Advertisment

କଂଗ୍ରେସ ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଲେ ଜୟରାମ ଓ ଗିରିଧର ଗମାଙ୍ଗ!

କୋରାପୁଟ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ଜୟରାମ ପାଙ୍ଗି। ବିଜେଡିରୁ ଲଗାତାର ଭାବେ ବିଜୟୀ ହେଉଥିଲେ। ହେଲେ ୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Congress

Congress

ଆଜି ପ୍ରକାଶ ପାଇଛି କଂଗ୍ରେସ୍‌ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା। ଏଥିରେ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀଙ୍କ ନାଁ ରହିଛି। ହେଲେ ତାଲିକାରେ କାହାନ୍ତି ଅବିଭକ୍ତ କୋରାପୁଟ୍‌ ଜିଲ୍ଲା ଦୁଇ ପୁରୁଖା ନେତା ତଥା ଜୟରାମ ପାଙ୍ଗି ଓ ଗିରିଧର ଗମାଙ୍ଗଙ୍କ ନାଁ। ଏପରିକି ତାଙ୍କ ପରିବାରରୁ କାହାରିକୁ ଟିକଟ ମିଳିନି। ଉଭୟ ବାରମ୍ୱାର ଦଳବଦଳ କରୁଥିବାରୁ ଦଳ ଉଭୟଙ୍କୁ ବିଶ୍ୱାସକୁ ନେଇନଥିବା ଚର୍ଚ୍ଚା ହେଉଛି।

Advertisment

କୋରାପୁଟ ଜିଲ୍ଲାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ଜୟରାମ ପାଙ୍ଗି। ବିଜେଡିରୁ ଲଗାତାର ଭାବେ ବିଜୟୀ ହେଉଥିଲେ। ହେଲେ ୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ଆଉ ତା’ପରେ ଦଳ ତାଙ୍କୁ କୋରାପୁଟ ଲୋକସଭା ପ୍ରାର୍ଥୀ କରିଥିଲା। ହେଲେ ସେ ପରାସ୍ତା ହୋଇଥିଲେ। ତା’ପରେ ଜୟରାମ ପାଙ୍ଗି ବିଜେପି ଛାଡ଼ି ବିଆର୍‌ଏସ୍‌ରେ ମିଶିଥିଲେ। ୨ରୁ ୩ ମାସ ତଳେ ସେ ବିଆର୍‌ଏସ୍‌ ଛାଡ଼ି କଂଗ୍ରେସରେ ମିଶିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପଟ୍ଟାଙ୍ଗି ଆସନରୁ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ମଧ୍ୟ ଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। କାରଣ ଆଜି ଘୋଷଣା ହୋଇଥିବା କଂଗ୍ରେସ ପ୍ରାର୍ଥୀ ତାଲିକାରେ ପଟ୍ଟାଙ୍ଗିରୁ ରାମଚନ୍ଦ୍ର କାଡ଼ାମଙ୍କୁ ଟିକେଟ ଦେଇଛି ଦଳ।

ସମାନ ସ୍ଥିତିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପରିବାର। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସେ ଦିନେ ଥିଲେ ପାୱାରଫୁଲ୍‌ ନେତା। ଗିରିଧର ଗମାଙ୍ଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପତ୍ନୀ ସାଂସଦ ମଧ୍ୟ ହୋଇଥିଲେ। ହେଲେ ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଦଳ ଶିଶିରଙ୍କୁ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ସେପଟେ ମାଆ ହେମା ଗମାଙ୍ଗ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ଦଳ ତାଙ୍କୁ ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ନିର୍ବାଚନରେ ମାଆ ଓ ପୁଅ ପରାସ୍ତ ହୋଇଥିଲେ।

Advertisment

ନିର୍ବାଚନରେ ପରାସ୍ତ ହେବା ପରେ ଗମାଙ୍ଗ ପରିବାର ବିଆର୍‌ଏସ୍‌ରେ ମିଶିଥିଲେ। ଭାବିଥିଲେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଆର୍‌ଏସ୍‌ ଟିକଟରୁ ପ୍ରତିନିଧିତ୍ୱ କରିବେ। ହେଲେ ସେମିତି କିଛି ଘଟିଲା ନାହିଁ। ପରବର୍ତ୍ତୀ ସମୟରେ ଗମାଙ୍ଗ ପରିବାର ଦିଲ୍ଲୀ ଯାଇ କଂଗ୍ରେସରେ ମିଶିଥିଲେ। ହେମା ଗମାଙ୍ଗ ଆଶା ରଖିଥିଲେ ଗୁଣୁପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବେ। ହେଲେ ତାଙ୍କ ସ୍ଥାନରେ ସତ୍ୟଜିତ ଗମାଙ୍ଗଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଶିଶିର ଗମାଙ୍ଗ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶା ରଖିଥିଲେ। ହେଲେ ଦଳ ତାଙ୍କ ସ୍ଥାନରେ ଭୂଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଆଜିର ତାଲିକାରେ ପୂରା ଗମାଙ୍ଗ ପରିବାର ନିରାଶ ହୋଇଛି।

ତେବେ ଏନେଇ ଜୟରାମ ପାଙ୍ଗି ବା ଗିରିଧର ଗମାଙ୍ଗଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Odisha Congress Koraput