ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୧୯ ସାଧାରଣ ନିର୍ବାଚନ ପରଠୁ ସକ୍ରିୟ ସାର୍ବଜନୀନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ଏବେ ପୁଣିଥରେ ସକ୍ରିୟ ହୋଇଛନ୍ତି। ଶ୍ରୀ ରାୟଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱର ସହରରେ ତାଙ୍କର ପୋଷ୍ଟର ଛାଇ ହୋଇଯାଇଥିବାବେଳେ ତାଙ୍କ ରାଜନୀତିକ ସଚିବଙ୍କ ଦ୍ୱାରା ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭ ଓ ଗତ କିଛିଦିନ ଧରି ଦିଲ୍ଲୀପ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ହିଁ ଦିଲ୍ଲୀପଙ୍କ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନର ସନ୍ଦେଶ ଦେଇଛି।
ସୂଚନା ଅନୁସାରେ, ରାଜ୍ୟରେ ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବାବେଳେ ରାଉରକେଲା ସହରରେ ଦିଲ୍ଲୀପଙ୍କର ନିଜସ୍ୱ ଭୋଟବ୍ୟାଙ୍କ ଓ ପ୍ରଭାବକୁ ଉପଯୋଗ କରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ରାଉରକେଲା ସହରର ଦୁଇଟି ଯାକ ବିଧାନସଭା ଆସନ ବିଜେଡି କବଜାରେ ଥିଲେ ମଧ୍ୟ ସହରରେ ବିଜେପିର ପ୍ରଭାବ ରହିଛି। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ ଓରାମ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଥିବାବେଳେ ରାଉରକେଲା ମହାନଗର ନିଗମକୁ ହାତେଇବାକୁ ମଧ୍ୟ ବିଜେଡି ପ୍ରୟାସ ଆରମ୍ଭ କରିସାରିଛି। ମାତ୍ର ଦିଲ୍ଲୀପଙ୍କ ବିନା ସହଯୋଗରେ ରାଉରକେଲା ମହାନଗର ନିଗମ ଅଂଚଳକୁ ହାତେଇବା ସହଜ ନୁହେଁ। ଯେଉଁଥିପାଇଁ ଦିଲ୍ଲୀପଙ୍କ ସହ ବିଜେଡି ଏବେ ଅଲିଖିତ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି। ତା’ଛଡ଼ା ବିଜୟ ମହାପାତ୍ରଙ୍କୁ ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟରେ ରଖିଥିବାବେଳେ ତାଙ୍କର ଖାସ୍ ସହଯୋଗୀ ଦିଲ୍ଲୀପଙ୍କୁ ଏହି ପଦରୁ ମଧ୍ୟ ବାଦ୍ ଦେଇସାରିଛି। ୨୦୧୯ ସାଧାରଣ ନିର୍ବାଚନ ପରଠୁ ସମସ୍ତ ପ୍ରକାରର ରାଜନୀତିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଦିଲ୍ଲୀପଙ୍କୁ ଏବେ ଗତ କିଛିଦିନ ଧରି ରାଉରକେଲା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଯାହାକି ଏଭଳି ଚର୍ଚ୍ଚାକୁ ମଧ୍ୟ ବଳ ଯୋଗାଉଛି। ତା’ଛଡ଼ା ତାଙ୍କର ରାଜନୀତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ଲେଖିଥିବା କିଛି ତଥ୍ୟ ହିଁ ଦିଲ୍ଲୀପଙ୍କ ସକ୍ରିୟ ରାଜନୀତିକୁ ଫେରିବା ଓ ବିଜେଡିର ନିକଟତର ହେଉଥିବାର ସନ୍ଦେଶ ଦେଇଛି । ବିଶେଷକରି ୨୦ ବର୍ଷ ତଳର କୋଇଲା ଦୁର୍ନୀତି ମାମଲାର ଫାଇଲକୁ ସିବିଆଇ ପୁଣିଥରେ ଖୋଲି ଦିଲ୍ଲୀପଙ୍କୁ ଫସାଇବାକୁ ଚକ୍ରାନ୍ତ କରିଥିବା କଥା ଶ୍ରୀ ମହାନ୍ତି ଲେଖିଛନ୍ତି।
ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ରାଉରକେଲା ସହରର ବିକାଶ ପାଇଁ ଦିଲ୍ଲୀପଙ୍କ ଦାବିକୁ ଗ୍ରହଣ କରିଥିବା କହିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ନିବାସ ଯାଇ ଦିଲ୍ଲୀପ ଭେଟିବା ଓ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ଚୁପ୍ ରହିଥିବା ଶ୍ରୀ ମହାନ୍ତି ଏବେ ଉଠାଇବାର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ। ସୁନ୍ଦରଗଡ଼ଠାରେ ମେଡ଼ିକାଲ କଲେଜ ସ୍ଥାପନ, ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି କାର୍ଯ୍ୟ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀପ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ଏବଂ କୋଇଲା ଦୁର୍ନୀତିରେ ଦିଲ୍ଲୀପଙ୍କୁ ଫସାଇବା ପାଇଁ ହୋଇଥିବା ଚକ୍ରାନ୍ତକୁ ନେଇ ଦିଲ୍ଲୀପଙ୍କ ରାଜନୀତିକ ସଚିବ ଶ୍ରୀ ମହାନ୍ତି ଏବେ କାହିଁକି ମୁହଁ ଖୋଲିଲେ? ଦିଲ୍ଲୀପଙ୍କ ଫେରିବା ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି ନା ବିଜେଡିକୁ ଖୁସି କରି ୨୦୨୨ ଜୁନରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନରେ ଦିଲ୍ଲୀପଙ୍କୁ ପଠାଇବାକୁ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।