Advertisment

ଭୋଗରାଇରେ ମାମୁ-ଭଣଜା ଲଢ଼େଇ, ଅନନ୍ତ ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନି। ଆଗାମୀ ଦିନରେ ଅନନ୍ତ ନିଜ ସମର୍ଥକଙ୍କ ସ‌ହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

author-image
Hemant Lenka
BJD

BJD

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣ କରିଛନ୍ତି। ଏହି ତାଲିକାରେ ଶ୍ରୀ ପଟ୍ଟନାୟକ ବହୁ ପ୍ରତିକ୍ଷୀତ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛନ୍ତି। 

Advertisment

ଆରମ୍ଭରୁ ଏହି ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ୱକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ନବୀନ। ଗୌତମ ସାମ୍ବାଦିକରୁ ରାଜନେତା ବନିଛନ୍ତି। ଏବେ ବିଜେଡି ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଛି।

ତେବେ ପୂର୍ବରୁ କଂଗ୍ରେସ ଅନ୍ୟତମ ସତ୍ୟଶିବ ଦାସଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ସାମ୍ବାଦିକରୁ ରାଜନେତା ବନିବା ପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲେ। ଗୌତମବୁଦ୍ଧ ଓ ସତ୍ୟଶିବ ହେଉଛନ୍ତି ମାମୁ ଓ ଭଣଜା। ତେଣୁ ଭୋଗରାଇରେ ମାମୁ- ଭଣଜାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଗୌତମ ନିଜ ଭଣଜାଙ୍କୂ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭୋଗରାଇ ନିର୍ବାଚନ ମଣ୍ଡଳୀ ୧୯୯୦ ମସିହାରୁ ଅଣ କଂଗ୍ରେସ ହାତରେ ଅଛି। କଂଗ୍ରେସ ଇତିହାସକୁ ବଦଳାଇବା ଲକ୍ଷ୍ୟରେ ରହିଛି। 

ଏଥର ବୟସାଧିକ କାରଣରୁ ୪ଥର ବିଧାୟକ ଅନନ୍ତ ଦାସଙ୍କୁ ଟିକେଟ ମିଳୁ ନଥିବା ପୂର୍ବରୁ ସ୍ପଷ୍ଟ ହୋଇଯାଇଥିଲା। ଶ୍ରୀ ଦାସଙ୍କ ସ୍ଥାନରେ ଦଳ କାହାକୁ ଟିକେଟ ଦେବ, ତା'କୁ ନେଇ କସରତ ଆରମ୍ଭ ହୋଇଥିଲା। କୁହାଯାଉଥିବା ଅନନ୍ତ ଦାସ ତାଙ୍କ ପୁଅଙ୍କ ପାଇଁ ଲବି କରୁଛନ୍ତି। ହେଲେ ସମସ୍ତଙ୍କୁ ପଛରେ ପକାଇ ଗୌତମବୁଦ୍ଧ ଟିକେଟ ହାତେଇବାରେ ସଫଳ ହୋଇଛନ୍ତି।

ଗୌତମ ହେଉଛନ୍ତି ଭୋଗରାଇର ପୂର୍ବତନ ବିଧାୟକ (୧୯୫୭) ତଥା ସ୍ୱାଧୀନତା ସଂଗ୍ରାମୀ ଦୁର୍ଗାଶଙ୍କର ଦାସଙ୍କ ପୁଅ। ତାଙ୍କର ବଡ଼ ବାପା ପ୍ୟାରୀମୋହନ ଦାସ ମଧ୍ୟ ୨ ଥର ବିଧାୟକ ହୋଇଥିଲେ। ତେଣୁ ରାଜନୀତିକ ପରିବାରରୁ ଆସିଛନ୍ତି ଗୌତମ।

ବିଜେଡି ୨୦ ବର୍ଷ ଧରି ଭୋଗରାଇରେ ଶାସନ କ୍ଷମତାରେ ଥିଲେ ମଧ୍ୟ କଂଗ୍ରେସର ଭୋଟ କେବେ ହେଲେ ୫୫ ହଜାର ତଳକୁ ଖସି ନାହିଁ। କଂଗ୍ରେସ ପ୍ରାର୍ଥୀ ୨୦୧୪ ମସିହାରେ ୫୭,୨୪୯ ଓ ୨୦୧୯ ମସିହାରେ ୫୯,୯୨୧ ଖଣ୍ଡ ଭୋଟ ପାଇ ହାରି ଥିଲେ। ଚଳିତ ଥର ମଧ୍ୟ କଂଗ୍ରେସ ଦଳର ପ୍ରାର୍ଥୀ ସତ୍ୟଶିବ ଦାସ ଅଧିକ ଭୋଟ ପାଇବେ ବୋଲି ଦଳ ଆଶା ରଖିଛି।

ଅନ୍ୟପକ୍ଷରେ ମାମୁ- ଭଣଜା ଲଢ଼େଇ ଭିତରେ ଅନନ୍ତଙ୍କ ଭୂମିକା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ରହିବ। ବୟସାଧିକ କାରଣରୁ ଅନନ୍ତ ସିନା ନିର୍ବାଚନ ନ ଲଢ଼ିବା ପାଇଁ ରାଜି ହୋଇଥିଲେ। କିନ୍ତୁ ସେ ତାଙ୍କ ମଝିଆଁ ପୁଅ ଅଭିଜିତଙ୍କୁ ପ୍ରାର୍ଥୀ କରିବାକୁ ନବୀନ ନିବାସରେ ଅନୁରୋଧ ରଖିଥିଲେ। ତେବେ ଗତକାଲି ଭୋଗରାଇ ପାଇଁ ପ୍ରାର୍ଥୀ ଘୋଷଣା ଅନନ୍ତଙ୍କୁ ନିଶ୍ଚିତ ନିରାଶ କରିଥିବ।

ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଜେପି ଏଯାଏ ପ୍ରାର୍ଥୀ ଘୋଷଣା କରିନି। ଆଗାମୀ ଦିନରେ ଅନନ୍ତ ନିଜ ସମର୍ଥକଙ୍କ ସ‌ହ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ଟିକେଟ ଘୋଷଣା ପରେ ଅନନ୍ତଙ୍କ ସମର୍ଥକମାନେ ବିଜେପି ସହ ଆଲୋଚନା ଆରମ୍ଭ କରିଛନ୍ତି ବୋଲି ଖବର ମିଳିଛି। ଅନନ୍ତ କିମ୍ବା ତାଙ୍କ ପରିବାରରୁ କେହି ବିଜେପିରୁ ପ୍ରାର୍ଥୀ ହେଲେ ଭୋଗରାଇରେ ରାଜନୀତିକ ସମୀକରଣ ବଦଳିବ ବୋଲି ବୋଲି ସାମାଜିକ କର୍ମୀ ଅଂଶୁମାନ ରାଉତ କହିଛନ୍ତି।

ରିପୋର୍ଟ-ଅଜିତ କୁମାର ଦାସ

Odisha BjD Bjp Congress Election Balsore