Advertisment

ଗୋଟିଏ ମଞ୍ଚରେ ଶାହ-ନବୀନ, ପରସ୍ପରଙ୍କୁ ପ୍ରଶଂସାରେ ପୋତି ପକାଇଲେ

ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା।

Amit shah & Naveen Patnaik

Amit shah & Naveen Patnaik

Advertisment

‘ଭିତ୍ତିଭୂମି ଦୁର୍ବଳ ଥିଲେ ଦେଶର ବିକାଶ ସମ୍ଭବ ନୁହେଁ। ଦେଶର ବିକାଶ ପାଇଁ ରାଜମାର୍ଗ ସୁଦୃଢ ହେବା ଆବଶ୍ୟକ । ଭୂମି ଉପରେ ତିଆରି ହୋଇଥିବା ରାଜମାର୍ଗ ବ୍ୟକ୍ତିର ପାପୁଲିରେ ଥିବା ଭାଗ୍ୟରେଖା ସହ ସମାନ । ଦେଶର ବିକାଶ, ଦେଶର ଅର୍ଥନୀତିର ବିକାଶ ରାଜମାର୍ଗ ସହ ଓତପ୍ରେତ ଭାବେ ଜଡ଼ିତ । ’ ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ମତବ୍ୟକ୍ତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

Advertisment

ଆଜି ଲୋକସେବା ଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ବେଳେ ପରସ୍ପରକୁ ପ୍ରଶଂସାରେ ପୋତି ପକାଇଥିଲେ ଏହି ଦୁଇ ତୁଙ୍ଗ ନେତା।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ NHର ଲୋକାର୍ପଣ କରିଥିଲେ । ଏହାସହ ମୋଟେର-ବାନେର ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ ବି କରିଥିଲେ ।

Advertisment

ଏହି ଅବସରରେ ଗୃହ ମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ଦେଶର ବିକାଶ ତଥା ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ । ଗତ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ରାଜମାର୍ଗର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଛନ୍ତି । ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି ।

ଓଡ଼ିଶାରେ ନକ୍ସଲ ଗତିବିଧି କମିଥିବାରୁ ରାଜ୍ୟ ସରକାରକୁ ଧନ୍ୟବାଦ ଦେଇଛନ୍ତି ଶାହ । ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ବହୁ ନୂଆ ପନ୍ଥା ଆପଣାଇଛି । ବିପର୍ଯ୍ୟୟ ମୁକାବିଲାରେ ସାରା ଦେଶକୁ ମାର୍ଗଦର୍ଶନ କରିଛି ଓଡ଼ିଶା । କେନ୍ଦ୍ର ଏବଂ ରାଜ୍ୟ ମିଶି କାମ କଲେ ବିପର୍ଯ୍ୟୟ ବି ପରାସ୍ତ ହେଉଛି ବୋଲି କହିଛନ୍ତି ଶାହ ।

 ନବୀନ ପଟ୍ଟନାୟକ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ରହିବାର ରେକର୍ଡ କରିବା ସହ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥିବା କହି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହ । ଏହାପରେ ନିଜ ସରକାରଙ୍କ ଗୁଣଗାନ କରି ଅମିତ ଶାହ କହିଛନ୍ତି, ୨୦୧୪-୧୫ରେ ପ୍ରତିଦିନ ୧୨ କିମି ରାସ୍ତା ନିର୍ମାଣ ହେଉଥିଲା। ୨୦୨୧-୨୨ରେ ଏହା ୨୯ କିମିରେ ପହଞ୍ଚିଛି। ରାଜରାସ୍ତାର ନିର୍ମାଣ ଦ୍ୱାରା ସମଗ୍ର ଦେଶରେ ଆର୍ଥିକ ଅଭିବୃଦ୍ଧି ହେଉଛି। ବହୁ ଯୋଜନା କାର୍ଯ୍ୟକାରୀ ହେଉଛି।

