/odisha-reporter/media/post_attachments/uploadimage/library/16_9/16_9_0/BJD_1749480915.jpg)
BJD
ଭୋଟର ତାଲିକା ଯାଂଚ ଓ ର୍ନିବାଚନରେ ଭୋଟ୍ ଚୋରି ପ୍ରସଙ୍ଗରେ ଦିଲ୍ଲୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟ୍ ହାଲ୍ଲାବୋଲ୍ ଜାରି ରଖିଥିବାବେଳେ ଓଡ଼ିଶାରେ ବିଜେଡି ଏହି ପ୍ରସଙ୍ଗରେ ନିଜ ପିଠି ଥାପୁଡ଼ାଇବାକୁ ପ୍ରୟାସ କରିଛି । ଜାତୀୟସ୍ତରରେ ଭୋଟ୍ ଚୋରିର ଅଭିଯୋଗ ଆଣି କଂଗ୍ରେସ ଯେଉଁ ରାଜନୀତିକ ମାଇଲେଜ୍ ନେଉଛି ତାକୁ ବିଜେଡି ସହଜରେ ହଜମ କରିପାରିନାହିଁ ।
ଦଳ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ କଥା ରଖିବା ପରିବର୍ତ୍ତେ କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତା’ଠୁ ଅଧିକ ସମଗ୍ର ଭୋଟିଂ ପ୍ରକ୍ରିୟାର ଅଡିଟ୍ କଥା ବିଜେଡି ଦୀର୍ଘ ୮ମାସ ତଳୁ ଦାବି କରୁଛି ବୋଲି ବିଜେଡି କହିଛି । ମାତ୍ର ଆସନ୍ତା ୧୯ତାରିଖରେ ବିଜେଡିକୁ ନିଜର ଅଭିଯୋଗ ସଂକ୍ରାନ୍ତ ଉପଯୁକ୍ତ ତଥ୍ୟ ସହ ହାଜର ହେବାକୁ ନିର୍ବାଚନ ଆୟୋଗ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ବିଜେଡି ନେତାମାନେ ମୁହଁରେ ତୁଣ୍ଡି ବାନ୍ଧି ନିରବ ରହିଛନ୍ତି । ଏପରିକି ଆଜି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯିବ ବୋଲି ବିଜେଡି ଧମକ ଦେଇଥିଲେ ମଧ୍ୟ ଅଗଷ୍ଟ ୧୯ରେ ନିର୍ବାଚନ ଆୟୋଗ ଡାକିଥିବା ନେଇ ସୂଚନାକୁ ସୁନିୟୋଜିତ ଢଙ୍ଗରେ ଚାପି ଦେଇଥିବା ଜଣାପଡ଼ିଛି ।
ବିଜେଡିକୁ ଡାକିଲେ ନିର୍ବାଚନ ଆୟୋଗ, ଅଭିଯୋଗର ତଥ୍ୟ ଦିଅ
ନିର୍ବାଚନରେ ଅନିୟମିତତାକୁ ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ଆବଶ୍ୟକ ତଥ୍ୟ ସହ ପକ୍ଷ ରଖିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୯ତାରିଖରେ ଦିଲ୍ଲୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ହାଜର ହୋଇ ପକ୍ଷ ରଖିବାକୁ ବିଜେଡିକୁ କୁହାଯାଇଛି । ନିର୍ବାଚନରେ ପଡ଼ିଥିବା ଭୋଟ୍ ଓ ଗଣତି ଭୋଟ୍ ମଧ୍ୟରେ ବିସଙ୍ଗତି, ଲୋକସଭା-ବିଧାନସଭା ଭୋଟରେ ବ୍ୟାପକ ତଫାତ୍ ଏବଂ ମତଦାନ ହାରରେ ଅନିୟମିତତାର ଅଭିଯୋଗ ଆଣି ବିଜେଡି ୨୦୨୪ ଡିସେମ୍ବର ୧୯ ଓ ୨୦୨୫ ମାର୍ଚ୍ଚରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ।
ଆୟୋଗ ଏହ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିବାକୁ ଆସନ୍ତା ୧୯ତାରିଖରେ ବିଜେଡିକୁ ସମୟ ଦେଇଛନ୍ତି । ବିଜେଡି ମଧ୍ୟ ଏନେଇ ନିଜର ପ୍ରସ୍ତୁତି କରିବା ସହ ଦଳର ୫ଜଣ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ପଠାଇବ ବୋଲି ଚୂଡ଼ାନ୍ତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଦଳର ରାଜନୀତିକ ବ୍ୟାପାର କମିଟି ୩ଜଣ ସଦସ୍ୟ ଯଥା- ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ ଓ ନିରଞ୍ଜନ ପୂଜାରୀଙ୍କ ସମେତ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ଓ ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଆସନ୍ତା ୧୯ତାରିଖରେ ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ ପାଖରେ ଦଳର ପକ୍ଷ ରଖିବେ ବୋଲି ସୂଚନା ମିଳିଛି ।
