Advertisment

ବେଆଇନ ପ୍ରବାସୀ ଭାରତୀୟଙ୍କ ବିମାନ କାହିଁକି କେବଳ ପଞ୍ଜାବରେ ଲ୍ୟାଣ୍ଡ୍‌ କରୁଛି?

ଫେବୃଆରୀ ୫ରେ ୧୦୪ ପ୍ରତ୍ୟର୍ପିତଙ୍କ ମଧ୍ୟରେ ଗୁଜରାଟ ଓ ହରିୟାଣାରୁ ସର୍ବାଧିକ ୩୩ ଜଣ ଲେଖାଏ ରହିଥିଲେ। ପଞ୍ଜାବରୁ ୩୦ ଜଣ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ରୁ ୨ ଜଣ ରହିଥିଲେ।

Land

Land

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା କ୍ଷଣି ବେଆଇନ ପ୍ରବାସୀଙ୍କୁ ୱାଶିଂଟନରୁ ବିଦା କରିବାରେ ଲାଗିଛନ୍ତି। ଏହିକ୍ରମରେ ଆମେରିକାରେ ରହୁଥିବା ବେଆଇନ ଭାରତୀୟଙ୍କୁ ମଧ୍ୟ ସେ ବିଦା କରୁଛନ୍ତି। ପୂର୍ବରୁ ବେଆଇନ ଭାବେ ଆମେରିକାରେ ରହୁଥିବା ୧୦୪ ଜଣ ଭାରତୀୟଙ୍କୁ ଟ୍ରମ୍ପ ମିଲିଟାରୀ ବିମାନରେ ପଞ୍ଜାବର ଅମୃତସରକୁ ପଠାଇ ଦେଇଥିଲେ।

Advertisment

ପ୍ରବାସୀ ଭାରତୀୟଙ୍କ ହାତରେ ହ୍ୟାଣ୍ଡକଫ ଓ ଗୋଡ଼ରେ ଜଞ୍ଜିର ବାନ୍ଧି ଟ୍ରମ୍ପ ପ୍ରତ୍ୟର୍ପଣ କରିଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଏବେ ପୁଣି ୧୧୯ ଜଣ ଭାରତୀୟଙ୍କୁ ଟ୍ରମ୍ପ ନିଜ ଦେଶରୁ ବିଦା କରିଛନ୍ତି। ସ୍ୱତନ୍ତ୍ର ସେନା ବିମାନରେ ଭାରତୀୟଙ୍କୁ ପଠା ଯାଇଛି। ଆଜି ରାତି ୧୦ଟା ବେଳେ ବିମାନଟି ପଞ୍ଜାବର ଅମୃତସରରେ ଲ୍ୟାଣ୍ଡ କରିବ।

ଆଜି ପ୍ରତ୍ୟର୍ପିତ ହୋଇଥିବା ଭାରତୀୟଙ୍କ ମଧ୍ୟରେ ୬୭ ଜଣ ପଞ୍ଜାବରୁ, ୩୩ ଜଣ ହରିୟାଣାରୁ, ଗୁଜରାଟରୁ ୮ ଜଣ, ୩ ଜଣ ଉତ୍ତର ପ୍ରଦେଶରୁ, ଗୋଆ ଓ ମହାରାଷ୍ଟ୍ରରୁ ୨ ଜଣ ଲେଖାଏ, ହିମାଚଳ ପ୍ରଦେଶ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏ ରହିଛନ୍ତି। ସେହିପରି ଆସନ୍ତାକାଲି ମଧ୍ୟ ଆଉ କିଛି ଭାରତୀୟ ପ୍ରତ୍ୟର୍ପିତଙ୍କୁ ଧରି ଆଉ ଗୋଟିଏ ବିମାନ ଆମେରିକାରୁ ଆସିବ। ଉକ୍ତ ବିମାନ ମଧ୍ୟ ଅମୃତସରରେ ଅବତରଣ କରିବ।

Advertisment

ଫେବୃଆରୀ ୫ରେ ୧୦୪ ପ୍ରତ୍ୟର୍ପିତଙ୍କ ମଧ୍ୟରେ ଗୁଜରାଟ ଓ ହରିୟାଣାରୁ ସର୍ବାଧିକ ୩୩ ଜଣ ଲେଖାଏ ରହିଥିଲେ। ପଞ୍ଜାବରୁ ୩୦ ଜଣ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ରୁ ୨ ଜଣ ରହିଥିଲେ। ସେହିପରି ୧୯ ଜଣ ମହିଳା ଓ ୧୩ ଜଣ ଛୋଟ ପିଲାଙ୍କୁ ମଧ୍ୟ ଆମେରିକା ପ୍ରଶାସନ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଭାରତକୁ ବିଦା କରିଥିଲା।

ଏହି ପ୍ରବାସୀଙ୍କ ମଧ୍ୟରୁ ଅନେକ ଆମେରିକାରେ ପ୍ରବେଶ କରିବା ଲକ୍ଷ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଅନେକ ଋଣ କରି ନିଜର ଆମେରିକା ସ୍ୱପ୍ନ ସାକାର କରିବାକୁ ଚାହୁଁଥିଲେ। କିନ୍ତୁ ଟଙ୍କା ଖର୍ଚ୍ଚ କରି ସେମାନଙ୍କୁ କେବଳ ଧୋକା ମିଳିଛି। ଆମେରିକା ବଦଳରେ ସେମାନଙ୍କୁ ଏକାଧିକ ଦେଶରେ ମାସାଧିକ ସମୟ କାଟିବାକୁ ପଡ଼ିଛି। ମାନବ ଚାଲାଣକାରୀ ପ୍ରସ୍ତୁତ କରିଥିବା କଠିନ ରାସ୍ତାରେ ବି ସେମାନେ ଚାଲିଥିଲେ। କିନ୍ତୁ ଏବେ ସମସ୍ତଙ୍କୁ ଟ୍ରମ୍ପ ବିଦା କରିବାରେ ଲାଗିଛି।

କାହିଁକି ପ୍ରତ୍ୟର୍ପିତଙ୍କ ବିମାନ ଅମୃତସରରେ ଲ୍ୟାଣ୍ଡ କରୁଛି?

ଆମେରିକାରୁ ପ୍ରତ୍ୟର୍ପିତଙ୍କୁ ଧରି ଆସୁଥିବା ଗୋଟିଏ ପରେ ଗୋଟିଏ ବିମାନ ପଞ୍ଜାବର ଅମୃତସରରେ ଲ୍ୟାଣ୍ଡ କରୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ବିଭିନ୍ନ ରାଜ୍ୟର ଲୋକଙ୍କୁ ଆମେରିକା ବିଦା କରୁଥିବାରୁ ବିମାନ ଦିଲ୍ଲୀରେ ଲ୍ୟାଣ୍ଡ ହେବା କଥା। କାରଣ କରୋନା ଓ ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସରକାର ବିଦେଶରୁ ଉଦ୍ଧାର କରୁଥିବା ଭାରତୀୟଙ୍କୁ ଦିଲ୍ଲୀକୁ ଆଣୁଥିଲେ। ଏବେ କ’ଣ ପାଇଁ ପ୍ରତ୍ୟର୍ପିତଙ୍କ ବିମାନ ଅମୃତସରରେ ଲ୍ୟାଣ୍ଡ କରୁଛି, ତା’କୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ପ୍ରତ୍ୟର୍ପିତଙ୍କ ମଧ୍ୟରେ ଅଧିକାଂଶ ଗୁଜରାଟ ଓ ଅନ୍ୟ ବିଜେପି ଶାସିତ ରାଜ୍ୟର ହୋଇଥିବାରୁ, ସେଠାରେ ଆମେରିକାର ବିମାନ ଲ୍ୟାଣ୍ତ କରିବା କଥା ବୋଲି ବିରୋଧୀ ମତ ରଖଛନ୍ତି। 

ପଞ୍ଜାବ ମୁଖ୍ୟମନ୍ତ୍ରୀ ବନାମ ବିଜେପି

ପ୍ରତ୍ୟର୍ପିତଙ୍କ ଦ୍ୱିତୀୟ ବିମାନ ଅମୃତସର ଆସୁଥିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜାଣିଶୁଣି ଆମେରିକାରୁ ଆସୁଥିବା ବିମାନକୁ ପଞ୍ଜାବରେ ଲ୍ୟାଣ୍ତ କରିବାକୁ ଅନୁମତି ଦେଇଛନ୍ତି। ପଞ୍ଜାବକୁ ବଦନାମ କରିବାକୁ କେନ୍ଦ୍ର ଚାହୁଁଥିବା ମାନ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ବେଆଇନ ଭାବେ ଆମେରିକରେ ପ୍ରବେଶ କରିଥିବା ଭାରତୀୟଙ୍କୁ ଧରି ଆସୁଥିବା ଦ୍ୱିତୀୟ ବିମାନ ଅମୃତସରରେ ଲ୍ୟାଣ୍ଡ କରିବାକୁ ଯାଉଛି। କେଉଁ ଆଧାରରେ ପ୍ରତ୍ୟର୍ପିତଙ୍କ ବିମାନ ପଞ୍ଜାବରେ ଲ୍ୟାଣ୍ଡ କରିବାକୁ ଅନୁମତି ପାଉଛି, ତା’ର ଉତ୍ତର ବୈଦେଶିକ ମନ୍ତ୍ରଣାଳୟ ଦିଅନ୍ତୁ। ଆପଣ ପଞ୍ଜାବକୁ ବଦନାମ କରିବା ପାଇଁ ଅମୃତସରକୁ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ ଭାବେ ଆମ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବେ। ଏହା ପରେ ଟ୍ରମ୍ପ ଏମିତି ଉପହାର ଦେଇଛନ୍ତି?

