Advertisment

ଉପରାଷ୍ଟ୍ରପତି ନିର୍ବାଚନ: ଦେବୀ-ବବି କଲେ କି ଷଡ଼ଯନ୍ତ୍ର? ବଦଳିଗଲା ନେତାଙ୍କ ନିଷ୍ପତ୍ତି, ଅନୁପସ୍ଥିତ ରହିବ ବିଜେଡି

ଜୁଲାଇ ୨୬ତାରିଖରେ ଶଙ୍ଖଭବନରେ ଦଳର କୋର ଟିମ୍ ସଦସ୍ୟମାନଙ୍କ ବୈଠକରେ ଏକସ୍ୱରରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦଳ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ନବୀନ ନିବାସକୁ ଭିନ୍ନ ଏକ ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଉଛି ।

undefined

Shankha Bhawan

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ଦଳ ଭିତରେ ଘମାସନ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିଜେପି ନେତା ରାଜନାଥ ସିଂ ଉଭୟ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ଉପରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ପ୍ରାର୍ଥୀକୁ ସମର୍ଥନ ଦେବାକୁ ଅନୁରୋଧ କରିଥିବାବେଳେ ବିଜେଡିର ଆଭ୍ୟନ୍ତରୀଣ ରିପୋର୍ଟ ଏବେ ଦଳୀୟ ମହଲରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି ।

Advertisment

ଜୁଲାଇ ୨୬ତାରିଖରେ ଶଙ୍ଖଭବନରେ ଦଳର କୋର ଟିମ୍ ସଦସ୍ୟମାନଙ୍କ ବୈଠକରେ ଏକସ୍ୱରରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦଳ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ନବୀନ ନିବାସକୁ ଭିନ୍ନ ଏକ ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଉଛି । ଏନଡିଏ ପ୍ରାର୍ଥୀଙ୍କୁ ‘ବିରୋଧ’ ନୁହେଁ ବରଂ ଦଳର ସାଂସଦମାନେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ‘ଅନୁପସ୍ଥିତ’ ରହିବା ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ନବୀନ ନିବାସକୁ ବରିଷ୍ଠ ନେତା ଦେବୀ ମିଶ୍ର ଅବଗତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଦଳର କୋରଟିମ୍ ନେତାମାନଙ୍କ ନିଷ୍ପତ୍ତିକୁ  ନବୀନ ନିବାସ ପର୍ଯ୍ୟନ୍ତ ପହଂଚାଇବା ଭିତରେ କିଏ ଓ କାହିଁକି ବଦଳାଇ ଦେଲା ଓ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଘମାସନ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।

ଜୁଲାଇ ୨୬ରେ କ’ଣ ନିଆଯାଇଥିଲା ନିଷ୍ପତ୍ତି?

ସୂତ୍ର ଅନୁସାରେ, ଜୁଲାଇ ୨୬ତାରିଖ ଶନିବାର ଶଙ୍ଖଭବନରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଆଲୋଚନା ପାଇଁ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ମତ ରଖିଥିଲେ । ମାତ୍ର ଉପରାଷ୍ଟ୍ରପତି ନିର୍ବାଚନ ବହୁତ ସମୟ ଅଛି ଓ ପରବର୍ତ୍ତୀ ସମୟରେ ଆଲୋଚନା କରିବା କହି ଦେବୀ ମିଶ୍ର ଏହାକୁ ଏଡ଼ାଇ ଯିବାକୁ ପ୍ରୟାସ କରୁଥିଲେ ।

Advertisment

କିନ୍ତୁ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ସମେତ ଅନ୍ୟ ନେତାମାନେ ପ୍ରତାପଙ୍କୁ ସମର୍ଥନ କରିବା ପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜ୍ୟରେ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଆତ୍ମଘାତୀ ସଦୃଶ ହେବ ଓ ଲୋକେ ଆଉ ବିଜେଡିକୁ ଭରସା କରିବେ ନାହିଁ ବୋଲି ଅଧିକାଂଶ ନେତା ମତ ଦେବା ସହ ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳକୁ ବେଶ୍ ନିନ୍ଦିତ ଓ କ୍ଷତି ସହିବାକୁ ପଡ଼ିସାରିଛି ବୋଲି କହିଥିଲେ । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ ନକରିବାକୁ ଦଳର ନେତାମାନେ ନିଷ୍ପତ୍ତି ନେଇ ଏ ସମ୍ପର୍କରେ ନବୀନ ନିବାସକୁ ଆଗୁଆ ଅବଗତ କରାଇ ଦେବାକୁ ଦେବୀ ମିଶ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ସେଦିନ ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରଣବପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

କିଏ ବଦଳାଇଲା ଦଳୀୟ ନେତାଙ୍କ ନିଷ୍ପତ୍ତି?

ଜୁଲାଇ ୨୬ତାରିଖରେ ଦଳର କୋରଟିମ୍ ସଦସ୍ୟମାନେ ନେଇଥିବା ନିଷ୍ପତ୍ତି ନବୀନ ନିବାସରେ ପହଂଚିବା ବେଳକୁ ସେଥିରେ ପରିବର୍ତ୍ତନ ହୋଇଯାଇଥିବା ଜଣାପଡ଼ିଛି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ ନୁହେଁ ବରଂ ଅନୁପସ୍ଥିତ ରହିବାକୁ ଦଳର ନିଷ୍ପତ୍ତି ନେଇଛନ୍ତି ବୋଲି ନବୀନ ନିବାସକୁ ରିପୋର୍ଟ ଦିଆଯାଇଥିବା ଦଳୀୟ ଚର୍ଚ୍ଚା ହେଉଛି । ଏଭଳି ପ୍ରାୟୋଜିତ ରିପୋର୍ଟ ନବୀନ ନିବାସ ପଠାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲା ଓ କାହିଁକି ଦଳୀୟ ନେତାମାନେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦିଆଗଲା ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଛି ।

ସୂତ୍ର ଅନୁସାରେ, ଦେବୀ ଓ ବବି ମିଳିତ ଭାବେ ଏଭଳି ରିପୋର୍ଟ ପ୍ରସ୍ତୁତ କରି ନବୀନ ନିବାସ ପଠାଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଯଦିଓ ଜୁଲାଇ ୨୬ତାରିଖ ବୈଠକରେ ବବି ନିଜେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆମେ ଆମର ମତାମତ ଦେଇ ଛାଡ଼ି ଦେବା ଓ ନବୀନ ନିବାସ ଯାହା ଠିକ୍ ସେଭଳି ନିଷ୍ପତ୍ତି ନେଉ ବୋଲି କହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । କେବଳ ସେତିକି ନୁହେଁ, ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ଅଗଷ୍ଟ ୮ତାରିଖରେ ଦଳର ବରିଷ୍ଠ ନେତା ମହେଶ ସାହୁ ଗଣମାଧ୍ୟମକୁ ସୂଚନା ଦେବା ପରେ ତାଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ତଥା ଜଣେ ପରାଜିତ ବିଧାୟକ ଫୋନ୍ କରି କାହିଁକି ଓ ତୁମକୁ କିଏ ଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିବା ମଧ୍ୟ ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

ବିଜେଡିର ରଣନୀତି : ବିବେକାନୁମୋଦିତ ନା ଅନୁପସ୍ଥିତ

ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ଏବେ ରାଜ୍ୟସଭାରେ ମାତ୍ର ୭ଜଣ ସାଂସଦ ଅଛନ୍ତି । ଦଳ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ମଧ୍ୟ ଅପକର୍ମକୁ ଲୁଚାଇବା ପାଇଁ ନିଜର ଉପରେ ପଡ଼ି ପ୍ରେମ ନିବେଦନ କରିବା ଆଭିମୁଖ୍ୟ ଛାଡ଼ିପାରିନଥିବା ଚର୍ଚ୍ଚା ହେଉଛି । ୱକଫ୍ ବିଲ ଓ ଅପରେସନ୍ ସିନ୍ଦୂର ଆଲୋଚନାବେଳେ ଦଳର ଆଭିମୁଖ୍ୟ ସମଗ୍ର ଦେଶ ଦେଖିଲା । ଏବେ ଅନୁରୂପ ଭାବେ ଦଳ ସମାନ ଆଭିମୁଖ୍ୟ ପୋଷଣ କରି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସେପ୍ଟେମ୍ବର ୯ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସାଂସଦମାନେ ଭୋଟିଂରୁ ଅନୁପସ୍ଥିତ ରହିପାରନ୍ତି ନଚେତ୍ ସେମାନଙ୍କୁ ବିବେକାନୁମୋଦିତ ଭୋଟ୍ ଦେବାକୁ କୁହାଯାଇପାରେ ।

ଅନୁପସ୍ଥିତ ରହିଲେ ଏନଡିଏ ପ୍ରାର୍ଥୀଙ୍କ ଜିତିବାର ଭୋଟ୍ ବ୍ୟବଧାନ ଆହୁରି ବଢ଼ିଯିବ । ଆଉ ଯେଉଁ ବିବେକାନୁମୋଦିତ ଭୋଟକୁ ଆଧାର କରି ଦଳର ୫ଜଣ ସାଂସଦ ୱକଫ ବିଲରେ ଏନଡିଏ ସରକାରଙ୍କୁ ସମର୍ଥନ କରିବାରେ ସକ୍ଷମ ହୋଇଥିଲେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ‘ଗୋପନ ମତଦାନ’ର ପ୍ରାବଧାନ ଥିବାରୁ ବିଜେଡି ତା’ର ଫାଇଦା ଉଠାଇ ସେହି ବିବେକାନୁମୋଦିତ ଭୋଟ୍ ଅବା ‘ଅନୁପସ୍ଥିତ’ ରହି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବିଜେଡିର ଏବେ ଯେଉଁ ୭ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବାଦ୍ ଦେଲେ ଅନ୍ୟ ୫ଜଣ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନପନ୍ଥୀ ଓ ତାଙ୍କ ଯୋଗୁ ରାଜ୍ୟସଭାକୁ ଯାଇପାରିଛନ୍ତି ।

ସହଜ ସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତାଙ୍କ ବିରୁଦ୍ଧରେ ଇଣ୍ଡିଆ ମେଂଟ ନିଜର ପ୍ରାର୍ଥୀ ଭାବେ ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି । ଲୋକସଭାରେ ୫୪୩ଟି ଆସନ ମଧ୍ୟରୁ ଗୋଟିଏ ସିଟ୍ ଓ ରାଜ୍ୟସଭାରେ ୨୪୫ଟି ଆସନ ମଧ୍ୟରୁ ୬ଟି ସିଟ୍ ( ଜାମ୍ମୁକାଶ୍ମୀରର ୪ଟି, ଝାଡ଼ଖଣ୍ଡ ଓ ପଞ୍ଜାବର ଗୋଟିଏ ଲେଖାଏଁ) ଖାଲି ପଡ଼ିଛି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ତେଣୁ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ଜଣ ସାଂସଦଙ୍କୁ ମିଶାଇଲେ ମୋଟ ଭୋଟ୍ ସଂଖ୍ୟା ୭୮୧ ହେବ ।

ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଅର୍ଥାତ୍ ୩୯୧ଟି ଭୋଟ୍ ଆବଶ୍ୟକ । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଲୋକସଭାରେ ୨୯୩ଜଣ ସାଂସଦ( ବିଜେପିର ୨୪୦ ଓ ୫୩ ମେଂଟ ସହଯୋଗୀ) ଏବଂ ରାଜ୍ୟସଭାରେ ୧୩୦ (ବିଜେପି ୯୭, ମେଂଟ ସହଯୋଗୀ ଓ ମନୋନୀତ-୩୩ଜଣ) ଅଛନ୍ତି । ଫଳରେ କେବଳ ଏନଡିଏର ମୋଟ ଭୋଟ୍ ୪୨୩ ହେଉଛି । ଜିତିବା ପାଇଁ ୩୯୧ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଏନଡିଏ ପାଖରେ ଏବେ ୪୨୩ ସାଂସଦଙ୍କ ସମର୍ଥନ ରହିଛି । ଅବଶ୍ୟ ଅଧିକରୁ ଅଧିକ ଦଳଙ୍କ ସମର୍ଥନ ପାଇଁ ବିଜେପି ପ୍ରୟାସ ଜାରି ରଖିଛି ।

Odisha BjD Vice President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe