ଜାନୁୟାରୀ ୨୮ରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ,୧୦୦ ଦିନରେ ଆସିଛି ୪୫ ହଜାର କୋଟି ପୁଞ୍ଜି: ମୁଖ୍ୟମନ୍ତ୍ରୀ

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସେ ଦୁଇଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।

ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • Published: Wednesday, 02 October 2024
  • , Updated: 02 October 2024, 09:35 PM IST

ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା -୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରିବା ଆମର ଲକ୍ଷ୍ୟ ରଖିଛୁ ଓ ୧୦୦ ଦିନ ଭିତରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାକୁ ଆସିସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସେ ଦୁଇଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗ ଦେଇ ଓଡ଼ିଶା ଆସିବା ପାଇଁ ମଧ୍ୟ ପୁଞ୍ଜିନିବେଶକଙ୍କୁ ନିବେଦନ କରିବେ। ଓଡ଼ିଶାକୁ ବହୁ ସଂଖ୍ୟାରେ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସେ ଉଦ୍ୟମ କରିବେ ।  ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ୱାନଟୁୱାନ୍ ଆଲୋଚନା ମଧ୍ୟ କରିବେ। ଏହାସହ  ବିଶେଷକରି ଫୁଡ୍ ପ୍ରୋସେସିଂ, ଆଇଟି, କେମିକାଲ, ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ପ୍ରାଥମିକତା ଦିଆଯିବ । ଏଦିଗରେ ବିଭିନ୍ନ ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରାଯିବ । ଓଡ଼ିଶାରେ ପୁଞ୍ଜିଲଗାଣ ତଥା ଶିଳ୍ପ ପ୍ରତିଷ୍ଠା ସମ୍ବନ୍ଧରେ ଥିବା ସକରାତ୍ମକ ଇକୋସିଷ୍ଟମ ସମ୍ବନ୍ଧରେ ସେ ଅବଗତ କରାଇବେ ।

ଏହି ନିବେଶକ ସମ୍ମିଳନୀରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାକୁ ଦ୍ରୁତ ଶିଳ୍ପାୟନ ପଥରେ ଆଗେଇ ନେବା ପାଇଁ ପ୍ରଚେଷ୍ଟା ଜାରି ରହିବ । ଉତ୍କର୍ଷ ମାନେ ଏକ୍ସଲେନ୍ସ ଓ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଉତ୍କର୍ଷ ଆଣିଦେବ । ରାଜ୍ୟବାସୀଙ୍କ ପକ୍ଷରୁ ଏହି କାମର ଶୁଭାରମ୍ଭ କରିବାକୁ ଯାଉଛି ଓ ରାଜ୍ୟବାସୀଙ୍କ ଆଶୀର୍ବାଦ ଲୋଡ଼ୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ ହୋଇଛି । ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି ।

Related story