Advertisment

ବିଜେପିର ରାଏ ବରେଲୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ବରୁଣ ଗାନ୍ଧି !

ବରୁଣ ଗାନ୍ଧି ବିଜେପିରେ ଥାଇ ମଧ୍ୟ ଦଳର ଏପରି ପ୍ରସ୍ତାବକୁ ଗ୍ରହଣ କରି ନଥିବା ଜଣାପଡ଼ିଛି।

author-image
Hemant Lenka
Varun Gandhi

Varun Gandhi

କଂଗ୍ରେସର ଗଡ଼ ରାଏ ବରେଲୀରେ ବିଜେପି ଗାନ୍ଧି ପରିବାରର ସଦସ୍ୟ ତଥା ସାଂସଦ ବରୁଣ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ଏପରି କି ବରୁଣ ଗାନ୍ଧିଙ୍କୁ ଦଳ ଏଠାକୁ ଟିକେଟ ଦେବାକୁ ପ୍ରସ୍ତାବ ଦେଇଥିଲା। କଂଗ୍ରେସ ଏଠାରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପ୍ରାର୍ଥୀ କରିପାରେ।

Advertisment

ତେଣୁ ଦୁଇ ସମ୍ପର୍କୀୟ ଭାଇ-ଭଉଣୀଙ୍କ ମଧ୍ୟରେ ଲଢ଼େଇ କରିବାକୁ ବିଜେପି ଲକ୍ଷ୍ୟ ରଖିଥିଲା। ତେବେ ବରୁଣ ଗାନ୍ଧି ବିଜେପିରେ ଥାଇ ମଧ୍ୟ ଦଳର ଏପରି ପ୍ରସ୍ତାବକୁ ଗ୍ରହଣ କରି ନଥିବା ଜଣାପଡ଼ିଛି।

୨୦୦୪ରୁ ସୋନିଆ ଗାନ୍ଧି ରାଏ ବରେଲୀରୁ ଜିତି ଆସୁଥିଲେ। କିନ୍ତୁ ଚଳିତ ବର୍ଷ ଫେବୃଆରୀରୁ ସେ ରାଜସ୍ଥାନରୁ ରାଜ୍ୟସଭା ଯାଇଛନ୍ତି। ଏହାର ଅର୍ଥ ୨୦୨୪ରେ ସେ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କ ବଦଳରେ ଝିଅ ପ୍ରିୟଙ୍କା ଏଠାରୁ କଂଗ୍ରେସ ଟିକେଟରେ ଲଢ଼ି ପାରନ୍ତି।

Advertisment

କଂଗ୍ରେସ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟିକେଟ ଦେବାକୁ ଚାହୁଁଥିବାରୁ ବିଜେପି ବରୁଣ ଗାନ୍ଧିଙ୍କ ପାଖରେ ପହଞ୍ଚି ଯାଇଥିଲା। ତାଙ୍କୁ ରାଏ ବରେଲୀରୁ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ କହିଥିଲା। କିନ୍ତୁ ବରୁଣ ଏହି ପ୍ରସ୍ତାବରେ ରାଜି ହୋଇ ନଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ବରୁଣ ଗାନ୍ଧି ରାଏ ବରେଲୀରେ ଗାନ୍ଧି ବନାମ ଗାନ୍ଧି ଲଢ଼େଇ ହେଉ ବୋଲି ଚାହୁଁ ନାହାନ୍ତି। ତେଣୁ ସେ ଏପରି ପଦକ୍ଷେପ ନେଇଛନ୍ତି।

୨୦୧୯ରେ ବରୁଣ ଫିଲିଭିଟ ଆସନରୁ ବିଜେପି ଟିକେଟରେ ଜିତିଥିଲେ। ୨୦୨୪ରେ ବିଜେପି ତାଙ୍କୁ ଏଠାରୁ ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ କଂଗ୍ରେସରୁ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିଛି।

ଟିକେଟ ନ ପାଇବା ପରେ ମଧ୍ୟ ବରୁଣ ଗାନ୍ଧି ଅସନ୍ତୋଷ ପ୍ରକାଶ କରି ନଥିଲେ। ସେ ଗୋଟିଏ ଖୋଲା ଚିଠି ଲେଖି ଫିଲିଭିଟ ମାଟି ପାଇଁ କାମ କରିବେ ବୋଲି କହିଥିଲେ। ବରୁଣଙ୍କୁ ବିଜେପି ଟିକେଟ ଦେଇ ନଥିବା ବେଳେ ତାଙ୍କ ମା’ ମନେକା ଗାନ୍ଧିଙ୍କୁ କିନ୍ତୁ ଦଳ ସୁଲତାନପୁରରୁ ପ୍ରାର୍ଥୀ କରିଛି।

ରାଏ ବରେଲୀରେ ଗାନ୍ଧି ପରିବାରକୁ ଚ୍ୟାଲେଞ୍ଜ କିଏ ଦେଇ ପାରିବେ, ସେଥିପାଇଁ ବିଜେପି ଗୋଟିଏ ସର୍ଭେ କରିଥିଲା। ଏହାପରେ ଯାଇ ଦଳ ବରୁଣ ଗାନ୍ଧିଙ୍କୁ ଟିକେଟ ଅଫର କରିଥିଲା।

ସୋନିଆ ଗାନ୍ଧି ୨୦୦୪ରେ ଏଠାରୁ ଜିତିଥିଲେ ମଧ୍ୟ ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ୧୯୬୭ରୁ ୧୯୮୪ ମଧ୍ୟରେ ଏକାଧିକ ଥର ରାଏ ବରେଲୀରୁ ବିଜୟୀ ହୋଇଥିଲେ। ନେହରୁ ଓ ଗାନ୍ଧି ପରିବାର ଅରୁଣ ନେହରୁ ଓ ଶୈଳା କୌଲ ମଧ୍ୟ ଏଠାରୁ ଜିତିବାର ନଜିର ରହିଛି।

ରାଏ ବରେଲୀ ଭଳି ଆମେଠି ମଧ୍ୟ କଂଗ୍ରେସର ଗଡ଼ ଥିଲା। କିନ୍ତୁ ୨୦୧୯ରେ ଏଠାରେ ସ୍ମୃତି ଇରାନୀ ବେଶ ଚତ୍ମକାର ଭାବେ ରାହୁଲ ଗାନ୍ଧିଙ୍କୁ ହରାଇ ହରାଇ ଦେଇଥିଲେ। କିନ୍ତୁ ବିଜେପି ଏଯାଏ ରାଏ ବରେଲୀରେ ବିଜୟ ସ୍ୱାଦ ଚାଖି ପାରି ନାହିଁ। ଦଳ ୨୦୨୪ରେ ରାଏ ବରେଲୀ କଂଗ୍ରେସ ଠାରୁ ଛଡ଼ାଇ ଆଣିବାକୁ ଲକ୍ଷ୍ୟ ରଖିଛି।

Uttar Pradesh Varun Gandhi Lok Sabha Election 2024