ବିଜେପି ନେତୃତ୍ୱାଧୀନ ବିଜେପି ସବୁବେଳେ ପଞ୍ଜାବ ସହ ପାତରଅନ୍ତର କରି ଚାଲିଛନ୍ତି। ପଞ୍ଜାବକୁ ବଦନାମ କରିବାକୁ ସେମାନେ କୌଣସି ଗୋଟିଏ ହେଲେ ବି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଗୋଟିଏ ଷଡ଼ଯନ୍ତ୍ର କରି ସେମାନେ ପଞ୍ଜାବ ଓ ପଞ୍ଜାବୀମାନଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି।” ମୁଖ୍ୟମନ୍ତ୍ରୀ ମାନ ଦାବି କରିଛନ୍ତି ଯେ ଅଧିକାଂଶ ପ୍ରତ୍ୟର୍ପିତ ଗୁଜରାଟ ହରିୟାଣାର ହୋଇଥିଲେ ହେଁ ଫୋକସ କେବଳ ପଞ୍ଜାବ ଉପରେ କରାଯାଉଛି।

ସେ କହିଛନ୍ତି, “ଜାତୀୟ ଗଣମାଧ୍ୟରେ ଆପଣମାନେ ଗୁଜରାଟ ପ୍ରତ୍ୟର୍ପିତଙ୍କ ଇଣ୍ଟରଭ୍ୟୁ କେବେ ଶୁଣିଛନ୍ତି? କେବଳ ପଞ୍ଜାବୀଙ୍କ ଇଣ୍ଟରଭ୍ୟୁ ପ୍ରଦର୍ଶିତ କରାଯାଉଛି। ଆମେ ଅମୃତସରରେ ପ୍ରତ୍ୟର୍ପିତଙ୍କ ବିମାନ ଲ୍ୟାଣ୍ଡ କରାଯିବା ଘଟଣାକୁ ନିନ୍ଦା କରୁଛୁ। କେବଳ ପଞ୍ଜାବର ଲୋକମାନେ ବେଆଇନ ଭାବେ ଆମେରିକାକୁ ଯାଇ ନଥିଲେ। ଗୁଜରାଟରୁ ଅଧିକାଂଶ ଲୋକ ଆମେରିକା ଯାଇଛନ୍ତି। ତେଣୁ ପ୍ରତ୍ୟର୍ପିତଙ୍କ ବିମାନ ଗୁଜରାଟରେ ଅବତରଣ କରିବା କଥା।”

ଅନ୍ୟପକ୍ଷରେ ବିଜେପି ମୁଖ୍ୟମନ୍ତ୍ରୀ ମାନଙ୍କ ଏପରି ବୟାନକୁ ତୀବ୍ର ସମାଲୋଚନା କରିଛି। ସେ ଜାଣିଶୁଣି ପୂରା ପ୍ରସଙ୍ଗକୁ ରାଜନୀତିକ ରଙ୍ଗ ଦେଉଛନ୍ତି ବୋଲି ବିଜେପି କହିଛି। ଦଳର ଜାତୀୟ ମୁଖପାତ୍ର ଆରପି ସିଂହ କହିଛନ୍ତି, “ଅମୃତସର ହେଉଛି ଆମେରିକାରୁ ଭାରତରେ ପ୍ରବେଶ କରିବା ବେଳେ ସବୁଠାରୁ ନିକଟବର୍ତ୍ତୀ ଏୟାରପୋର୍ଟ। ତେଣୁ ଆମେରିକା ବିମାନରେ ଆସୁଥିବା ବେଆଇନ ପ୍ରବାସୀଙ୍କ ବିମାନ ସେଠାରେ ଅବତରଣ କରୁଛି। ଏହି ପ୍ରସଙ୍ଗକୁ ରାଜନୀତିକ ରଙ୍ଗ ଦେବା ବନ୍ଦ କରନ୍ତୁ। ଅଳ୍ପ ବୁଦ୍ଧି ଯୋଗୁ ଆରମ୍ଭ କରିଥିବା ଷଡ଼ଯନ୍ତ୍ର ଥିଓରୀକୁ ପ୍ରଚାର କରନ୍ତୁ ନାହିଁ।”

ବିଜେପି ସାଂସଦ ପ୍ରବୀଣ ଖାଣ୍ଡେଲୱାଲ ମଧ୍ୟ ମାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରନ୍ତୁ ନାହିଁ। ଆପ ନେତାମାନେ ଦେଶର ସୁରକ୍ଷା ବାବଦରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ରାଜନୀତି କରନ୍ତି।”

USA Migrants Migrant Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe