Advertisment

ସ୍ୱଭାବ କବିଙ୍କୁ ସନ୍ଥକବି ଗଙ୍ଗାଧର ମେହେର କହିଦେଲେ ପାଣ୍ଡିଆନ୍‌

‘ବୁଣାକାର ଭାଇ ଭଉଣୀମାନେ ଏହି ଅଞ୍ଚଳର ମେରୁଦଣ୍ଡ। ମୁଖ୍ୟମନ୍ତ୍ରୀ ବୁଣାକାର ଭାଇ ଓ ଭଉଣୀମାନଙ୍କ ପାଇଁ ବହୁ ପ୍ୟାକେଜ କରିଛନ୍ତି। ସେମାନଙ୍କ ସୁଖ ଓ ଦୁଃଖରେ ସାମିଲ୍‌ ହୋଇଛନ୍ତି। ଆପଣ(କେନ୍ଦ୍ରମନ୍ତ୍ରୀ) ୧୦ ବର୍ଷ ହେଲା କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି।’

author-image
Manoranjan Sial
ଅଦ୍ୟତନ ହୋଇଛି
VK Pandian

VK Pandian

ସ୍ୱଭାବ କବି ଓ ସନ୍ଥକବି କିଏ? ବୋଧହୁଏ ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଭି.କେ ପାଣ୍ଡିଆନ୍‌ଙ୍କୁ ଜଣାନାହିଁ କିମ୍ୱା ତାଙ୍କ ଦଳର ନେତାମାନେ ତାଙ୍କୁ ଠିକ୍‌ ଭାବେ ଟ୍ୟୁସନ୍‌ କରିନାହାନ୍ତି। ସେଥିପାଇଁ ସେ ଖୋଲା ଷ୍ଟେଜରେ ଭୁଲ୍‌ଭାଲ୍‌ କଥା ଗୁଡ଼ାକ କହିପକାଉଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ପାଣ୍ଡିଆନ୍‌ ମହାଶୟ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ଅସମ୍ମାନିତ କରିଛନ୍ତି। ସମ୍ୱଲପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଭାଷଣ ଦେବା ବେଳେ ସ୍ୱଭାବ କବି ବଦଳରେ ସନ୍ଥକବି ଗଙ୍ଗାଧର ମେହେର କହିଦେଲେ। ଖାଲି ସେତିକି ନୁହେଁ, ସନ୍ଥକବିଙ୍କୁ କବି ଭୀମ ଭୋଇ କହିଦେଲେ।

Advertisment

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ ନିର୍ବାଚନ ପ୍ରଚାର ପାଇଁ ସମ୍ୱଲପୁର ଯାଇଥିଲେ। ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ଭୋଟ୍‌ ଭିକ୍ଷା କରିଥିଲେ। ପରେ ବିଜେଡି ନେତା ଭି.କେ ପାଣ୍ଡିଆନ୍‌ ଭାଷଣ ଦେବା ଆରମ୍ଭ କରିଥିଲେ। ଭାଷଣ ଆରମ୍ଭରୁ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସମାଲୋଚନା ଛଳରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନାନା ପ୍ରଶ୍ନ ପଚାରିଥିଲେ।

ସେ କହିଥିଲେ, କେନ୍ଦ୍ରମନ୍ତ୍ରୀ ମୋତେ କହୁଛନ୍ତି, ମୁଁ କୁଆଡେ ଗୁମାସ୍ତା, ତଳସ୍ତର କର୍ମଚାରୀ, ଚାମଚା ଏମିତି କେତେ କଣ। କିନ୍ତୁ ସିଏ ମୋତେ ଯାହା କହିବାର କଥା କୁହନ୍ତୁ, ହେଲେ ଆଜି ସନ୍ଧ୍ୟା ସୁଦ୍ଧା ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଦେବେ କି? ଏ ଅଞ୍ଚଳର ପରିଚୟ ହେଉଛି ସମ୍ୱଲପୁରୀ କୋଶଳି ଭାଷା। ଏହି ଭାଷାକୁ ସମ୍ୱିଧାନର ଅଷ୍ଟମ ସିଡ୍ୟୁଲ୍‌ଡରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖକୁ ୫ ଥର ପ୍ରସ୍ତାବ ପଠାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୋଶଳୀ ଭାଷା ଅଷ୍ଟମ ସିଡ୍ୟୁଲ୍‌ଡରେ ସାମିଲ ହୋଇପାରିଲା ନାହିଁ। ୧୦ ବର୍ଷରେ ଆପଣ କ’ଣ କରିଛନ୍ତି? ଏହାର ଉତ୍ତର କେନ୍ଦ୍ରମନ୍ତ୍ରୀ ଦେଇପାରିବେ କି ବୋଲି ପାଣ୍ଡିଆନ୍‌ ପ୍ରଶ୍ନ କରିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବୁଣାକାର ଭାଇ ଭଉଣୀମାନେ ଏହି ଅଞ୍ଚଳର ମେରୁଦଣ୍ଡ। ମୁଖ୍ୟମନ୍ତ୍ରୀ ବୁଣାକାର ଭାଇ ଓ ଭଉଣୀମାନଙ୍କ ପାଇଁ ବହୁ ପ୍ୟାକେଜ କରିଛନ୍ତି। ସେମାନଙ୍କ ସୁଖ ଓ ଦୁଃଖରେ ସାମିଲ୍‌ ହୋଇଛନ୍ତି। ଆପଣ(କେନ୍ଦ୍ରମନ୍ତ୍ରୀ) ୧୦ ବର୍ଷ ହେଲା କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି। ଆପଣ ଚାହିଁଥିଲେ ଏହି ଅଞ୍ଚଳରେ ଟେକ୍ସଟାଇଲ୍ ପାର୍କ କରିପାରିଥାଆନ୍ତେ। ହେଲେ ଆପଣ କରିପାରିଲେ କି? ଏ ଅଞ୍ଚଳର ପରିଚୟ ପରିଚୟ ହେଉଛନ୍ତି ଏହି ଅଞ୍ଚଳର ବରପୁତ୍ରମାନେ। ଏହି ଅଞ୍ଚଳର ବରପୁତ୍ରମାନେ ହେଲେ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଗଙ୍ଗାଧର ମେହେର, କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି। ଏହି ଅଞ୍ଚଳର ବରପୁତ୍ରଙ୍କ ପାଇଁ ଆପଣଙ୍କ ବିଜେପି ସରକାର କ’ଣ କରିଛନ୍ତି କହିପାରିବେ କି? ହେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁ ବରପୁତ୍ରଙ୍କ ସ୍ମୃତି ପୀଠର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବଡ଼ ବଡ଼ ଯୋଜନା ସେମାନଙ୍କ ନାଁରେ ରଖୁଛନ୍ତି। ଆପଣ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି। ହେଲେ ଗୋଟିଏ ଯୋଜନା ସେମାନଙ୍କ ନାଁରେ ରଖିପାରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍‌।

ପାଣ୍ଡିଆନ୍‌ଙ୍କ ଏହି ଭାଷଣକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଭଳି ତ୍ରୁଟିକୁ ଗର୍ହିତ ଅପରାଧ ବୋଲି କହିଥିବା ବେଳେ ସମ୍ବଲପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସାଦ ପାଢ଼ୀ କହିଛନ୍ତି, ସେମାନେ ଏ ଅଞ୍ଚଳର ବରପୁତ୍ରଙ୍କୁ ସମ୍ମାନ ଦେଇ ଜାଣିନାହାନ୍ତି। କେବଳ ଭୋଟ୍ ରାଜନୀତି କରି ଜାଣନ୍ତି।

ଅନ୍ୟପକ୍ଷର ଏନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ସମ୍ବଲପୁର ବିଜେଡି ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଏହାକୁ ସ୍ଲିପ୍ ଅଫ୍‌ ଟଙ୍ଗ ହୋଇଥିବ ବୋଲି ସଫେଇ ରଖିଛନ୍ତି।

BjD Bjp Sambalpur Vk Pandian