/odisha-reporter/media/post_attachments/uploadimage/library/16_9/16_9_0/Mamata_1713868330.jpg)
Mamata
ନାଗରିକତା ସଂଶୋଧନ ଆଇନ(ସିଏଏ)ରେ ହାତ ମାରିବା ପାଇଁ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ସାହାସ ନାହିଁ। ଏହି ନୂଆ ଆଇନ ବଳରେ ସମସ୍ତ ହିନ୍ଦୁ ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର କାରନଦିଘୀ ଠାରେ ଆଜି ଅମିତ ଶାହ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଛନ୍ତି। ରାଇଗଞ୍ଜରୁ ବିଜେପିର ପ୍ରାର୍ଥୀ ହୋଇଥିବା କାର୍ତ୍ତିକ ପଲଙ୍କୁ ସେ ଭୋଟ ଦେବାକୁ ସମସ୍ତଙ୍କୁ ଅନୁରୋଧ କହିଛନ୍ତି।
୨୦୧୯ରେ ରାଇଗଞ୍ଜ ଆସନ ବିଜେପି ଜିତିଥିଲା। ଏଠାରେ କାର୍ତ୍ତିକଙ୍କୁ ଟକ୍କର ଦେବା ଟିଏମସି ବିଧାୟକ କୃଷ୍ଣ କଲ୍ୟାଣୀଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା ଶୁକ୍ରବାର ଏଠାରେ ଭୋଟ ପଡ଼ିବ।
ରାଇଗଞ୍ଜରେ ପ୍ରଚାର କରି ଅମିତ ଶାହ ଦାବି କରିଛନ୍ତି ଯେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶ ରୋକିପାରିବେ ନାହିଁ। ସେ କହିଛନ୍ତି, “କ’ଣ ମମତା ବାନାର୍ଜୀ ଅନୁପ୍ରବେଶ ରୋକି ପାରିବେ? କେବେ ହେଲେ ନୁହେଁ। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଅନୁପ୍ରବେଶ ରୋକିପାରିବେ।
ଗତଥର ଆପଣମାନେ ଆମକୁ ୧୮ଟି ସିଟ୍ ଦେଇଥିଲେ। ମୋଦି ଆପଣଙ୍କୁ ରାମ ମନ୍ଦିର ଦେଇଛନ୍ତି। ଏଥର ଆମକୁ ୩୫ ଆସନ ଦିଅନ୍ତୁ। ଆମେ ଅନୁପ୍ରବେଶ ରୋକି ଦେଖାଇ ଦେବୁ।”
ନିଜ ଭାଷଣରେ ଅମିତ ଶାହ ସନ୍ଦେଶଖାଲି ବିବାଦ କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି, “ସନ୍ଦେଶଖାଲିରେ ମମତା ବାନାର୍ଜୀ ମହିଳାମାନଙ୍କୁ ନିର୍ଯାତିତ ହେବାକୁ ଅନୁମତି ଦେଇଥିଲେ। କାରଣ ସେ ତାଙ୍କ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ଚାହୁଁ ନଥିଲେ। ଶେଷରେ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଥିଲେ ଓ ଏବେ ଅଭିଯୁକ୍ତମାନେ ଜେଲରେ ଅଛନ୍ତି।” ସନ୍ଦେଶଖାଲିରେ ଟିଏମସିର ଜଣେ ସ୍ଥାନୀୟ ନେତା ମହିଳାମାନଙ୍କୁ ଯୌନ ନିର୍ଯାତନା ଦେବା ସହ ସେମାନଙ୍କ ସମ୍ପତ୍ତି ହଡ଼ପ କରୁଥିବା ଅଭିଯୋଗ ହୋଇଛି।
କଲିକତା ହାଇକୋର୍ଟ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ୨୬ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ଗତକାଲି ରଦ୍ଦ କରିଥିଲେ। ଏହାକୁ ବିଜେପି ସ୍ୱାଗତ କରିଥିଲା। ଏହା ଉପରେ ଅମିତ ଶାହ କହିଛନ୍ତି, “ପ୍ରତିଟି ନିଯୁକ୍ତି ପାଇଁ ୧୦ରୁ ୧୫ ଲକ୍ଷ ଲାଞ୍ଚ କାରବାର ହୋଇଥିଲା। ଏହା ମଧ୍ୟରୁ ୫୧ କୋଟି ଟଙ୍କା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ମିଳିଥିଲା।
ମମତା ବାନାର୍ଜୀ ମା’, ମାଟି ଓ ମନୁଷ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲେ। ହେଲେ ସନ୍ଦେଶଖାଲିରେ ମା’ମାନେ ନିର୍ଯାତିତ। ମାଟି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଇ ଦିଆଯାଉଛି ଓ ମଣିଷ ଆଜି ଦୁର୍ନୀତି ଯୋଗୁ କଷ୍ଟ ଭୋଗୁଛି। ଆପଣମାନେ ବିଜେପିକୁ ଭୋଟ ଦିଅନ୍ତୁ। ଆମେ ମମତା ବାନାର୍ଜୀଙ୍କ ଗୁଣ୍ଡାମାନଙ୍କୁ ଓଲଟା କରି ଝୁଲାଇ ଦେବୁ।”
ଟିଏମସି ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ଶ୍ରୀ ଶାହ କହିଛନ୍ତି, “ଟିଏମସି ନେତାମାନଙ୍କ ଘରକୁ ଦେଖନ୍ତୁ। ଯେଉଁମାନେ ଦିନ ଚାଳ ଘରେ ରହୁଥିଲେ ଆଜି ସେମାନେ ୪ ମହଲା କୋଠାର ମାଲିକ। ସେମାନେ କାରରେ ଯିବା ଆସିବା କରୁଛନ୍ତି। ସେସବୁ ଟଙ୍କା ଆପଣମାନଙ୍କର।”
ନରେନ୍ଦ୍ର ମୋଦି ପୁଣି କ୍ଷମତାକୁ ଆସିଲେ ଉତ୍ତର ବେଙ୍ଗଲରେ ଗୋଟିଏ ଏମ୍ସ ପ୍ରତିଷ୍ଠା କରାଯିବ। ରାଇଗଞ୍ଜରେ ଆମେ ଏମ୍ସ ପ୍ରତିଷ୍ଠା କରିବାକୁ ଚାହୁଁଛୁ। କିନ୍ତୁ ମମତା ବାନାର୍ଜୀ ଏହାକୁ ବିରୋଧ କରୁଛନ୍ତି। ଏହା ମୋଦିଙ୍କ ଗ୍ୟାରେଣ୍ଟୀ। ଆପଣମାନେ ୩୦ଟି ସିଟ୍ ଦିଅନ୍ତୁ। ଆମେ ଉତ୍ତର ବେଙ୍ଗଲରେ ପ୍ରଥମ ଏମ୍ସ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