ଦଳ ଯେଉଁସବୁ ଅଭିଯୋଗ ଆଣିଛି ତା’ର ତଥ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ତୃତୀୟ ପକ୍ଷ ଅଡିଟ୍ ପାଇଁ ମଧ୍ୟ ଦାବି କରିବ । ଏହାସହିତ ଦଳ ଭୋଟର ତାଲିକା ଯାଂଚ ସହ ଫର୍ମ-୧୭(ସି) ପାର୍ଟ-୧ ଓ ୨ରେ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ତଥ୍ୟ ଦେଇନଥିବାର ଅଭିଯୋଗ ମଧ୍ୟ ରଖିବ ବୋଲି ଜଣାପଡ଼ିଛି ।
ତେବେ ଦଳ ଆସନ୍ତା ୧୯ତାରିଖରେ ନିର୍ବାଚନ ଆୟୋଗଙ୍କୁ ଭେଟିବା ପାଇଁ ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରୁଥିବାବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ସାଂସଦ ଅମର ପଟ୍ଟନାୟକ ଓ ଶର୍ମିଷ୍ଠା ସେଠୀ ଉଭୟ ନିର୍ବାଚନ ଆୟୋଗ ତଥ୍ୟ ଦେଉନଥିବାର ଅଭିଯୋଗ ଆଣିବାକୁ ପଛାଇନଥିଲେ । କିନ୍ତୁ ବିଜେଡିର ଅଭିଯୋଗ ଉପରେ ପକ୍ଷ ରଖିବାକୁ ନିର୍ବାଚନ ଆୟୋଗ ଅଗଷ୍ଟ ୧୯ତାରିଖରେ ଡାକିଥିବା ନେଇ ଏହି ଦୁଇ ନେତା ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କାହିଁକି କୌଣସି ସୂଚନା ଦେଲେନି ତାହା ବିଜେଡିର ‘ନୀତି ଓ ନିୟତ’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
କଂଗ୍ରେସ ମାଇଲେଜ୍ ନେଉଥିବାରୁ ବିଜେଡିକୁ ବାଧୁଛି
ନିର୍ବାଚନରେ ଭୋଟ୍ ଚୋରିର ଅଭିଯୋଗ ଆଣି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟର ସାଂସଦମାନେ ସିଧାସଳଖ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି ଆଜି ସଂସଦରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିକ୍ଷୋଭ କାର୍ଯ୍ୟକ୍ରମ କରିବାକୁ ବିଜେଡି ସହଜରେ ହଜମ କରିପାରିନି । ନିର୍ବାଚନରେ ଭୋଟ୍ ପରିମାଣରେ ଅସଙ୍ଗତି ଓ ଅନିୟମିତତାକୁ ନେଇ ଦୀର୍ଘ ଦିନ ଧରି ଚିତ୍କାର କରୁଥିବା ବିଜେଡି ଆଜି ଦିଲ୍ଲୀରେ ବିରୋଧୀ ସଦସ୍ୟମାନଙ୍କ ସହ ମିଶି ଏହି ପ୍ରସଙ୍ଗରେ ପ୍ରତିବାଦ କରିବା ବଦଳରେ ବ୍ୟାକଫୁଟରେ ରହିଲା ।
ଆଉ ଏଠି ଭୁବନେଶ୍ୱରରେ ବାହାସ୍ଫୋଟ ମାରିବା ପାଇଁ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ପୁରୁଣା କଥାକୁ ଦୋହରାଇବା ସହ କଂଗ୍ରେସ ଯାହା ଏବେ କହୁଛି ଆମେ ୮ମାସ ପୂର୍ବରୁ ସେକଥା କହିସାରିଛୁ ବୋଲି ବାରମ୍ବାର ଦୋହରାଇ ନିଜର ଗୁରୁତ୍ୱ ପ୍ରତିପାଦନ ନିମନ୍ତେ ପ୍ରୟାସ କରିବାକୁ ପଛାଇନାହିଁ । ଦଳର ଦୁଇ ପୂର୍ବତନ ସାଂସଦ ଆଜି ସାମ୍ବାଦିକ ସମ୍ମିଳନୀରେ ନିଜର ପୁରୁଣା କଥାଗୁଡ଼ିକୁ ଦୋହରାଇବା ସହ ଜାତୀୟସ୍ତରରେ ଏହି ନିର୍ବାଚନୀ ଅନିୟମିତତା ପ୍ରସଙ୍ଗରେ କଂଗ୍ରେସ ଯେଉଁ ରାଜନୀତିକ ମାଇଲେଜ୍ ନେଉଛି ତାକୁ କାଉଣ୍ଟର ନିମନ୍ତେ କସରତ କରିଥିବା ଜଣାପଡ଼ିଛି । ଯାହାକି ବିଜେଡିର ଦୋମୁହାଁ ନୀତି, ଅସଲ ଚେହେରା ଓ ଆଭିମୁଖ୍ୟକୁ ପଦାରେ ପକାଇ ଦେଇଥିବା ସାଧାରଣରେ ଚର୍ଚ୍ଚା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
