Advertisment

ମହିମା ଗାଦି ରୂପାନ୍ତରୀକରଣରେ କିଏ ଦେଉଥିଲେ ବାଧା? କାହାକୁ ବାଣ ମାରିଲେ ପାଣ୍ଡିଆନ୍‌?

‘ମଞ୍ଜୁର ହୋଇଥିବା ଟଙ୍କାରେ ମହିମା ଗାଦି ପୀଠର ରୂପାନ୍ତରିକରଣ କରାଯିବ। ଆପଣମାନେ ଭଲ ଭାବେ ଜାଣିଛନ୍ତି କିଛି ଭଲ କାମ କଲେ, ଆଉ କିଛି ବିରୋଧ କରନ୍ତି। କେମିତି ସେହି କାମ ବନ୍ଦ କରାଯିବ, ସେ ଉପରେ ଚିନ୍ତା କରନ୍ତି।’

author-image
Manoranjan Sial
ଅଦ୍ୟତନ ହୋଇଛି
V.K Pandian

V.K Pandian

ଢେଙ୍କାନାଳ ଯୋରନ୍ଦା ମହିମା ଗାଦିର ରୂପାନ୍ତରୀକରଣ ହେବ। ହେଲେ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ କିଏ ଦେଉଥିଲେ ବାଧା? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କିଏ ଲେଖିଥିଲେ ଚିଠି? ତାଙ୍କ ନାଁ ନନେଇ ଶିଳାନ୍ୟାସ ପର୍ବରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌। ଆଉ କହିଥିଲେ, ମହିମା ଗାଦିର ରୂପାନ୍ତରୀକରଣ କାମକୁ ବିରୋଧ କରାଯାଇଥିଲା।

Advertisment

ମହିମା ଅଲେଖ କହି ଭାଷଣ ଆରମ୍ଭ କରିଥିଲେ 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌। ପୀଠରେ ଉପସ୍ଥିତ ଥିବା ମହିମା ବାବା ଓ ଧର୍ମାବଲମ୍ବୀଙ୍କୁ ସମ୍ୱୋଧିତ କରି ଭି.କେ ପାଣ୍ଡିଆନ୍‌ କହିଥିଲେ, ମୁଁ ଏଠାକୁ ଭାଷଣ ଦେବା ପାଇଁ ଆସିନି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆସିଛି। ଆମେ ସମସ୍ତେ ଜାଣିଛୁ, ବହୁ ଲୋକ ଅଛନ୍ତି ଶ୍ରେୟ ନେବା ପାଇଁ କାମ କରନ୍ତି। ଆଉ କିଛି ଲୋକ ଅଛନ୍ତି, କାମ ବନ୍ଦ କରିବାକୁ ଚେଷ୍ଟା କରନ୍ତି। ଆପଣମାନେ ସେମାନଙ୍କୁ ଠିକ୍‌ ଭାବେ ଜାଣି ପାରିବେ। ଏ ଦୁନିଆରେ ବହୁ କମ୍‌ ଲୋକ ଅଛନ୍ତି, ଯେଉଁମାନେ ସେବା ମନୋଭାବ ନେଇ କାମ କରନ୍ତି। ଶ୍ରେୟ ପାଇଁ ନୁହେଁ। ସେମିତିକା ବ୍ୟକ୍ତି ହେଉଛନ୍ତି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ।

ସେ ଆହୁରି କହିଥିଲେ, ମେ’ ୨୯ ତାରିଖରେ ଆପଣମାନଙ୍କ ସହିତ କଥା ହେବା ପାଇଁ ମୋତେ ପଠାଇଥିଲେ ମୁଖ୍ୟମନ୍ତ୍ରୀ। ଏହାଛଡ଼ା ମହିମା ଗାଦିର ଉନ୍ନତି ପାଇଁ କ’ଣ ଦରକାର ସେ ଉପରେ ବିଚାର କରିବା ପାଇଁ କହିଥିଲେ। ମହିମା ଗାଦିର ଉନ୍ନତି ପାଇଁ ବହୁ ଆଲୋଚନା ହେଲା। ତା’ପରେ ଆପଣମାନେ (ମହିମା ଗାଦିର ବାବାମାନେ) ଭୁବନେଶ୍ୱର ଆସିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନବୀନ ନିବାସ ଆସି ଯେଉଁ ପରାମର୍ଶ ଦେଇଥିଲେ, ସେହି ହିସାବରେ ମୁଖ୍ୟମନ୍ତ୍ରୀ ପାଖାପାଖି ୧୫୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ।

Advertisment

ସେ କହିଥିଲେ, ମଞ୍ଜୁର ହୋଇଥିବା ଟଙ୍କାରେ ମହିମା ଗାଦି ପୀଠର ରୂପାନ୍ତରୀକରଣ କରାଯିବ। ଆପଣମାନେ ଭଲ ଭାବେ ଜାଣିଛନ୍ତି, କିଛି ଭଲ କାମ କଲେ, ଆଉ କିଛି ବିରୋଧ କରନ୍ତି। କେମିତି ସେହି କାମ ବନ୍ଦ କରାଯିବ, ସେ ଉପରେ ଚିନ୍ତା କରନ୍ତି। ସେମିତି କିଛି ଲୋକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ପଠାଇ ଥିଲେ। କାହିଁକି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି? କ’ଣ ଲାଭ ହେବ ବୋଲି ପ୍ରଶ୍ନ କରିଥିଲେ। ଆଉ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମହିମା ଗାଦିକୁ ବହୁ ଭଲ ପାଆନ୍ତି ଓ ସମ୍ମାନ ଦିଅନ୍ତି। ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଏହି ମହିମା ଧର୍ମ ଦୁନିଆକୁ ଭଲ ବାର୍ତ୍ତା ଦେଉଛି। ସ୍ୱଚ୍ଛତା, ସରଳତା, ସମ୍ମାନତା ଓ ନିସ୍ୱାର୍ଥପର ସେବାର ବାର୍ତ୍ତା ଦେଇଥିବା ଏହି ମହିମା ଧର୍ମକୁ ଆଗେଇ ନେବାକୁ ପଡ଼ିବ। ସେହି ଉଦ୍ଦେଶ୍ୟ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଯୋରନ୍ଦାରେ ଥିବା ମହିମା ଗାଦି ସହିତ ସାରା ଓଡ଼ିଶାରେ ଥିବା ପାଖାପାଖି ୮୧ଟି ମହିମା ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍‌ କରିଛନ୍ତି।

ସୂଚନାରୁ ପ୍ରକାଶ, ଯୋରନ୍ଦା ଅଲେଖ ମହିମା ପୀଠର ଉନ୍ନତି କରଣ କରାଯିବ। ସେଥିପାଇଁ ଆଜି ଥିଲା ଶିଳାନ୍ୟାସ ପର୍ବ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଜିର ସଭାରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ସବୁ ବିଜେଡି ବିଧାୟକ ଯୋଗଦେଇଥିଲେ।

BjD Dhenkanal