ବ୍ରହ୍ମଗିରିର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ଓ ତାଙ୍କ ଶତାଧିକ ସହଯୋଗୀ ଆଜି ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବାକୁ ନେଇ ବ୍ରହ୍ମଗିରି ରାଜନୀତି ସରଗରମ ହୋଇଛି। ସରୋଜିନୀକୁ ବିଜେଡି ଗତକାଲି ଦଳରୁ ନିଲମ୍ବନ କରିବାକୁ ନେଇ ବ୍ରହ୍ମଗିରି ବିଜେପି ବିଧାୟିକା ଉପାସନା ମହାପାତ୍ର ସିଧାସଳଖ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ମାଙ୍କଡ଼ ଉପାଖ୍ୟାନ କହି ବିଜେଡିକୁ କଟାକ୍ଷ କରିବା ସହ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ବିଜେଡିର ହେଭିୱେଟ୍ ସଞ୍ଜୟ ଦାସବର୍ମା(Sanjay Das Burma)ଙ୍କୁ ମଧ୍ୟ ତେରେଚ୍ଛା ବାଣ ମାରିବାକୁ ପଛାଇନାହାନ୍ତି।
ମାଙ୍କଡ଼ ଉପାଖ୍ୟାନ କହି ବିଜେଡିକୁ କଟାକ୍ଷ
ଆଜି ମିଶ୍ରଣ ପର୍ବରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଓ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ଯେ,ଗାନ୍ଧୀଜୀଙ୍କ ୩ ମାଙ୍କଡ ଖରାପ ଦେଖୁ ନଥିଲେ, କହୁ ନଥିଲେ କିମ୍ବା ଶୁଣୁ ନଥିଲେ। ମାତ୍ର ବିଜେଡି ଦଳର ମାନସିକତା ଏବେ ଏମିତି ହୋଇଛି ଯେ ସେମାନେ ରାଜ୍ୟର କୌଣସି ଭଲ କାମ ଦେଖିପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି । ବିଜେଡି ଏବେ ନିଲମ୍ବନ ଓ ବହିଷ୍କାର ରାଜନୀତିରେ ବ୍ୟସ୍ତ ଅଛି। ଏମିତି ହେଲେ ଦଳରେ ମୁଖିଆଙ୍କୁ ମିଶାଇ ମାତ୍ର ତିନି ଜଣ ହିଁ ରହିଯିବେ। ଜଣେ ତାମିଲନାଡୁରୁ ଆସିଥିବା ନେତା, ଜଣେ ଉପକୂଳିଆ ନେତା ଓ ଅନ୍ୟଜଣେ ସ୍ୱୟଂ ବିଜେଡି ମୁଖିଆ ବୋଲି ସେ ବ୍ୟଙ୍ଗ କରିଛନ୍ତି।
ସାଇକ୍ଲୋନ୍ ଭଳି ମାଡ଼ିଚାଲିବ ବିଜେପି
ବ୍ରହ୍ମଗିରିରେ ବିଜେଡି ଦୁର୍ବଳ ହେବା ଓ ବିଜେପିର ଶକ୍ତି ବୃଦ୍ଧି ହେବାକୁ ନେଇ ଉତ୍ସାହିତ Upasana Mohapatra କହିଛନ୍ତି ଯେ, ବିଜେପି ଏବେ ଏକ ସାଇକ୍ଲୋନ୍ ଭଳି ଆଗକୁ ବଢୁଛି ଓ ଏହି ଗତିକୁ ରୋକିବା ଅସମ୍ଭବ। ବ୍ଲକ୍ ଚେୟାରମ୍ୟାନଙ୍କ ମିଶ୍ରଣ କେବଳ ଏକ ‘ଟ୍ରେଲର’ ଥିଲା ଓ ପୁରା ‘ଫିଲ୍ମ’ ଏବେ ବାକି ଅଛି। ଯେଉଁଭଳି ଭାବେ ଲୋକମାନେ ବିଜେପି ଉପରେ ଭରସା କରୁଛନ୍ତି, ଆଗାମୀ ଦିନରେ ବିଜେଡି ସମ୍ପୂର୍ଣ୍ଣ ଭାବେ ଖାଲି ହୋଇଯିବ। ଗୋଟିଏପଟେ ବିଜେପିରେ ଲୋକଙ୍କ ସାମିଲ ହେବା ପ୍ରକ୍ରିୟା ଜାରି ରହିଛି ଓ ଅନ୍ୟପଟେ ବିଜେଡି କେବଳ ନିଜ କର୍ମୀଙ୍କୁ ଦଳରୁ ବାହାର କରିବାରେ ବ୍ୟସ୍ତ ଅଛି ।
ବିଜେଡିର ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମାଙ୍କ ନାଁ ନନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀ ନେତାମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ବିଜେପିର ଏହି ବିଜୟ ଅଭିଯାନ ଆଗକୁ ଆହୁରି ଜୋରଦାର ହେବ ଓ ବ୍ରହ୍ମଗିରିରେ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି ବୋଲି ସେ ଦମ୍ଭୋକ୍ତି ବାଢ଼ିଛନ୍ତି ।
ବିଜେପିରେ ମିଶିଲେ ଦୁଇ ବିଜେଡି ବ୍ଲକ୍ ଅଧ୍ୟକ୍ଷା ଓ ଶତାଧିକ କର୍ମୀ
ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ୍ ଅଧ୍ୟକ୍ଷା ମମତା ପାତ୍ର ଓ କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କ ସମେତ ଏହି ଦୁଇ ବ୍ଲକର ଆଗଧାଡ଼ିର ଶତାଧିକ କର୍ମୀ ଓ ନେତା ଆଜି ବିଧିବଦ୍ଧ ଭାବେ ବିଜେଡି ଛାଡ଼ି ରାଜ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ବ୍ରହ୍ମଗିରି ବିଧାନସଭାମଣ୍ଡଳୀର ଆଗଧାଡ଼ିର ବିଜେଡି ନେତା ବିଜୟ ତରାଇ, ବିଭୂତି ତରାଇ, ଉଲ୍ଲାସ ଚନ୍ଦ୍ର ତରାଇ, ଭାସ୍କର ତରାଇ, ଗୋଲଖ ତରାଇ, ମିଲନ ଦଳେଇ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି।
ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡ଼ି ବ୍ଲକ୍ ଅଧ୍ୟକ୍ଷା ମମତା ପାତ୍ରଙ୍କ ସମେତ ଆଗଧାଡ଼ିର ନେତା ନେତ୍ରାନନ୍ଦ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦ୍ରଶେଖର ଦାସ, ଯୁବ ନେତା ଦେବୀ ପ୍ରସାଦ ତ୍ରିପାଠୀ, ପ୍ରକାଶ କୁମାର ଦାସ, ପଦ୍ମନାଭ ଭୋଇ, ନୃସିଂହ କୁମାର ଦାସ, ସରପଂଚ ପରୱେଜ ଅହମ୍ମଦ, ଲକ୍ଷ୍ମୀପ୍ରିୟା ମାଝୀ, କାହ୍ନୁଚରଣ ବେହେରା, ଯୁଧିଷ୍ଠିର ବେହେରା, ମନୋରଞ୍ଜନ ଭୋଇ, କାଳନ୍ଦୀ ଚରଣ ବସ୍ତିଆ, ପ୍ରବୋଧ କୁମାର ତ୍ରିପାଠୀ, ଅମିତ କୁମାର ରାଉଳ, କାହ୍ନୁ ଚରଣ ବେହେରା, ପ୍ରଶାନ୍ତ କୁମାର ହୋତା, ସନ୍ତୋଷ କୁମାର ରାୟ ପ୍ରମୁଖ ବିଜେଡି ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us