Advertisment

ଘର ଆଗରେ ଗରା ଓ ହାଣ୍ଡି ଓଲଟାଇ BJD ବିଧାୟକଙ୍କୁ ସ୍ୱାଗତ କଲେ ଗାଁ ଲୋକ

ପାଟ ପଟୁଆର ଗାଁ ଦାଣ୍ଡ ଅତିକ୍ରମ କଲା ବେଳେ ନେତାମାନେ ଦେଖିଲେ ଲୋକଙ୍କ ଅଭିନବ ପ୍ରତିବାଦର ଚିତ୍ର। ଗାଁର ମହିଳାମାନେ ଘର ଆଗରେ ଖାଲି କଳସୀ, ହଣ୍ଡି, ଡ୍ରମ, ବାଲ୍‌ତି ଆଦି ଓଲଟାଇ ରଖିଥିଲେ।

 BJD

BJD

Advertisment

ଅଜବ ସ୍ୱାଗତ। କିଏ ଶୁଭ କହୁଛି ତ ଆଉ କିଏ ଅଶୁଭ। କିନ୍ତୁ ଫରକ୍‌ ପଡ଼ୁନି BJD ବିଧାୟକ ଓ ତାଙ୍କ ବିଧାୟକ ପ୍ରାର୍ଥୀ ପତ୍ନୀଙ୍କୁ। ପାଟ ପଟୁଆରରେ ବାଜା ବଜାଇ ବେକରେ ଫୁଲ ମାଳ ପକାଇ ଗାଁ ଦାଣ୍ଡରେ ଗଲେ। ଆଉ ଭୋଟ୍‌ ମାଗିଲେ। ହେଲେ କେବେହେଲେ ଗାଁ ଲୋକଙ୍କୁ ପଚାରିଲେନି, କ’ଣ ପାଇଁ ଘର ଆଗରେ ଗରା ଓ ହାଣ୍ଡି ଓଲଟାଇ ରଖିଛ ବୋଲି। ନା ଗାଁ ଲୋକଙ୍କ ଇସାରା ବୁଝିଗଲେ ବିଜେଡି ନେତା! ଆଜି ଗାଁ ଲୋକଙ୍କ ଏପରି ଅଭିନବ ସ୍ୱାଗତ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ।

Advertisment

ବେଲଗୁଣ୍ଠା ବ୍ଲକ୍‌ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଆଜି ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ। ଏ ସମ୍ପର୍କରେ ଗାଁ ଲୋକେ ଆଗୁଆ ଜାଣିପାରି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଲାଗି ପଡ଼ିଲେ। କିଏ ନିଜ ଘର ଆଗରେ କରା ଓଲଟାଇ ରଖିଲା ତ ଆଉ କିଏ ହଣ୍ଡି ଓ ଡ୍ରମ ଓଲଟାଇ ରଖିଲା। ପୁଣି ଆଉ କିଏ ବାଲ୍‌ତି ଓଲଟାଇ ରଖିଥିଲେ।

