/odisha-reporter/media/media_files/2025/10/17/mukesh-2025-10-17-17-08-02.jpg)
ମୁକେଶ ସାହାଣୀ
ବିହାର ବିଧାନସଭା ନିର୍ବାଚନ(Bihar Election)ରେ ଲଢ଼ିବେ ନାହିଁ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି)ର ଜାତୀୟ ଆବାହକ ମୁକେଶ ସାହାଣୀ। ବିରୋଧୀ ମହାଗଠବନ୍ଧନରେ ଥିବା ସାହାଣୀ ନିଜେ ଏକଥା ଘୋଷଣା କରିଛନ୍ତି। ବିରୋଧୀ ମେଣ୍ଟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇପାରୁ ନଥିବା ବେଳେ ମୁକେଶଙ୍କ ବୟାନ ସାମ୍ନାକୁ ଆସିଛି।
ସେ ନିର୍ବାଚନ ଲଢ଼ିବାରୁ ଓହରି ଯାଇଥିଲେ ହେଁ ସହଯୋଗୀ ଦଳଗୁଡ଼ିକ ପାଇଁ ପୂରା ରାଜ୍ୟରେ ପ୍ରଚାର କରିବେ ବୋଲି କହିଛନ୍ତି। ଆଜି ତାଙ୍କ ଭାଇ ସନ୍ତୋଷ ସାହାଣୀ ଦରଭଙ୍ଗା ଜିଲ୍ଲାର ଗୌରା ବୌରାମ ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ସନ୍ତୋଷ ନାମାଙ୍କନ ଦାଖଲ ବେଳେ ମୁକେଶ ଉପସ୍ଥିତ ରହିଥିଲେ।
ଏହି ସମୟରେ ମୁକେଶ କହିଛନ୍ତି ଯେ ରାଜ୍ୟର ସମସ୍ତ ୨୪୩ଟି ଯାକ ଆସନରେ ମେଣ୍ଟ କେମିତି ଜିତିବ ତା’ ଉପରେ ସେ କାମ କରିବେ। ତୃଣମୂଳ ସ୍ତରରେ ମହାଗଠବନ୍ଧନର ସ୍ଥିତିକୁ ମଜବୁତ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ଏଥିସହ ମହାଗଠବନ୍ଧନ କ୍ଷମତାକୁ ଆସିଲେ ତାଙ୍କ ଦଳ ଉପ ମୁଖ୍ୟମନ୍ତ୍ରୀ ପଦ ନିଜ ପାଖରେ ରଖିବା ଦାବିକୁ ମଧ୍ୟ ମୁକେଶ ଦୋହରାଇଛନ୍ତି।
ମହାଗଠନବନ୍ଧନରେ ଚାଲିଥିବା ସିଟ ଶେୟାରିଂ ବିବାଦର ମୂଳରେ ଭିଆଇପି ମୁଖ୍ୟ ମୁକେଶ ରହିଛନ୍ତି। ସେ ପ୍ରଥମେ କଂଗ୍ରେସ ଓ ଆରଜେଡିକୁ ନିଜ ଦଳ ପାଇଁ ୩୫ଟି ଆସନ ମାଗିଥିଲେ। ଏହାପରେ ସେ ୧୮କୁ ଖସି ଥିଲେ। ଏଥିରେ ମଧ୍ୟ ଭାଗବଣ୍ଟା ନ ଛଡ଼ିବାରୁ ଗୁରୁବାର ଆଲୋଚନା ବେଳେ ସେ ମେଣ୍ଟରୁ ଓହରି ଯିବା ସ୍ଥିତିରେ ପହଞ୍ଚି ଯାଇଥିଲେ।
ତେବେ ତାଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଝାସୁଝା କରିଛନ୍ତି। ଏଠାରେ ସିଟ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ ଏନଡିଏର ବିଚାରଧାରା ବିରୋଧରେ ଲଢ଼େଇ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହାପରେ ମୁକେଶ ଶାନ୍ତ ପଡ଼ିବା ସହ ବିରୋଧୀ ମେଣ୍ଟରେ ରହି କାମ କରିବାକୁ ରାଜି ହୋଇଛନ୍ତି।
ସାହାଣୀଙ୍କ ରାଜନୀତିକ ସମର୍ଥନ ନିଶାଦ ବା ମାଲ୍ଲାହ ସଂପ୍ରଦାୟ ମଧ୍ୟରେ ବେଶ ଅଧିକ। ଏଥିପାଇଁ ତାଙ୍କୁ ଉଭୟ ବିରୋଧୀ ଓ ଶାସନ ମେଣ୍ଟ ନିଜ ପକ୍ଷକୁ ଆଣିବାକୁ ସବୁବେଳେ ଚେଷ୍ଟା କରେ। ପୂର୍ବରୁ ବିହାରର ପଶୁ ସମ୍ପଦ ଓ ମତ୍ସ୍ୟ ବିଭାଗର ମନ୍ତ୍ରୀ ଭାବେ ମୁକେଶ ସାହାଣୀ କାମ କରିସାରିଛନ୍ତି।
ଷ୍ଟେଜ ଡିଜାଇନରରୁ ରାଜନୀତିରେ ପ୍ରବେଶ କରିଥିବା ମୁକେଶ ସାହାଣୀ ୨୦୧୮ରେ ଭିଆଇପି ପ୍ରତିଷ୍ଠା କରିଥିଲେ। ଗତ ନିର୍ବାଚନରେ ସେ ମେଣ୍ଟ ଅଦଳବଦଳ କରିଥିଲେ। କିନ୍ତୁ ଏଥରେ ସେ ଇଣ୍ଡିଆ ବ୍ଲକ ସହ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
