/odisha-reporter/media/post_attachments/uploadimage/library/16_9/16_9_0/IMAGE_1690636509.jpg)
Nitish kumar
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେ କୌଣସି ମୁହୂର୍ତ୍ତରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଫେରି ପାରନ୍ତି ବୋଲି ଆକଳନ କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ଏଥିସହ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟର ତୃତୀୟ ବୈଠକକୁ ନୀତୀଶ ବର୍ଜନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, “ନୀତୀଶ କୁମାର ଆମାର। ସେ ଆମ ପାଖକୁ କେତେବେଳେ ବି ଆସି ପାରନ୍ତି। ନୀତୀଶଙ୍କ ଅନୁପସ୍ଥିତି ଏନଡିଏରେ ସବୁବେଳେ ଅନୁଭବ ହେଉଛି।”
ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଆରପିଆଇ) ମୁଖ୍ୟ ଅଠାୱାଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି। ସେ ନୀତୀଶ କୁମାରଙ୍କୁ ନିଜର ଭଲ ବନ୍ଧୁ ବୋଲି କହିବା ସହ ଯଦି ସେ ବିରୋଧୀ କ୍ୟାମ୍ପକୁ ଯିବାର ଥିଲା, ତା’ହେଲେ କାହିଁକି ଏନଡିଏରେ ସାମିଲ ହେଉଥିଲେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛି ଯେ ଜେଡିୟୁ ଏନଡିଏ ଛାଡ଼ିଥିଲେ ମଧ୍ୟ କେନ୍ଦ୍ର ପକ୍ଷରୁ ବିହାରକୁ ମିଳୁଥିବା ଆର୍ଥିକ ସହାୟତା ଜାରି ରହିବ। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ସବକା ସାଥ, ସବକା ବିକାଶ କଥା ଚିନ୍ତା କରୁଥିବାରୁ ବିହାରକୁ ତା’ର ଅଧିକାର ମିଳିବା ଜାରି ରହିବ। ବିହାରୀମାନେ ଆମ ନିଜ ଲୋକ।”
୨୦୨୨ ଅଗଷ୍ଟ ମାସରେ ନୀତୀଶ କୁମାର ଏନଡିଏରୁ ଓହରି ଯାଇଥିଲେ। ସେ ଏନଡିଏରୁ ବାହାରି ଆରଜେଡି ସହ ହାତ ମିଳାଇ ପୁଣି ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ବିରୋଧୀ ବିଜେପି ବିରୋଧରେ ଗଠନ କରିଥିବା ମହାମେଣ୍ଟ ଇଣ୍ଡିଆର ଅନ୍ୟତମ ପ୍ରମୁଖ ଚେହେରା ହେଉଛନ୍ତି ନୀତୀଶ କୁମାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
