Advertisment

ଦିନେ ବିଧାନସଭାରୁ ବାହର କରିଦିଆଯାଇଥିଲା, ଏବେ ହେଲେ ବାଚସ୍ପତି

୨୦୦୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ କଂଗ୍ରେସର କପିଲ ଶିବଲଙ୍କ ଠାରୁ ଚାନ୍ଦିନଚୌକ ଆସନରୁ ପରାସ୍ତ ହୋଇଥିଲେ। ୪ ବର୍ଷ ପରେ ସେ ୨୦୨୩ରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ।

author-image
Hemant Lenka
Gupta

Gupta

୧୦ ବର୍ଷ ତଳର କଥା। ଦିନେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗୃହକୁ ବାହାର କରି ଦିଆଯାଇଥିଲା। ବିଧାନସଭାର ସୁରକ୍ଷାକର୍ମୀ ତାଙ୍କୁ ଗୃହରୁ ଏକ ପ୍ରକାରର ଟେକି ନେଇ ବାହାରେ ଛାଡ଼ି ଦେଇଥିଲେ। ଗୃହରୁ ତାଙ୍କୁ ଟେକି ନେଇ ଯିବାର ଭିଡିଓ ସେତେବେଳେ ବେଶ ଭାଇରାଲ ହୋଇଥିଲା। କିନ୍ତୁ ସମୟ ବଦଳିବା ସହ ସ୍ଥିତି ବି ବଦଳିଛି। ଯେଉଁ ବିଧାୟକଙ୍କୁ ଦିନେ ବିଧାନସଭାରୁ ଏକପ୍ରକାରର ଫିଙ୍ଗି ଦିଆଯାଇଥିଲା, ଏବେ ସେ ଗୃହକୁ ଚଳାଇବେ। ତାଙ୍କ ନିର୍ଦ୍ଦେଶରେ ବିଧାନସଭା ଚାଲିବ। କାରଣ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ସହ ଭେଟରାନ ନେତା ବିଜେନ୍ଦର ଗୁପ୍ତା ବାଚସ୍ପତି ହୋଇଛନ୍ତି। ଏହାର ଅର୍ଥ ଯେଉଁ ବିଧାନସଭାରୁ ଦିନେ ତାଙ୍କୁ ବାହାର କରାଯାଇଥିଲା ଏବେ ସେହି ଗୃହର ମୁଖିଆ ସେ ନିଜେ ହୋଇଛନ୍ତି।

Advertisment

୨୦୧୫ ଓ ୨୦୨୦ରେ ଦିଲ୍ଲୀରେ ଆପ୍‌ର ଝଡ଼ ଦେଖିବାକୁ ମିଳିଥିଲା। ତଥାପି ବିଜେନ୍ଦର ଗୁପ୍ତା ରୋହିନୀ ବିଧାନସଭା ଆସନରୁ ଜିତିଥିଲେ। ୨୦୨୫ରେ ମଧ୍ୟ ସେ ବିଜେପି ଟିକେଟରୁ ଉକ୍ତ ଆସନରେ ଜିତିଛନ୍ତି। ବିଜେନ୍ଦର ଜିତିଥିବା ବେଳେ ବିଜେପି ମଧ୍ୟ ତାଙ୍କୁ ବାଚସ୍ପତି କରିଛି। ବାନିୟା ସଂପ୍ରଦାୟରୁ ଆସିଥିବା ଗୁପ୍ତା ଏଥର ଆପ୍‌ର ପ୍ରଦୀପ ମିତ୍ତଲଙ୍କୁ ୩୭ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ଦିଲ୍ଲୀ ବିଧାନସଭାରେ ଶ୍ରୀ ଗୁପ୍ତା ବିରୋଧୀ ଦଳର ନେତା ଭାବେ କାମ କରିଥିଲେ। ସେହିପରି ତାଙ୍କୁ ବିଜେପି ଏକଦା ଦିଲ୍ଲୀର ସଭାପତି କରିଥିଲା।

୧୯୬୩ ମସିହା ଅଗଷ୍ଟ ୧୪ରେ ଜନ୍ମ ଗ୍ରହଣ କରିଥିବା ଗୁପ୍ତା ଶ୍ରୀରାମ କଲେଜ ଅଫ କମର୍ସରୁ ଗ୍ରାଜ୍ୟୁଏଟ ହୋଇଥିଲେ। ୧୯୮୦ରେ ସେ ଜନତା ବିଦ୍ୟାର୍ଥୀ ମୋର୍ଚ୍ଚାରୁ ନିଜର ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ବିଜେପି ଯୁବ ବାହୀନର ସଭାପତି ୧୯୯୫ରେ ହୋଇଥିଲେ। ୧୯୯୭ରେ ସେ ପ୍ରଥମଥର ପାଇଁ ନିର୍ବାଚନରେ ସଫଳତା ପାଇଥିଲେ। ସେ ଏମସିଡିର କାଉନସିଲ ଭାବେ ନିର୍ବାଚିତ ହୋଇଥିଲେ।

Advertisment

୨୦୦୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ କଂଗ୍ରେସର କପିଲ ଶିବଲଙ୍କ ଠାରୁ ଚାନ୍ଦିନଚୌକ ଆସନରୁ ପରାସ୍ତ ହୋଇଥିଲେ। ୪ ବର୍ଷ ପରେ ସେ ୨୦୨୩ରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ। କିନ୍ତୁ ୨୦୧୫ରେ ସେ ନିଜ ନିଜ ନିର୍ବାଚନ ମଣ୍ଡଳୀ ବଦଳାଇ ରୋହନୀରୁ ପ୍ରାର୍ଥୀ ହୋଇଥିଲେ। ସେବେଠାରୁ ସେ ବିଜୟୀ ହୋଇ ଚାଲିଛନ୍ତି। ୨୦୧୫ରେ ବିଜେପି ୩ଟି ଆସନ ଜିତିଥିଲା। ୩ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ବିଜେନ୍ଦର ଗୁପ୍ତା ରହିଥିଲେ।

୨୦୧୫ରେ କ’ଣ ଘଟିଥିଲା?

ତତ୍କାଳୀନ ଆପ୍‌ ବିଧାୟକ ଅଳକା ଲାମ୍ବାଙ୍କ ବିରୋଧରେ ଶ୍ରୀ ଗୁପ୍ତାଙ୍କ ସହଯୋଗୀ ତଥା ବିଧାୟକ ଓପି ଶର୍ମା ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଧାନସଭାରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା। ଏହାପରେ ଶ୍ରୀ ଗୁପ୍ତାଙ୍କୁ ବିଧାନସଭା ମଧ୍ୟରୁ ୬ରୁ ଅଧିକ ମାର୍ଶଲ ଟେକି ଟେକି ବାହାର କରିଦେଇଥିଲେ। ତାଙ୍କୁ ବାହାରକୁ ନେବେ ବେଳେ ସେ ଚିତ୍କାର କରିବା ସହ ସବୁ ପ୍ରକାରର ବଳ ଲଗାଇ ଭିତରେ ରହିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବଳପୂର୍ବକ ଗୃହରୁ ବାହାର କରି ଦିଆଯାଇଥିଲା।

ପୂରା ଘଟଣା ୨୦୧୫ ମସିହା ନଭେମ୍ବର ୩୦ରେ ଘଟିଥିଲା। ଆପତ୍ତିଜନକ ବୟାନକୁ ନେଇ ବିଜେପି ଓ ଆପ୍‌ ମଧ୍ୟରେ ବାକଯୁଦ୍ଧ ବିଧାନସଭାରେ ଦେଖିବାକୁ ମିଳିଥିଲା। ପ୍ରବଳ ହଟ୍ଟୋଗଳ ଯୋଗୁ ତତ୍କାଳୀନ ବାଚସ୍ପତି ରାମ ନିବାସ ଗୋଏଲ ବିଜେପି ବିଧାୟକ ବିଜେନ୍ଦର ଗୁପ୍ତାଙ୍କ ଦିନ ୪ଟା ଯାଏ ବିଧାନସଭା ବାହାରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଏହାକୁ ମାନି ନଥିଲେ।

ବାଚସ୍ପତିଙ୍କ ରୁଲିଂକୁ ସେ ବିରୋଧ କରିବାରୁ ତାଙ୍କୁ ଗୃହରୁ ବାହାର କରିବା ପାଇଁ ମାର୍ଶଲଙ୍କୁ ଡକା ଯାଇଥିଲା। ମାର୍ଶଲମାନେ ତାଙ୍କୁ ବାହାରକୁ ନିଆଯାଉଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ଶ୍ରୀ ଗୁପ୍ତା ବେଞ୍ଚକୁ ଜୋରରେ ଜାବୁଡ଼ି ଧରି ଆଦୌ ବାହାରକୁ ଯାଇ ନଥିଲେ। ଏଥିପାଇଁ ତାଙ୍କୁ ମାର୍ଶଲମାନେ ଟେକିଟେକି ବାହାରକୁ ବାହାର କରିଥିଲେ।

ବାହାରକୁ ବାହାରିବା ପୂର୍ବରୁ ଶ୍ରୀ ଗୁପ୍ତା ବାଚସ୍ପତି ଗୋଏଲ ଶାସକ ଆପ୍‌ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶିତ କରୁଥିବା ଅଭିଯୋଗ କରିଥିଲେ। ଏବେ ସେହି ବିଜେନ୍ଦର ଗୁପ୍ତା ଦିଲ୍ଲୀ ବିଧାନସଭାର ବାଚସ୍ପତି ହୋଇଛନ୍ତି।

ନିଜର ନିଯୁକ୍ତି ସମ୍ପର୍କରେ ଶ୍ରୀ ଗୁପ୍ତା କହିଛନ୍ତି, “ମୋତେ ଏହି ଦାୟିତ୍ୱ ଦେଇଥିବାରୁ ଦଳକୁ ମୁଁ କୃତଜ୍ଞତା ଜଣାଉଛି। ମୁଁ ମୋର ଦାୟିତ୍ୱକୁ ଠିକ ଭାବେ ସମ୍ପାଦନ କରିବି। ଗୃହରେ ଗୋଟିଏ ସୁସ୍ଥ ବିତର୍କ ଓ ଆଲୋଚନା ହୋଇପାରିବ ବୋଲି ମୋର ଆଶା ରହିଛି।”

Bjp Delhi Election