Advertisment

କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ ଅଫିସରେ ତାଲା ଠୁଙ୍କି ଦେଲେ ବିଜେପି କର୍ମୀ

ନ୍ଦ୍ରମନ୍ତ୍ରୀଙ୍କୁ ଅଫିସ ଭିତରେ ପୂରାଇ ବାହାରୁ ତାଲା ମଧ୍ୟ ପକାଇ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାର ଜିଲ୍ଲା ବିଜେପି ୟୁନିଟକୁ ନିଜ ଇଚ୍ଛାରେ ଏକଛତ୍ରବାଦୀ ଶାସକଙ୍କ ଭଳି ଚଳାଉଥିବା କର୍ମୀମାନେ ଅଭିଯୋଗ କରିଛନ୍ତି।

author-image
Hemant Lenka
BJP

BJP

ପଶ୍ଚିମବଙ୍ଗ ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ବିଜେପି କର୍ମୀମାନେ ଆଜି କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାରଙ୍କ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଆଜି ସେ ବେଙ୍ଗଲର ବାଙ୍କୁରା ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ମିଟିଂ କରୁଥିଲେ।

Advertisment

ଏହି ସମୟରେ ତାଙ୍କୁ ବିରୋଧ କରିଛନ୍ତି ଶତାଧିକ କର୍ମୀ। ଏପରି କି କେନ୍ଦ୍ରମନ୍ତ୍ରୀଙ୍କୁ ଅଫିସ ଭିତରେ ପୂରାଇ ବାହାରୁ ତାଲା ମଧ୍ୟ ପକାଇ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାର ଜିଲ୍ଲା ବିଜେପି ୟୁନିଟକୁ ନିଜ ଇଚ୍ଛାରେ ଏକଛତ୍ରବାଦୀ ଶାସକଙ୍କ ଭଳି ଚଳାଉଥିବା କର୍ମୀମାନେ ଅଭିଯୋଗ କରିଛନ୍ତି।

ସୁଭାଷ ସରକାର ହେଉଛନ୍ତି ବାଙ୍କୁରାର ସାଂସଦ। ସେ ମୋଦି ସରକରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଛନ୍ତି। ଆଜି ସେ ଦିନ ପ୍ରାୟ ୧ଟା ବେଳେ ବାଙ୍କୁରା ସ୍ଥିତ ଦଳୀୟ ଅଫିସରେ ମିଟିଂ କରୁଥିଲେ।

Advertisment

ଏହି ସମୟରେ ଶତାଧିକ ବିଜେପି କର୍ମୀ ବିଭିନ୍ନ ପ୍ରକାରର ନାରା ଦେଇ ଜିଲ୍ଲା ଅଫିସରେ ପ୍ରବେଶ କରିଥିଲେ। ମନ୍ତ୍ରୀ ଅଫିସ ଭିତରେ ଥିଲେ ହେଁ ସେମାନେ ବାହାର ପଟୁ ତାଲା ପକାଇ ଦେଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ବିରୋଧ ପ୍ରଦର୍ଶନ କରୁଥିବା ଜଣେ ବିଜେପି କର୍ମୀ ହେଉଛନ୍ତି ମୋହିତ ଶର୍ମା। ସେ ଅଭିଯୋଗ କରିଛନ୍ତି ଯେ “କେନ୍ଦ୍ରମନ୍ତ୍ରୀ ସୁଭାଷ ସରକାର କଠିନ ପରିଶ୍ରମ କରୁଥିବା ଦଳୀୟ କର୍ମୀଙ୍କୁ ଗୁରୁତ୍ୱ ଦେଉ ନାହାନ୍ତି। ସେ କେବଳ ତାଙ୍କର ଘନିଷ୍ଠ ଲୋକଙ୍କୁ ଜିଲ୍ଲା କମିଟିର ସଦସ୍ୟ କରାଇ ସବୁ କାମ କରୁଛନ୍ତି।

ଆମେ ଦଳକୁ ରକ୍ଷା କରିବାକୁ ବିକ୍ଷୋଭ କରୁଛୁ। ବାଙ୍କୁରାରେ ବିଜେପି କୌଣସି ଗୋଟିଏ ହେଲେ ପୌରପାଳିକା ଆସନ ଜିତି ପାରିନି। ଏଥିପାଇଁ ସୁଭାଷ ହିଁ ଦାୟୀ। ବିଜେପି ଗତଥର ଦୁଇଟି ୱାର୍ଡରେ ଜିତିଥିଲା।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିକ୍ଷୋଭ କରୁଥିବା ଦଳୀୟ କର୍ମୀଙ୍କୁ ବିରୋଧ କରିବା ପାଇଁ ବିଜେପିର ଆଉ ଗୋଟିଏ ଗୋଷ୍ଠୀ ପହଞ୍ଚି ଯାଇଥିଲେ। ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ବେଶ ଠେଲାପେଲା ପରିସ୍ଥିତି ଦେଖିବାକୁ ମିଳିଥିଲା। ଶେଷରେ ବିପୁଳ ସଂଖ୍ୟାରେ ପୁଲିସ ପାର୍ଟି ଅଫିସରେ ପ୍ରବେଶ କରିବା ସହ କେନ୍ଦ୍ରମନ୍ତ୍ରୀ ସରକାରଙ୍କୁ ବାହାରକୁ ସୁରକ୍ଷିତ ଭାବେ ଆଣିଥିଲେ। ତେବେ ଏ ସମ୍ପର୍କରେ ସୁଭରଷ ସରକାର କୌଣସି ପ୍ରକାରର ପ୍ରତିକ୍ରିୟା ରଖି ନାହାନ୍ତି।

Bjp West Bengal