ଦେଶର ପୂର୍ବ ଭାଗର ବିକାଶ ନ ହେଲେ ସମ୍ପୂର୍ଣ୍ଣ ଦେଶର ବିକାଶ ସମ୍ଭବ ନୁହେଁ। ଏଥିପାଇଁ ମୋଦି ସରକାର ପୂର୍ବ ଭାରତ ଉପରେ ଅଧିକ ଫୋକସ୍‌ କରୁଛନ୍ତି। ପୂର୍ବ ଓ ପଶ୍ଚିମ ଭାରତକୁ ଗୋଟିଏ ସମାନ ସ୍ଥାନକୁ ଆଣି ପାରିଲେ ହିଁ ବିକାଶ ସମ୍ଭବ ବୋଲି କହିଛନ୍ତି ଶାହ ।

ଏଥିସହ ସେ କହିଛନ୍ତି, ପୂର୍ବ ଭାରତ ବିଗତ ଦିନରେ ନକ୍ସଲ ପ୍ରଭାବିତ ଅଞ୍ଚଳ ଥିଲା। ଗତ ୯ ବର୍ଷରେ ମୋଦି ସରକାର ରାଜ୍ୟ ସରକାରଙ୍କ ସହ ମିଶି ନକ୍ସଲଙ୍କୁ ମୂଳୋତ୍ପାଟନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଫଳରେ ନକ୍ସଲ କାର୍ଯ୍ୟକଳାପ ବହୁ ମାତ୍ରାରେ କମିଛି। ନକ୍ସଲ ବିରୋଧୀ ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାକୁ ଓଡ଼ିଶା ସରକାର ବି ସବୁବେଳେ ସହଯୋଗର ହାତ ବଢ଼ାଇଛନ୍ତି। ଓଡ଼ିଶାର ବିକାଶ ପାଇଁ ମୋଦି ବହୁ କାମ କରିଥିବା କହିବାକୁ ଭୁଲି ନାହାନ୍ତି ଶାହ।

ଏହି ସଭାରେ ନବୀନ ପଟ୍ଟନାୟକ ନିଜ ଭାଷଣ ଆରମ୍ଭରେ ଅମିତ ଶାହଙ୍କୁ ଜଗନ୍ନାଥଙ୍କ ଭୂମିକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ, ନୂତନ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରୁଛି। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଯୋଗାଯୋଗକୁ ସୁଦୃଢ କରିବାକୁ ପଡ଼ିବ । ଯେପରି ଗୁରୁପ୍ରିୟା ସେତୁ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳକୁ ଯୋଗାଯୋଗ କରୁଛି। ଫଳରେ ଉକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଏହି ସେତୁ ବରଦାନ ସଦୃଶ୍ୟ ପାଲଟିଛି। ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଗାଯୋଗ କରୁଛି। ଚଳିତ ବର୍ଷ ଆମେ ୬ ,୫୦୦ କିମି ରାସ୍ତା କାମ ସହ ୩ଶହ ବ୍ରିଜ କାମ କରିବାକୁ ଲକ୍ଷ୍ୟ ରଖିଛୁ । ନିକଟରେ ଆମେ ୨ଟି ଏୟାରପୋର୍ଟ କାମ ସାରିଛୁ। ଏଥିସହ ମାଲକାନଗିରିରେ ଏକ ବିମାନବନ୍ଦର କାମ ଚାଲିଛି। ଏଥିସହ ବିଭିନ୍ନ ଉନ୍ନୟନମୂଳକ କାମରେ ସହଯୋଗର ହାତ ବଢ଼ାଉଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାନ ଜଣାଇଛନ୍ତି ନବୀନ ।

ଏହି ବୈଠକରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ରାସ୍ତା ଓ ଉନ୍ନୟନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ୍‌ କମିଶନର ସୌମ୍ୟ ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ।

ଆଜି ମୋଦି ସରକାରୀ କାର୍ଯ୍ୟକ୍ରମ ପରେ ବିଜେପି ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ବୈଠକ କରିବେ ବୋଲି ଜଣାଯାଇଛି। ଉକ୍ତ ବୈଠକରେ ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ କରିବା ସହ ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ ବୋଲି ଜଣାଯାଇଛି।

ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ଗଠିତ ହୋଇଥିବା ୩୫ ଜଣିଆ ଟିମ୍‌ ମୋଦିଙ୍କ ସହ ଆଲୋଚନା କରି ତାଙ୍କଠୁ ଟିପ୍ସ ନେବାକୁ ବେଶ୍‌ ଉତ୍ସୁକ ଥିବା ଦେଖିବାକୁ ମିଳିଛି।

BjD Bjp Naveen Patnaik Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe