Advertisment

ନୂଆପଡ଼ା ଉପନିର୍ବାଚନ: ଭୋଟର ତାଲିକା ସଂଶୋଧନ ପାଇଁ ନିର୍ଦ୍ଦେଶ, ୯ରେ ଚୂଡ଼ାନ୍ତ ତାଲିକା

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧି ଆଇନ-୧୯୫୦ର ଧାରା-୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନ ୨୦୨୫ ଜୁଲାଇ ୧ତାରିଖକୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଜାରି କରିଛନ୍ତି ।

author-image
Ordigital Desk
Voter List

Voter List

ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ କମିଶନ ଏହି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ସଂଶୋଧନ ନିମନ୍ତେ କାର୍ଯ୍ୟସୂଚୀ ଜାରି କରିବା ସହ ଆସନ୍ତା ଅକ୍ଟୋବର ୯ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ନୂଆପଡ଼ାରେ ବିଜେଡି ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନ ଖାଲିପଡ଼ିଛି ଓ ବିହାର ନିର୍ବାଚନ ସହ ଏଠାରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।

Advertisment

ସଂଶୋଧିତ ଭୋଟର ତାଲିକା ପାଇଁ କାର୍ଯ୍ୟସୂଚୀ

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧି ଆଇନ-୧୯୫୦ର ଧାରା-୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କମିଶନ ୨୦୨୫ ଜୁଲାଇ ୧ତାରିଖକୁ ଯୋଗ୍ୟତା ତାରିଖ ଭାବେ ବିବେଚନା କରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ କାର୍ଯ୍ୟସୂଚୀ ଜାରି କରିଛନ୍ତି ।

ସେପ୍ଟେମ୍ବର ୧୪ତାରିଖ ସୁଦ୍ଧା ମତଦାନ ନ୍ଦ୍ରେର ପୁନଃବ୍ୟବସ୍ଥାପନ ବା ପରିବର୍ତ୍ତନ, ୧୫ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ କରି ସେହିଦିନଠୁ ସେପ୍ଟେମ୍ବର ୨୯ତାରିଖ ପର୍ଯ୍ୟନ୍ତ ଏହା ଉପରେ ଦାବି ଓ ଆପତ୍ତି ଦାଖଲ ଆହ୍ୱାନ, ଅକ୍ଟୋବର ୭ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ ଏବଂ ଅକ୍ଟୋବର ୯ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ନିର୍ବାଚନ କମିଶନ କାର୍ଯ୍ୟସୂଚୀ ଜାରି କରିଛନ୍ତି ।

Advertisment

ରାଜନୀତିକ ଦଳର ପ୍ରସ୍ତୁତି ଓ ସମ୍ଭାବ୍ୟ ପ୍ରାର୍ଥୀ

ରାଜ୍ୟରେ ବିଜେଡିର ୨୪ବର୍ଷର ଶାସନର ପତନ ପରେ ବିଗତ ୧୫ମାସ ଧରି କ୍ଷମତାସୀନ ବିଜେପି ସରକାର ପାଇଁ ଏହା ପ୍ରଥମ ବିଧାନସଭା ଉପନିର୍ବାଚନ । ଏହି ଉପନିର୍ବାଚନକୁ ଜିତିବା ପାଇଁ ବିଜେପି ସମେତ ବିଜେଡି ଓ କଂଗ୍ରେସ ମଧ୍ୟ ନିଜର ରଣନୀତି ଚୂଡ଼ାନ୍ତ କରିବାରେ ଲାଗିଛନ୍ତି । ଯଦିଓ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ ଓ ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହରେ ହେବାର ସମ୍ଭାବନା ରହିଛି ତାକୁ ଦୃଷ୍ଟିରେ ରଖି ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

ବିଜେଡି ଏହି ଆସନରେ ନିଜର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପରିବାର ସଦସ୍ୟଙ୍କ ପରିବର୍ତ୍ତେ ସ୍ଥାନୀୟ ନେତା ମନୋଜ ମିଶ୍ର ଏବଂ କଂଗ୍ରେସ ଘାସିରାମ ମାଝୀଙ୍କୁ ନିଜର ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଶାସକ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ସେନେଇ ଏପର୍ଯ୍ୟନ୍ତ ନିଜର କାର୍ଡ ଖୋଲିନାହିଁ । ଯଦିଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ବରିଷ୍ଠ ନେତା ଜୟନାରାୟଣ ମିଶ୍ର, ସୁରେଶ ପୂଜାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହି ଆସନ ଜିଣିବା ଏକ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀ ଢ଼ୋଲକିଆ ୧୦୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Bye Poll Nuapada