ଫ ମାରିଥିଲେ। ବିଜେପି ତାଙ୍କୁ ୨୦୧୯ ଓ ଏବେ ୨୦୨୪ରେ ଚିକିଟି ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।

ଦୁଇ ଭାଇ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ମନୋରଞ୍ଜନଙ୍କ ବଡ଼ ଭାଇ ତଥା କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ରନାଥ କହିଛନ୍ତି, ଆମ ପରିବାର ରାଜନୀତି ଅଲଗା ପ୍ରକାରର। ଯିଏ ଯା ବାଟରେ ରହିଛନ୍ତି। ଏଠାରେ ଲଢ଼େଇ ଜୋରଦାର ହେବ।

ଅନ୍ୟପକ୍ଷରେ ମନୋରଞ୍ଜନ କହିଛନ୍ତି, ଏଥର ଧର୍ମ ଓ ଅଧର୍ମ ମଧ୍ୟରେ ଲଢେଇ ହେବ। ଚିକିଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ୍‌ ହୋଇଛି। ଏଠି କିଭଳି ମନୋରଞ୍ଜନ ଦ୍ୟାନସାମନ୍ତରାୟ ହାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି। ମହାଭାରତରେ ଯେଉଁ ଭଳି ଧୃତରାଷ୍ଟ୍ର ଭୂମିକା ନିର୍ବାହ କରିଥିଲେ ଏଠି ବାପା ସେହିଭଳି ରହିଛନ୍ତି ବୋଲି ମନୋରଞ୍ଜନ କହିଛନ୍ତି।

ଚିକିଟି ରାଜନୀତିରେ ରାଣୀ ଓ ମଣି ପରିବାର ମଧ୍ୟରେ ରାଜନୀତିକ ଲଢ଼େଇ ହେଉଥିଲା। ରାଣୀ ପରିବାର ଜନତା ଓ ପରେ ବିଜେଡିର ନେତୃତ୍ୱ ନେଉଥିବା ବେଳେ ମଣି ପରିବାର କଂଗ୍ରେସ ଧ୍ଵଜା ଧରିଥିଲେ। କିନ୍ତୁ ଏବେ ମଣି ପରିବାରର ଦୁଇ ପୁଅ ପୃଥକ ଦଳରେ ସାମିଲ ହୋଇ ପ୍ରତିଦ୍ଵନ୍ଦ୍ୱିତା କରୁଥିବାରୁ ଚିକିଟି ରାଜନୀତି ରୋଚକ ହେବ ବୋଲି କୁହାଯାଉଛି।

ରାଜନୀତିର ଭୀଷ୍ମପିତାମହ କୁହାଯାଉଥିବା ଚିନ୍ତାମଣି ଦ୍ୟାନସାମନ୍ତରାୟ ଏବେ ବି କଂଗ୍ରେସ ଦଳରେ ରହିଛନ୍ତି। ତାଙ୍କର ଦୁଇ ପୁଅ ଭିନ୍ନଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ ହେଁ ସେ କାହା ପକ୍ଷରେ ନ ଯାଇ କଂଗ୍ରେସ ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି।

Odisha Bjp Congress Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe