Advertisment

ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ ବୋଲି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ

ସାଧାରଣ ଜନତାଙ୍କ ଆଗରେ ପୁଲିସ୍‌ର ସ୍ଥିତି କ’ଣ ରହିବ? ସାଧାରଣ ଲୋକ କାହା ଉପରେ ବିଶ୍ୱାସ କରିବେ?

author-image
Manoranjan Sial
ଅଦ୍ୟତନ ହୋଇଛି
Union Minister Arjun Munda

Union Minister Arjun Munda

ଜଣେ ପୁଲିସ୍‌ ଅଫିସର କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କରିଦେବା ରାଜ୍ୟର ଆଇନ୍‌ ଶୃଙ୍ଖଳା ପାଇଁ ଗମ୍ଭୀର ବିଷୟ। ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ପୁଲିସ୍‌ ଓ ମନ୍ତ୍ରୀଙ୍କ ମଧ୍ୟରେ ଯଦି ଏପରି ସ୍ଥିତି ସୃଷ୍ଟି ହୋଇଛି, ତା'ହେଲେ ସାଧାରଣ ଜନତାଙ୍କ ଅବସ୍ଥା କିଭଳି ଥିବ? ସାଧାରଣ ଜନତାଙ୍କ ଆଗରେ ପୁଲିସ୍‌ର ସ୍ଥିତି କ’ଣ ରହିବ? ସାଧାରଣ ଲୋକ କାହା ଉପରେ ବିଶ୍ୱାସ କରିବେ? ତେଣୁ କୌଣସି ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ କରାଯାଇ ସତ୍ୟା ସତ୍ୟା ସାମ୍ନାକୁ ଅଣାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି।

Advertisment

ଅନ୍ୟପକ୍ଷରେ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଜି ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟିଛନ୍ତି। ଏହା ପରେ ଜଷ୍ଟିସ୍‌ ଦାସ କହିଛନ୍ତି, ମୋତେ ତଦନ୍ତର ତତ୍ତ୍ୱାବଧାନ କରିବାକୁ କୁହାଯାଇଛି। ତଦନ୍ତ ସଂପର୍କରେ ବୁଝିଲି। ଆଉ କିଛି କରିବାକୁ ପରାମର୍ଶ ଦେଇଛି। ଘଟଣା ସ୍ଥଳକୁ ନିଶ୍ଚିତ ଯିବି। କେବେ ଯିବି ସ୍ଥିର କରିନି। ତଦନ୍ତ ଠିକ୍‌ ଢଙ୍ଗରେ ଚାଲିଛି। ଆଶା କରିବା ନିର୍ଯାସରେ ପହଞ୍ଚିବ ବୋଲି ଜଷ୍ଟିସ୍‌ ଦାସ କହିଛନ୍ତି।

ସେପଟେ ପୁଲିସ୍‌ ଡିଜି ସୁନୀଲ୍‌ ବଂଶଲଙ୍କୁ ଭେଟିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ। ଡିଜିପିଙ୍କ କ୍ୟାମ୍ପ ଅଫିସରେ ଦୁଇ ପ୍ରମୁଖ ଅଧିକାରୀ ଭେଟିଛନ୍ତି। ତା’ପୂର୍ବରୁ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ଭେଟିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ତେବେ କ’ଣ ଆଲୋଚନା ହୋଇଛି, ତାହା ଜଣାପଡ଼ି ନାହିଁ।

Advertisment

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବାର ୬ ଦିନ ପରେ ସାମ୍ନାକୁ ଆସିଥିଲା ହତ୍ୟାକାରୀ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସଙ୍କ କାର୍‌। କ୍ରାଇମବ୍ରାଞ୍ଚ ତାଙ୍କ ଫାଣ୍ଡିରୁ କାର୍‌ ଜବତ କରିଛି। କାର୍‌ ଭିତରୁ ଗୋଟିଏ ଡାଏରୀ ମଧ୍ୟ ଜବତ କରିଥିଲା। ତେବେ ସେହି ଡାଏରୀଟି ଗୋପାଳର କି ଅନ୍ୟ କାହାର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ସେପଟେ ସାମ୍ନାକୁ ଆସିଛନ୍ତି ଜବତ କାର୍‌ର ମାଲିକ ଅରୁଣ ମୁନ୍ଦ୍ରା। ସେ କହିଛନ୍ତି, ଲକ୍ଷେ ଟଙ୍କାରେ ଗୋପାଳକୁ କାର୍‌ ବିକି ଥିଲେ। ଗତ ନଭେମ୍ବର ୨୫ ତାରିଖରେ ଗୋପାଳ ୫୦ ହଜାର ଟଙ୍କା ଦେଇ କାର୍‌ ନେଇଥିଲେ। ସେବେଠାରୁ କାର୍‌ ନେଇଥିଲେ। ଆଉ ୫୦ ହଜାର ଦେବାର ଥିଲା। ୫୦ ହଜାର ଦେଇଥିଲେ ମାଲିକାନା ବଦଳିଥାନ୍ତା ବୋଲି କାର୍‌ ମାଲିକ ଅରୁଣ ମୁନ୍ଦ୍ରା କହିଛନ୍ତି।

ଗତ ରବିବାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବ୍ରଜରାଜନଗର ଯାଉଥିଲେ। ତେବେ ରାସ୍ତାରେ ଦଳୀୟ କର୍ମୀ ତାଙ୍କୁ ଅଟକାଇ ସ୍ୱାଗତ କରିଥିଲେ। ମନ୍ତ୍ରୀ ଅଭିବାଦନ ଗ୍ରହଣ କରୁଥିବା ବେଳେ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ରିଭର୍ଲଭରରେ ଫାୟାରିଂ କରିଥିଲେ। ଫଳରେ ଗୁରୁତର ଆହତ ହୋଇଥିଲେ ମନ୍ତ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ଏୟାର ଲିଫ୍ଟି କରାଯାଇଥିଲା। ଏଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

BjD Bjp Naba Das Murder