BJD
ଦୀର୍ଘ ଏକ ଦଶନ୍ଧି ଧରି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ‘ଉପରେ ପଡ଼ି ପ୍ରେମ’ କରୁଥିବା ବିଜେଡି ଆଜି ପୁଣିଥରେ ନିଜର ସୁବିଧାବାଦୀ ଚିତ୍ର ଓ ଚରିତ୍ରକୁ ପଦାରେ ପକାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ‘ସମଦୂରତ୍ୱର ଆଳ’ ଦେଖାଇ ଉଭୟ ଏନଡିଏ ଓ ଇଣ୍ଡିମେଂଟଠୁ ଦୂରେଇ ରହିବ ବୋଲି ନିଷ୍ପତ୍ତି ନେଇ ସିଧାସଳଖ ନିଜର ସାଂସଦମାନଙ୍କ ଭୋଟ୍ ଦାନ ଅଧିକାରକୁ ହାଇଜ୍ୟାକ୍ କରିନେଇଛି ।
ସେପଟେ ବିଜେଡିର ଏହି ଭୋଟଦାନରୁ ବିରତ ରହିବା ନିଷ୍ପତ୍ତିକୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସ୍ୱାଗତ କରିବା ସହ ଏହା ଏନଡିଏକୁ ‘ପରୋକ୍ଷ ସମର୍ଥନ’ କହିଥିବାବେଳେ ଇଡି-ସିବିଆଇ ଓ ଆଇଟି ଭୟରେ ବିଜେଡି ଏଭଳି ପରୋକ୍ଷ ସମର୍ଥନ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଭୋଟଦାନରୁ ବିରତ ରହିବ ବିଜେଡି: ବିଜେପିର ସ୍ୱାଗତ, କଂଗ୍ରେସର କଟାକ୍ଷ
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ରାଜ୍ୟସଭାରେ ବିଜେଡିର ନେତା ସସ୍ମିତ ପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ଦଳର ବରିଷ୍ଠ ନେତା, ରାଜନୀତିକ ବ୍ୟାପାର କମିଟି ଓ ସାଂସଦମାନଙ୍କ ସହ ଦଳର ସଭାପତି ନବୀନ ପଟ୍ଟନାୟକ ବିଚାରବିମର୍ଶ କରିବା ପରେ ଉପରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛନ୍ତି । ଏନଡିଏ ଓ ଇଣ୍ଡିମେଂଟଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖିବ । ଓଡ଼ିଶା ଓ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ବିକାଶ ପାଇଁ ବିଜେଡି କାର୍ଯ୍ୟରତ ରହିଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।
ବିଜେଡିର ଏହି ଘୋଷଣାକୁ ବିଜେପି ସ୍ୱାଗତ କରିଛି । ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, “ଭୋଟଦାନରୁ ବିରତ ରହିବାକୁ ନିଷ୍ପତ୍ତି ନେଇ ନବୀନବାବୁ ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଛନ୍ତି ।” ସେହିପରି ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, “ ବିଜେଡିର ନିଷ୍ପତ୍ତିକୁ ଏନଡିଏ ପ୍ରାର୍ଥୀଙ୍କ ପାଇଁ ସୁବିଧାଦାୟକ ହୋଇଛି,ସେମାନେ ଆମର ପ୍ରାର୍ଥୀଙ୍କୁ ବିରୋଧ କରିନାହାନ୍ତି ।”
ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି ଯେ “ ଭୋଟଦାନରୁ ବିରତ ରହିବା ଅର୍ଥ ବିଜେପିକୁ ସମର୍ଥନ କରିବା । ବିଜେଡି ପ୍ରକୃତରେ ବିଜେପିକୁ ବିରୋଧ କରୁଛନ୍ତି ବୋଲି ପ୍ରମାଣିତ କରିବାର ଏକ ସୁଯୋଗ ଏବେ ଥିଲା ।” ସେହିପରି ଭକ୍ତଙ୍କ ସହ ସ୍ୱର ମିଳାଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ “ଇଡି, ସିବିଆଇ-ଆଇଟି ଭୟରେ ପରୋକ୍ଷରେ ସମର୍ଥନ କରୁଛନ୍ତି । ସମଦୂରତ୍ୱର କଥା କହୁଛନ୍ତି କିନ୍ତୁ ବିଚାରଧାରାକୁ ଦେଖିଲେ ଏନଡିଏ ପ୍ରାର୍ଥୀଠାରୁ ଇଣ୍ଡିମେଂଟ ପ୍ରାର୍ଥୀ ଭଲ । ଏନଡିଏ ପ୍ରାର୍ଥୀ ଆରଏସଏସ୍ ଚିନ୍ତାଧାରାର ଓ ଇଣ୍ଡିମେଂଟ ପ୍ରାର୍ଥୀ ସାମାଜିକ ଚିନ୍ତାଧାରାର ପ୍ରାର୍ଥୀ । ସମୟ ଅଛି । ଆଶା କରୁଛୁ ନବୀନବାବୁ ନିଷ୍ପତ୍ତି ବଦଳାଇବେ ।”
ସମଦୂରତ୍ୱ ଆଳରେ ଆତ୍ମସମର୍ପଣ, ବିଜେଡିର ସୁବିଧାବାଦୀ ନୀତି
୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିଠୁ ମେଂଟ ସମ୍ପର୍କ ଛିନ୍ନ କରିଥିବା ବିଜେଡି ବିଗତ ଦେଢ଼ ଦଶନ୍ଧି ମଧ୍ୟରେ ସର୍ବଦା ନିଜର ‘ସୁବିଧାବାଦୀ’ ଚରିତ୍ରର ନଗ୍ନଚିତ୍ରକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଛି । ୨୦୧୨, ୨୦୧୭ ଓ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନ ପରେ ୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ନିଜର ଯେଉଁ ଆଭିମୁଖ୍ୟ ଅବଲମ୍ବନ କରିଛି ତାହା ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଦଳର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ନୀତି ତଥା ସୁବିଧାବାଦୀ ରାଜନୀତି ତାଙ୍କ ପାଇଁ ସର୍ବୋପରି ବୋଲି ମଧ୍ୟ ପ୍ରମାଣିତ କରାଇଛନ୍ତି । ‘ସମଦୂରତ୍ୱ’କୁ କିଭଳି ନିଜ ସୁବିଧା ପାଇଁ ନବୀନ ପଟ୍ଟନାୟକ ଓ ବିଜେଡି ଉପଯୋଗ କରିଛନ୍ତି ତା’ର ନଗ୍ନଚିତ୍ର ବିଜେଡିର ବିଗତ ୩ଟି ଉପରାଷ୍ଟ୍ରପତି ନିର୍ବାଚନରେ ଆଭିମୁଖ୍ୟକୁ ଦେଖିଲେ ଯେକେହି ସହଜରେ ବୁଝିପାରିବେ ।
୨୦୧୨ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଯଶବନ୍ତ ସିଂ ଓ କଂଗ୍ରେସ ନେତୃତ୍ୱାଧୀନ ମେଂଟ ପ୍ରାର୍ଥୀ ଭାବେ ହମିଦ୍ ଅନସାରୀ ନିର୍ବାଚନ ଲଢ଼ିଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ମେଂଟର ସରକାରରେ ଥିଲା । ବିଜେଡି ‘ସମଦୂରତ୍ୱ’ର ଆଳ ଦେଖାଇ ନିର୍ବାଚନରୁ ବିରତ ରହି ପରୋକ୍ଷରେ କଂଗ୍ରେସ ପ୍ରାର୍ଥୀ ହମିଦ୍ ଅନସାରୀଙ୍କ ବିଜୟ ମାର୍ଗ ପ୍ରଶସ୍ତ କରିଥିଲା ।
୨୦୧୭ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଏମ ଭେଙ୍କୟାନାଇଡ଼ୁଙ୍କ ବିରୋଧ କଲା ଓ କଂଗ୍ରେସ ମେଂଟ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କଲା । ଅବଶ୍ୟ ଶ୍ରୀ ଗାନ୍ଧି ପରାଜିତ ହୋଇଥିଲେ ।
୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ବିଜେଡି ସମର୍ଥନ ଦେଇଥିଲା । ଆଉ କଂଗ୍ରେସ ମେଂଟ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ବିରୋଧ କରିଥିଲା ।
୨୦୨୫ ଉପରାଷ୍ଟ୍ରପତି ନିର୍ବାଚନରେ ଅନୁପସ୍ଥିତ ରହି ପରୋକ୍ଷରେ ଏନଡିଏ ପ୍ରାର୍ଥୀଙ୍କ ବିଜୟ ମାର୍ଗ ପ୍ରଶସ୍ତ କରାଇଛି ।
ବିଜେଡିର ‘ଉପରେ ପଡ଼ି ପ୍ରେମ’ ପଛର ବାଧ୍ୟବାଧକତା
ବିଗତ ଏକ ଦଶନ୍ଧି ଧରି ସମଦ୍ୱରତ୍ୱର ଆଳ କଥା କହିବା ଓ ଉପରେ ପଡ଼ି ବିଜେପିକୁ ପ୍ରେମ ନିବେଦନ କରିବାର ପରିଣତି ଦଳକୁ ନିଜର ୨୪ବର୍ଷର ଶାସନ ଦେଇ ହରାଇବାକୁ ପଡ଼ିସାରିଛି । ରାଜ୍ୟରେ ଦଳର ଲକ୍ଷଲକ୍ଷ କର୍ମୀ ଓ ନେତାମାନେ ମଧ୍ୟ ବିଜେଡିର ଏଭଳି ଆଭିମୁଖ୍ୟକୁ ତୀବ୍ର ବିରୋଧ କରୁଛନ୍ତି । ତଥାପି କେଉଁ ବାଧ୍ୟବାଧକତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନିସର୍ତ୍ତ ଆତ୍ମସର୍ମପଣ କରାଇବାକୁ ବାଧ୍ୟ କରୁଛି ତାକୁ ନେଇ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ।
୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟ ସମ୍ଭାବନା ବିଫଳ ହେବା ସତ୍ତ୍ୱେ ବିଜେଡିର ଏଭଳି ଆଭିମୁଖ୍ୟ ଦଳର ନୀତିଗତ ଦୁର୍ବଳତା ଓ ରାଜନୈତିକ ଅପରିପକ୍ୱତାକୁ ପଦାରେ ପକାଇଛି । କେବଳ ସେତିକି ନୁହେଁ, ଦଳୀୟ ସାଂସଦମାନଙ୍କ ଭୋଟ୍ ଅଧିକାରକୁ ମଧ୍ୟ ବିଜେଡି ନେତୃତ୍ୱ ଅପହରଣ କରିବାକୁ ପଛାଇନାହାନ୍ତି । ଯଦିଓ ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପ୍ ଲାଗୁ ହେବନାହିଁ ତଥାପି ସେମାନଙ୍କୁ ଭୋଟଦାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେବା ‘ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ କୁଠାରଘାତ’ ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1757333611.jpg)