ଜଗନ୍ନାଥ ଧାମରୁ ଉଠ ଓଡ଼ିଆର ସ୍ୱାଭିମାନ ଓ ସ୍ୱାବଲମ୍ବନ ଯାତ୍ରା ଆରମ୍ଭ

ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାଭିମାନ ଓ ସ୍ୱାବଲମ୍ବନର ସଂକଳ୍ପ ନେଇ ଆରମ୍ଭ ହୋଇଥିବା ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ବାହାରି ଚନ୍ଦନପୁରରେ ପହଂଚିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଯାତ୍ରୀ ଓଡ଼ିଶାର ଖଣି ପାଣି ଆଦି ପ୍ରାକୃତିକ ସଂପଦର ହରିଲୁଟକୁ ବିରୋଧ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସମ୍ବଳର ସୁରକ୍ଷା ଓ ବିକାଶ ନେଇ ଜନ ଜାଗରଣ ପାଇଁ ଯାତ୍ରା ଜାରି ରଖିଛନ୍ତି।

Utha Odia

  • Published: Wednesday, 10 April 2024
  • , Updated: 10 April 2024, 05:21 PM IST

ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱାଭିମାନ ଓ ସ୍ୱାବଲମ୍ବନର ସଂକଳ୍ପ ନେଇ ଆରମ୍ଭ ହୋଇଥିବା ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ବାହାରି ଚନ୍ଦନପୁରରେ ପହଂଚିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଯାତ୍ରୀ ଓଡ଼ିଶାର ଖଣି ପାଣି ଆଦି ପ୍ରାକୃତିକ ସଂପଦର ହରିଲୁଟକୁ ବିରୋଧ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସମ୍ବଳର ସୁରକ୍ଷା ଓ ବିକାଶ ନେଇ ଜନ ଜାଗରଣ ପାଇଁ ଯାତ୍ରା ଜାରି ରଖିଛନ୍ତି।

ପୂର୍ବାହ୍ନରେ ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ସିଂହଦ୍ଵାର, ମାର୍କେଟ ଛକ, ବଳଗଣ୍ଡି, ଅଠରନଳା, ବାଟମଙ୍ଗଳା ଦେଇ ଓଡ଼ିଆ ସ୍ୱାଭିମାନର ଆଦ୍ୟ ଉଦ୍ୟକ୍ତା ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣପୁରରେ ପହଞ୍ଚିଥିଲା। ସେଠାରେ ଗ୍ରାମ୍ୟ କମିଟି ତରଫରୁ ସଂକଳ୍ପ ଯାତ୍ରାକୁ ସ୍ୱାଗତ କରାଯାଇଥିଲା। ଗ୍ରାମବାସୀମାନେ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାର ଯାତ୍ରୀମାନଙ୍କ ନିମନ୍ତେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥିଲେ। ଅପରାହ୍ନରେ ଯାତ୍ରା ଚନ୍ଦନପୁରରେ ପହଞ୍ଚିଥିଲା। ଚନ୍ଦନପୁର ବଜାର ଓ ଗାଁରେ ଏହି ପଦଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ପଥପ୍ରାନ୍ତ ବୈଠକ ଆୟୋଜିତ ହୋଇଥିଲା। ବଜାର କମିଟି ତରଫରୁ ଯାତ୍ରୀମାନଙ୍କୁ ସ୍ଵାଗତ କରାଯାଇଥିଲା ଓ ରାତ୍ର ଭୋଜନର ବ୍ୟବସ୍ଥା ହୋଇଥିଲା। ବାଟସାରା ଯାତ୍ରୀମାନେ ଓଡ଼ିଆ ସ୍ୱାଭିମାନ ଓ ସ୍ୱାବଲମ୍ବନ ନେଇ ‘ଖଣିପାଣି ସବୁ ବିଦେଶୀ ନେଲେ, ଓଡ଼ିଆ ଯୁବକ ଦାଦନ ଗଲେ’, ‘ଭାଷା ସଂସ୍କୃତି ଆମ ବଢ଼ିଆ,

ବିକ୍ରି ପାଇଁ ନୁହେଁ ଜମା ଓଡ଼ିଆ’ ଆଦି ସ୍ଲୋଗାନ ଦେଇଥିଲେ। ଏହା ସହିତ ଏହି ଉଦ୍ଦେଶ୍ୟ ସମ୍ବଳିତ ପ୍ରଚାରପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା।

ଉଠ ଓଡ଼ିଆ ସଂକଳ୍ପ ଯାତ୍ରୀ କାହ୍ନୁ ଚରଣ ବେହୁରା, ସୌମ୍ୟରଞ୍ଜନ ମହାନ୍ତି, ଅଶୋକ ଜେନା, ଜ୍ଞାନରଞ୍ଜନ ଦାସ, ଦୁର୍ଗାଚରଣ ଦାସ, ବଳରାମ ସେଠୀ, ପ୍ରସନ୍ନ କୁଆଁର, ରମାକାନ୍ତ ଜେନା, ଇନ୍ଦୁମତି ମଣ୍ଡଳ, ପ୍ରତିମା ଅପା, ବନ୍ଦିତା, ସଂତୋଷୀ, ରଶ୍ମିତା, ସୋନାଲି ପ୍ରମୁଖ ଯାତ୍ରାର ନେତୃତ୍ୱ ନେଉଛନ୍ତି। ଏହି ଯାତ୍ରା ଓଡ଼ିଆ ଅସ୍ମିତାର ପବିତ୍ରପୀଠ ସତ୍ୟବାଦୀ ଓ ସୁଆଣ୍ଡୋ ଓ ଧଉଳି ଆଦି ସ୍ଥାନ ଦେଇ ପବିତ୍ର ପଣା ସଂକ୍ରାନ୍ତିରେ ରାଜଧାନୀ ଭୁବନେଶ୍ୱରରେ ପହଂଚିବ। ବାଟରେ ସାଧାରଣ ଲୋକମାନଙ୍କଠାରୁ ମିଳିଥିବା ଉପେଦଶ ଓ ପରାମର୍ଶକୁ ଆଧାର କରି ପରବର୍ତ୍ତୀ ସମୟରେ ସ୍ୱାଭିମାନ ଓ ସ୍ୱାବଲମ୍ବନର ଭିତ୍ତି ଉପରେ ଏକ ସମୁନ୍ନତ ଓ ଶକ୍ତିଶାଳୀ ଓଡ଼ିଶା ଗଠନ କରିବାକୁ ଓଡ଼ିଆଙ୍କ ଇସ୍ତାହାର ପ୍ରଣୟନ କରାଯିବ ଓ ତାହାକୁ ହାସଲ କରିବା ନିମନ୍ତେ କୌଶଳ ଓ ମାର୍ଗ ପ୍ରସ୍ତୁତ କରାଯିବ।

Related story