ଆଜି ମଧ୍ୟାହ୍ନରେ ଡହ ଡହ ଖରାରେ ବିଧାୟକ ଓ ତାଙ୍କ ପତ୍ନୀ ବିଜେଡି ଛତା ତଳେ ବେକରେ ଫଲମାଳ ପକାଇ ବାଜା ବଜାଇ ଗାଁ ଦାଣ୍ଡ ଅତିକ୍ରମ କରିଥିଲେ। ଆଉ ସାଥୀରେ ଥିଲେ ସେମାନଙ୍କ ସହକର୍ମୀ। ପାଟ ପଟୁଆର ଗାଁ ଦାଣ୍ଡ ଅତିକ୍ରମ କଲା ବେଳେ ନେତାମାନେ ଦେଖିଲେ ଲୋକଙ୍କ ଅଭିନବ ପ୍ରତିବାଦର ଚିତ୍ର। ଗାଁର ମହିଳାମାନେ ଘର ଆଗରେ ଖାଲି କଳସୀ, ହଣ୍ଡି, ଡ୍ରମ, ବାଲ୍‌ତି ଆଦି ଓଲଟାଇ ରଖିଥିଲେ। ପାନୀୟ ଜଳ ପାଇଁ ଗାଁ ଲୋକଙ୍କ ଏଭଳି ଅଭିନବ ପ୍ରତିବାଦ, ନେତାଙ୍କୁ ଉଚିତ ଜବାବ ମିଳିଛି ବୋଲି ମତପ୍ରକାଶ ପାଇଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଗାଁ ଲୋକେ କାହିଁକି ଏମିତି ପ୍ରତିବାଦ କଲେ? ଗାଁରେ ଦୀର୍ଘ ଦିନ ଧରି ରହିଛି ପାନୀୟ ଜଳ ସମସ୍ୟା। ବହୁ ନେହୁରା ହେବା ପରେ ଗାଁରେ ପାନୀୟ ଜଳ ପ୍ରକଳ୍ପ କରାଗଲା। ପାନୀୟ ଜଳ ଯୋଗାଣ ପାଇଁ ପାଣି ଟାଙ୍କି ଓ ପ୍ରତି ଘରକୁ ପାଇପ୍‌ ବିଛାଗଲା। ପ୍ରତି ଛକରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଗଲା। ହେଲେ ସେଥିରୁ ପାଣି ଆସୁନି। ଷ୍ଟାଣ୍ଡ ପୋଷ୍ଟ ଶୁଖିଲା ପଡିଛି। ବର୍ଷ ବର୍ଷ ଧରି ଏହି ସମସ୍ୟାରେ ଭୋଗୁଛନ୍ତି ଗାଁ ଲୋକ। ପାଣି ସମସ୍ୟା ସମାଧାନ ନେଇ ଗାଁ ଲୋକେ ବହୁବାର ସରପଞ୍ଚ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପାଖରେ କେତେ ଗୁହାରୀ ହେଲେଣି। ହେଲେ ଗାଁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି। ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ ଆସିଥିବାରୁ ଗାଁ ଲୋକେ ଉଚିତ ଜବାବ ଦେବା ପାଇଁ ଆଜି ଏପରି ପ୍ରତିବାଦ କରିଛନ୍ତି।

ପାନୀୟ ଜଳ ସମସ୍ୟା ନେଇ ଗାଁର ସସ୍ମିତା ସାହୁ କହିଛନ୍ତି, ଆମ ଗାଁରେ ଥିବା ପାନୀୟ ଜଳ ପ୍ରକଳ୍ପରେ ମୋଟର ପୋଡ଼ି ଯାଇଛି। ଯେଉଁଥିପାଇଁ ପାନୀୟ ଜଳ ମିଳୁନି। ବହୁ ଅସୁବିଧାରେ ପଡ଼ୁଛୁ। ଆମ ଗାଁକୁ ପାଣି ଯୋଗାଇଲେ ଆମେ ଭୋଟ୍‌ ଦେବୁ। ନହେଲେ ଭୋଟ ଦେବୁନାହିଁ ବୋଲି ସସ୍ମିତା କହିଛନ୍ତି।

ଶାନ୍ତିଲତା ଗୌଡ଼ କହିଛନ୍ତି, ପାଣି ପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ। ତେଣୁ ନେତା ଆସୁଛନ୍ତି ଜାଣି ଘର ଆଗରେ ହାଣ୍ଡି, ଡେଗ୍‌ଚି ଓଲଟାଇ ରଖୁଲୁ। ସେମାନେ ସେହି ଓଲଟା ହାଣ୍ଡି, ଡେଗ୍‌ଚି ଦେଖି ଯାଆନ୍ତୁ ବୋଲି ଶାନ୍ତିଲତା କହିଛନ୍ତି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

BjD Ganjam Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe