Advertisment

ଓଡ଼ିଶାର ସ୍ୱାଭିମାନ ଓ ସ୍ୱାବଲମ୍ବନ ପାଇଁ ସଙ୍କଳ୍ପ ନେଲା ଉଠ ଓଡ଼ିଆ

ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା ସହ ରାଜ୍ୟକୁ ସ୍ୱାବଲମ୍ବୀ, ସମୃଦ୍ଧ ଓ ସମ୍ପନ୍ନ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶାବାସୀଙ୍କୁ ଜାଗ୍ରତ କରିବାର ଲକ୍ଷ୍ୟ ନେଇ ’ଉଠ ଓଡ଼ିଆ’ ସଙ୍ଗଠନ ପକ୍ଷରୁ ୫ ଦିନିଆ ସଂକଳ୍ପ ଯାତ୍ରା ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ଲୋୟର ପିଏମଜିଠାରେ ସମାପ୍ତ ହୋଇଛି।

author-image
Debendra Prusty
Utha Odia Padayatra For Odia Pride

Utha Odia Padayatra For Odia Pride

ଓଡ଼ିଆ ଅସ୍ମିତାକୁ ପୁନଃ ପ୍ରତିଷ୍ଠା ସହ ରାଜ୍ୟକୁ ସ୍ୱାବଲମ୍ବୀ, ସମୃଦ୍ଧ ଓ ସମ୍ପନ୍ନ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶାବାସୀଙ୍କୁ ଜାଗ୍ରତ କରିବାର ଲକ୍ଷ୍ୟ ନେଇ ’ଉଠ ଓଡ଼ିଆ’ ସଙ୍ଗଠନ ପକ୍ଷରୁ ୫ ଦିନିଆ ସଂକଳ୍ପ ଯାତ୍ରା ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ଲୋୟର ପିଏମଜିଠାରେ ସମାପ୍ତ ହୋଇଛି।

Advertisment

ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଶାର ସ୍ୱାଭିମାନ ଓ ସ୍ୱାବଲମ୍ବନର ସୁରକ୍ଷା ଓ ସୁଦୃଢୀକରଣ ପାଇଁ ସଂଗଠନ ପକ୍ଷରୁ ନିୟମିତ ରଚନାତ୍ମକ ଏବଂ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ବୋଲି ବକ୍ତାମାନେ ଘୋଷଣା କରିଥିଲେ। ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ପରିଚାଳନା ଦାବି ସହିତ ଓଡ଼ିଶାର ପ୍ରାକୃତିକ ସଂପଦ ଓଡ଼ିଶାବାସୀଙ୍କର ସାମୂହିକ ବିକାଶ ପାଇଁ ଅଗ୍ରାଧିକାର ଭିତ୍ତିରେ ବିନିଯୋଗ କରିବା ପାଇଁ ମଧ୍ୟ ସଂକଳ୍ପ ପ୍ରକାଶ ପାଇଥିଲା।

ଏହି ଅବସରରେ ଶ୍ରୀ କାହ୍ନୁ ଚରଣ ବେହୁରା, ସଦସ୍ୟ, ଉଠ ଓଡିଆ କହିଥିଲେ ଯେ, "ଓଡ଼ିଆ ଜାତିର ପୁନରୁତ୍ଥାନ ପାଇଁ ପ୍ରତ୍ୟେକ ବର୍ଗର ଲୋକଙ୍କୁ ଏକାଠି ଆସିବାକୁ ହେବ। ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସରକାରୀ ଅବହେଳା ଯୋଗୁଁ ଅତି ରୁଗ୍‌ଣ ସ୍ତରରେ ପହଞ୍ଚି ଥିବା ବେଳେ, ଗାଁ ଗାଁରେ ବେକାରୀ, ମଦ ଓ ଦାଦନ ସମସ୍ୟା ସାଧାରଣ ଓଡ଼ିଆଙ୍କୁ ଆନ୍ଦୋଳିତ କରୁଛି। ଏହି ପଦଯାତ୍ରା ମଧ୍ୟମରେ ଉଠ ଓଡିଆ ଏକ ସାଧାରଣ ଓଡ଼ିଆକୁ ନିଜ ହକ ପାଇଁ ଆଗେଇ ଆସିବାକୁ ଏକ ମଞ୍ଚ ଦେଇଛି। ଆଗାମୀ ଦିନରେ ଓଡ଼ିଆ ଅସ୍ମିତାର ଏହି ଲଢ଼େଇ ଆହୁରି ତୀବ୍ର ହେବ।"

Advertisment

ଆଉ ୧୨ ବର୍ଷ ପରେ ଆମ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ଶହେ ବର୍ଷ ପୂରିବା ବେଳକୁ ଏକ ସମ୍ପନ୍ନ ଓଡ଼ିଶାର ବାସ୍ତବ ରୂପାୟନ ଦେଖିବା ପାଇଁ ଓ ସେଥିପାଇଁ ଯୁବକମାନଙ୍କୁ ଉଠେଇବା ନିମନ୍ତେ ପ୍ରୟାସରତ ’ଉଠ ଓଡ଼ିଆ’ର ଏହି ପଦଯାତ୍ରା ଚନ୍ଦନପୁର, ବୀରହରେକୃଷ୍ଣପୂର୍, ସତ୍ୟବାଦୀ, ସୁଆଣ୍ଡୋ, ଗୁଡ଼ିଆପୋଖରି ଓ ଧଉଳି ଆଦି ଦେଇ ପ୍ରାୟ ୧୦୦ କିଲୋମିଟର ଚାଲି ଚାଲି, ବାଟରେ ପଥପ୍ରାନ୍ତ ସଭା ମାଧ୍ୟମରେ ଓଡ଼ିଆଙ୍କୁ ଉଠିବାକୁ ଆହ୍ୱାନ ଦେଇ ଭୁବନେଶ୍ୱରରେ ପହଞ୍ଚିଥିଲା।

ପଦଯାତ୍ରା ଶେଷରେ ଭୁବନେଶୋୱରରେ ହୋଇଥିବା ସାଧାରଣ ସଭାରେ ପଦଯାତ୍ରୀମାନଙ୍କ ତରଫରୁ ଅଶୋକ ଜେନା, ବନ୍ଦିତା ଦାସ, ଜ୍ଞାନ ରଞ୍ଜନ ଦାସ, ପବିତ୍ର ରାଉତରାଏ ଆଦି ନିଜ ଅଭିଜ୍ଞତା ପ୍ରକାଶ କରିଥିବା ବେଳେ ତାରାକାନ୍ତ ନାୟକ ବୈଠକର ସଂଯୋଜନା କରିଥିଲେ। ପଦଯାତ୍ରୀଙ୍କ ତରଫରୁ ବିଚିତ୍ର ବିଶ୍ଵାଳ ଉଠ ଓଡ଼ିଆର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ଉଠ ଓଡ଼ିଆ ଓଡ଼ିଶାର ସ୍ୱାଭିମାନ, ସ୍ଵାବଲମ୍ବନ ଓ ଅସ୍ମିତାକୁ ଫେରାଇ ଆଣିବା ପାଇଁ ଉଭୟ ଲଢ଼ିବା, ଯୋଡ଼ିବା ଓ ଗଢ଼ିବା କାମ କରିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଚରଣ ନାୟକ, ରମାକାନ୍ତ ମଣ୍ଡଳ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାକୁ ସମର୍ଥନ କରିବା ସହିତ ପଡ଼ାଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଆଶୀର୍ବଚନ ପ୍ରଦାନ କରିଥିଲେ।

ବୈଠକର ଶେଷରେ ସୌମ୍ୟରଂଜନ ମହାନ୍ତି, ଆସନ୍ତା ୨୦୩୬ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ନୂତନ ତଥା ସ୍ଵାଭିମାନୀ ଓ ସ୍ୱାବଲମ୍ବୀ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପ ପାଠ କରିଥିଲେ ଓ ବୈଠକରେ ଉପସ୍ଥିତ ଓଡ଼ିଆମାନେ ମଧ୍ୟ ସଂକଳ୍ପ ନେଇଥିଲେ। ବୈଠକର ଶେଷରେ କାହ୍ନୁ ଚରଣ ବେହୁରା ନୂତନ ଓଡ଼ିଶା ନିର୍ମାଣ ପାଇଁ ଶୁଦ୍ଧ ଓଡ଼ିଆ ପ୍ରାଣଙ୍କୁ ଆହ୍ବାନ କରିବା ସହ ଉଠ ଓଡ଼ିଆର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଓଡ଼ିଶାରେ ପ୍ରସ୍ତୁତ ଜିନିଷ ବ୍ୟବହାର ହେବ ବୋଲି ଘୋଷଣା କରିଥିଲେ।

ଉଠ ଓଡ଼ିଆର ଦୁର୍ଗା ପ୍ରସାଦ ଦାସ, ସୁଧାଂଶୁ ମୋହନ ରାଉତ, ପ୍ରସନ୍ନ କୁଅଁର, ପୀତାମ୍ବର ଭୂୟାଁ, ଭାରତ ସ୍ୱାଇଁ, ସ୍ନେହାଂଶୁ ଜେନା, ଆଶିଷ ମୁଦୁଲି, ପ୍ରଦୀପ ସିଂହ, ଅରୁଣ ପ୍ରଧାନ, ବେଣୁ ସାହୁ, ସଂତୋଷୀ, ରଶ୍ମିତା, ପ୍ରଦୀପ ପଣ୍ଡା, ସୁରେଶ ସ୍ୱାଇଁ, ତପନ ପ୍ରଧାନ, ଆଦିତ୍ୟ, ବନ୍ଦିତା, ଇନ୍ଦୁମତୀ ପ୍ରମୁଖ ଏହି ପଦଯାତ୍ରାର ନେତୃତ୍ୱ ନେଇଥିଲେ।

Odisha Odisha Reporter Odia Pride