ବିଜେଡି ଛାଡ଼ିଲେ ଗଞ୍ଜାମର ଦୁଇ ପୂର୍ବତନ ବିଧାୟକ ଓ ବହୁ କର୍ମୀ

ସାମ୍ବାଦିକ ସମ୍ମିଳନୀ କରି ଏହି ନେତାମାନେଆଜି ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଶଙ୍ଖ ଭବନ

  • Published: Monday, 15 April 2024
  • , Updated: 15 April 2024, 10:14 PM IST

ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦଳର ସାଂଗଠନିକ ପରିଚାଳନାକୁ ନେଇ ଅସନ୍ତୁଷ୍ଟ ହୋଇ ଜିଲ୍ଲାର ଦୁଇଜଣ ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ଓ ହରିହର ସାହୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ସହ ଅନେକ ପୂର୍ବତନ ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ନେତାମାନେଆଜି ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର ଦୁଇଜଣ ପୂର୍ବତନ ବିଧାୟକ ଆଜି ବିଜେଡି ଛାଡ଼ିଛନ୍ତି । ସାଂଗଠନିକ ପରିଚାଳନା ଓ ଟିକେଟ ବଂଟନରେ ମନମୁଖୀ କାର୍ଯ୍ୟକୁ ନେଇ କ୍ଷୁବ୍ଧ ଏହି ଦୁଇ ବିଧାୟକ ସେମାନଙ୍କର ଇସ୍ତଫା ପତ୍ରକୁ ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ, ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ କାଉନସିଲର ଜେ ଶଙ୍କର ନାରାୟଣ ଓ ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ଦୁଇ ପୂର୍ବତନ ବିଧାୟକ ଶ୍ରୀ ସାହାଣୀ ଓ ଶ୍ରୀ ସାହୁ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ସାଂଗଠନିକ କାର୍ଯ୍ୟରେ ସେମାନେ କ୍ରମାଗତ ଅଲୋଡ଼ା ହୋଇ ରହିଲେ । ଗତବର୍ଷ ଡିସେମ୍ବର ମାସରେ ସେମାନେ ନିଜର ଉଦବେଗକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ । ଫେବୃୟାରୀ ୨୮ରେ ମଧ୍ୟ ବ୍ୟକ୍ତିଗତ ଭାବେ ସେମାନେ ବିଜେଡି ନେତା ଭିକେ ପାଣ୍ଡିଆନ ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କୁ ଭେଟିଥିଲେ । ଜିଲ୍ଲାର ସାଂଗଠନିକ କାର୍ଯ୍ୟରେ ସେମାନଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଶ୍ୱସ୍ତ କରିଥିଲେ । ମାତ୍ର ସେଭଳି କିଛି ହେଲାଣି । କିମ୍ବା ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ମିଳିଲା ନାହିଁ । ତେଣୁ ସେମାନେ ଦଳରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଶ୍ରୀ ସାହାଣୀ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମ ରାଜନୀତିରେ ସାମାନ୍ୟ ଅବଦାନ ନଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ଲୋକସଭାରେ ପ୍ରାର୍ଥୀ କରିଛି । ସେପୁଣି ବିଜେପି ଛାଡ଼ିବାର କିଛି ଘଣ୍ଟା ମଧ୍ୟରେ ।  ଏହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି।

ସୂଚନାଯୋଗ୍ୟ, ଶ୍ରୀ ସାହାଣୀ କଂଗ୍ରେସ ଟିକେଟରେ ପ୍ରଥମ ୧୯୮୫ ମସିହାରେ ବ୍ରହ୍ମପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।  ସେହିପରି ୧୯୯୦ ମସିହାରେ ଶ୍ରୀ ସାହୁ ଜନତା ଦଳ ଟିକେଟରେ ହିଞ୍ଜିଳିରୁ ନିର୍ବାଚିତ ହୋଇଥିଲେ । ଉଭୟ ନେତା ୨୦୧୪ ମସିହାରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।

ଶ୍ରୀ ସାହାଣୀ ଓ ଶ୍ରୀ ସାହୁ ଜିଲ୍ଲାର ତୃତୀୟ ଓ ଚତୁର୍ଥ ପୂର୍ବତନ ବିଧାୟକ ଭାବେ ଦଳ ଛାଡ଼ିଛନ୍ତି । ପୂର୍ବରୁ ଛତ୍ରପୁରର ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା ଓ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଥିଲେ।

Related story