ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି । ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବା ସହ ନିବେଶକଙ୍କ ପାଖରେ ବି ଗ୍ୟାରେଣ୍ଟର ସାଜିଛନ୍ତି । ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଏଭଳି ଏକ ଉଦାହରଣ ସାଜିବ ଯାହା କେହି କଳ୍ପନା କରିନଥିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିବା ସହ ଓଡ଼ିଶା ନୂଆ ଆକାଂକ୍ଷା, ସୁଯୋଗ ଓ ଆଶାବାଦର ଭୂମି ଯେଉଁଠି ସମସ୍ତ ନିବେଶକ ଓ ଉଦ୍ୟୋଗପତି ସଫଳତାର ଶିଖର ପର୍ଯ୍ୟନ୍ତ ପହଂଚିବେ ବୋଲି ଆଶ୍ୱସ୍ତ କରାଇଛନ୍ତି । ଏହାସହିତ ଓଡ଼ିଶା ପ୍ରତି ନିଜର ଭଲପାଇବାକୁ ବ୍ୟକ୍ତ କରିବା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ମଧ୍ୟ ତାଙ୍କ ଡିଏନଏରେ ଓଡ଼ିଶା ଥାଇପାରେ ବୋଲି କହିଥିବା ମୋଦି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆଜି ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭକୁ ଉଦଘାଟନ କରି ଏଭଳି ଶାନଦାର ଆୟୋଜନ ପାଇଁ ପ୍ରଶଂସା କରିବା ସହ ପୂର୍ବ ତୁଳନାରେ ଚଳିତଥର ୫-୬ଗୁଣ ଅଧିକ ନିବେଶକ ସାମିଲ ହୋଇଥିବା ତାଙ୍କୁ ସୂଚିତ କରାଯାଇଛି । ପୂର୍ବ ଭାରତକୁ ଦେଶର ବିକାଶର ଅଭିବୃଦ୍ଧି ଇଞ୍ଜିନ ଭାବେ ଅଭିହିତ କରି ମୋଦି କହିଛନ୍ତି ଯେ ଏଥିରେ ଓଡ଼ିଶାର ଏକ ବଡ଼ ଭୂମିକା ରହିଛି । ଇତିହାସ ସାକ୍ଷୀ ଅଛି, ପୂର୍ବ ଏସିଆରେ ହେଉଥିବା ବାଣିଜ୍ୟ କାରବାର ମୁଖ୍ୟ ସ୍ଥଳୀ ଓଡ଼ିଶା ଥିଲା । ଓଡ଼ିଶାର ପୁରୁଣା ବନ୍ଦର ଏକପ୍ରକାର ଭାରତର ଦ୍ୱାର ହେଉଥିଲା । ଏବେବି ଓଡ଼ିଶାରେ ପ୍ରତିବର୍ଷ ବାଲିଯାତ୍ରା ପାଳନ କରାଯାଉଛି । ନିକଟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଆସିଥିଲେ, ଆଉ କହିଲେ ବୋଧହୁଏ ତାଙ୍କ ଡିଏନଏରେ ଓଡ଼ିଶା ରହିଛି । ଓଡ଼ିଶା ଏଭଳି ଏକ ପୀଢ଼ୀକୁ ପ୍ରତିନିଧିତ୍ୱ କରୁଛି ଯାହା ଓଡ଼ିଶାକୁ ଦକ୍ଷିଣ ପୂର୍ବ ଏସିଆ ସହ ଯୋଡ଼ୁଛି । ଏବେ ଏକବିଂଶ ଶତାବ୍ଦୀରେ ଓଡ଼ିଶା ନିଜର ଗୌରବମୟ ପରମ୍ପରାକୁ ପୁଣିଥରେ ପୁନରୁଦ୍ଧାର କରିବାରେ ଲାଗିଛି । ସିଙ୍ଗାପୁର ରାଷ୍ଟ୍ରପତି ନିକଟରେ ଓଡ଼ିଶା ହୋଇ ଫେରିଛନ୍ତି ଓ ସେ ମଧ୍ୟ ଓଡ଼ିଶା ସହ ସମ୍ପର୍କ ବୃଦ୍ଧି ପାଇଁ ଉତ୍ସାହିତ ଅଛନ୍ତି । ଆସିୟାନା ରାଷ୍ଟ୍ରଗୁଡ଼ିକ ମଧ୍ୟ ଓଡ଼ିଶା ସହ ବ୍ୟବସାୟ ପାଇଁ ଇଚ୍ଛୁକ । ଏବେ ଓଡ଼ିଶାରେ ସବୁ କ୍ଷେତ୍ରରେ ଏତେ ସମ୍ଭାବନାର ଦ୍ୱାର ଖୋଲିଛି ଯାହାକି ସ୍ୱାଧୀନତା ପରେ କେବେ ହୋଇନଥିଲା । ନିବେଶକମାନଙ୍କୁ ଆହ୍ୱାନ କରି ମୋଦି କହିଥିଲେ ଯେ, ଓଡ଼ିଶାର ଏହି ବିକାଶ ଯାତ୍ରାରେ ପୁଞ୍ଜିନିବେଶ ହିଁ ଆପଣମାନଙ୍କୁ ସଫଳତାର ନୂଆ ଶିଖରରେ ପହଂଚାଇବ । ଏହା ମୋଦି ଗ୍ୟାରେଣ୍ଟି । ମୁଖ୍ୟମନ୍ତ୍ରୀ ବି କହିଛନ୍ତି ନିବେଶ ପାଇଁ ବର୍ତ୍ତମାନର ସମୟ ହିଁ ଠିକ୍ ସମୟ । ଯାହାକୁ ସେ ସମର୍ଥନ କରୁଛନ୍ତି ବୋଲି ମୋଦି କହିଥିଲେ । ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ଉପଯୁକ୍ତ ସ୍ଥାନ । ବିପୁଳ ସମ୍ଭାବନା ସବୁ କ୍ଷେତ୍ରରେ ରହିଛି । ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀ ନେଇଥିବା ସଂକଳ୍ପକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାରର ସହଯୋଗ ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ଭାବେ ପ୍ରାୟ ୩୦ଥର ଓଡ଼ିଶା ଆସିସାରିଲେଣି । ବୋଧହୁଏ ସ୍ୱାଧୀନତା ପରେ ଦେଶର ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶି ଏତେଥର ଓଡ଼ିଶାକୁ ଆସିନଥିବେ ବୋଲି ମୋଦି କହିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭରେ ନିବେଶକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଯଦି ନିବେଶକମାନେ ଅଧା ପାଦ ଚାଲିବେ, ତାଙ୍କ ସରକାର ୩ପାଦ ଚାଲିବାକୁ ପ୍ରସ୍ତୁତ ଅଛି । ନିବେଶକଙ୍କ ସୁବିଧା ପାଇଁ ସରକାର ସବୁପ୍ରକାରର ସୁବିଧା ଓ ସହଜ ବାତାବରଣ କରିଥିବା ସମ୍ପର୍କରେ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଓ ଦୂରଦୃଷ୍ଟିକୁ ପାଥେୟ କରି ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ଶିଳ୍ପ ବିକାଶ କେବଳ ଆମ ରାଜ୍ୟ ପାଇଁ ନୁହେଁ ସମଗ୍ର ଭାରତ ପାଇଁ ପ୍ରଗତି ଓ ବିକାଶର ଏକ ମଡେଲ ଭାବେ କାର୍ଯ୍ୟ କରିବ । ଆସନ୍ତୁ ଓଡ଼ିଶାରେ ନିବେଶ କରନ୍ତୁ ଓ ଏହା ହିଁ ଠିକ୍ ସମୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।
ଆଜିର ଉଦଘାଟନୀ ସମାରୋହ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୧୦୦ରୁ ଅଧିକ କମ୍ପାନୀର ସିଇଓମାନଙ୍କ ସହ ସ୍ୱତନ୍ତ୍ର ଭାବେ ବୈଠକ କରିଥିଲେ । ତାଙ୍କ ସରକାର କିଭଳି ନିବେଶକଙ୍କ ପାଇଁ ଉପଯୁକ୍ତ ଇକୋସିଷ୍ଟମ ପ୍ରସ୍ତୁତ କରିଛନ୍ତି ତାହା ଅବଗତ କରାଇଥିଲେ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ । କିନ୍ତୁ ଆଜିର ଯାହା ପରିବେଶ ରହିଛି ଏହି ନିବେଶ ପରିମାଣ ୩ଗୁଣ ଅଧିକ ହେବ ବୋଲି ଆଶା କରୁଛୁ ।
ସେହିପରି ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ପ୍ରଥମ ଦିନରେ ୫୪ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସଂଖ୍ୟା ଆଉ ୨-୩ଘଣ୍ଟା ମଧ୍ୟରେ ୮୦କୁ ଛୁଇଁବ । ମୋଟ ୪ରୁ ସାଢ଼େ ୪ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଲାଣି । କେବଳ ଆଦାନୀ ଗ୍ରୁପଠାରୁ ୨.୨୮ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ସେମାନେ ଓଡ଼ିଶାରେ ସିମେଂଟ,ଆଲୁମିନା, ସ୍ମେଲଟର, ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହି ଅର୍ଥ ନିବେଶ କରିବେ ବୋଲି ସେ କହିଛନ୍ତି । ବିର୍ଲା ଗ୍ରୁପ୍ ରାଜ୍ୟରେ କପର ଫଏଲ ପ୍ଲାଂଟ ସ୍ଥାପନ ପାଇଁ ଏମଓୟୁ କରିଛି । ଏହାଛଡ଼ା ପ୍ରଥମ ଦିନରେ ୧୦୦ରୁ ଅଧିକ ନିବେଶକ ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ଆଗ୍ରହ ବ୍ୟକ୍ତ କରିଛନ୍ତି ।
ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି ଯେ, ଆଗାମୀ ୬ବର୍ଷ ମଧ୍ୟରେ ଅନୁଗୁଳ ପ୍ଲାଂଟ ସମ୍ପ୍ରସାରଣରେ ଆଉ ୭୦ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିପରି ଜେଏସଡବ୍ଲ୍ୟୁ ଗ୍ରୁପ୍ ପୋସ୍କୋ ସହ ମିଶି କେନ୍ଦୁଝରରେ ୩୫ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ କାରଖାନା କରିବା ପାଇଁ ଚୁକ୍ତିବଦ୍ଧ ହୋଇଛି । ଜେଏସଡ୍ଲ୍ୟୁ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଲକ୍ଷ୍ୟ ରଖିଛି । ଇଣ୍ଡିଆନ ଅଏଲ କର୍ପୋରେସନ ଆଉ ୭୦ହଜାର କୋଟି ଟଙ୍କା ପାରାଦୀପ ଓ ଭଦ୍ରକରେ ପେଟ୍ରୋ କେମିକାଲ କ୍ଷେତ୍ରରେ ନିବେଶ କରିବ । ବେଦାନ୍ତ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରେ ରାୟଗଡ଼ାରେ ନିଜର ଏକ ବୃହତ୍ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଗୋପାଳପୁରଠାରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆବାଡ଼ା ଗ୍ରୁପ୍ ୨୦ହଜାର କୋଟି ଟଙ୍କା ନିବେଶ କରିବାର ପ୍ରତିଶ୍ରୁତି ଦେଇଛି । ବିର୍ଲା ଗ୍ରୁପ୍ ଆଗାମୀ ଦିନରେ ଓଡ଼ିଶାରେ ଆଲୁମିନା ଓ ସ୍ମେଲଟର କ୍ଷେତ୍ରରେ ୫୦ହଜାର କୋଟି ଟଙ୍କା ନିବେଶ କରିବ ବୋଲି କହିଛି ।
ଆଜିର ଏହି କନକ୍ଲେଭରେ ଦେଶର ପ୍ରମୁଖ ଶିଳ୍ପପତି ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରୱାଲଙ୍କ ସମେତ ୧୭ଟି ଦେଶର ପ୍ରତିନିଧିମାନେ ଯୋଗ ଦେଇଥିବା ଜଣାପଡ଼ିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।