Advertisment

ବିଏସକେୱାଇ-ଆୟୁଷ୍ମାନ ଭାରତକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ବିଏସକେୱାଇ ଓ ଆୟୁଷ୍ମାନ ଭାରତ ଯୋଜନାରେ ଆବଂଟିତ ପାଣ୍ଠିର ତୁଳନାତ୍ମକ ଚିତ୍ର ଦେଖାଇଛି ବିଜେଡି। ଜବାବ ରଖିଛି ବିଜେପି।

BJD and BJP

BJD and BJP

Advertisment

କେନ୍ଦ୍ରୀୟ ବଜେଟରେ ଆୟୁଷ୍ମାନ ଭାରତ ହେଲଥ ସ୍କିମ ପାଇଁ ହୋଇଥିବା ବ୍ୟୟବରାଦକୁ ନେଇ ଆଜି ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୁଷ୍ମାନ ଯୋଜନାରେ କମ୍ ବ୍ୟୟବରାଦ ହୋଇଥିବା ଓ ରାଜ୍ୟ ବିଜେପିକୁ ସମାଲୋଚନା କରିଥିବାବେଳେ ଆଜି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଏସକେୱାଇ ଓ ଆୟୁଷ୍ମାନ ଭାରତ ଯୋଜନାରେ ଆବଂଟିତ ପାଣ୍ଠିର ତୁଳନାତ୍ମକ ଚିତ୍ର ଦେଇଛି । ଏପଟେ ବିଜେପି ମଧ୍ୟ କଡ଼ା ଜବାବ ଦେଇ ବିଏସକେୱାଇରେ କେତେ ରୋଗୀଙ୍କୁ କେଉଁ ସବୁ ରୋଗ ପାଇଁ ସହାୟତା ମିଳିଛି ତାହା ସାର୍ବଜନୀନ କରିବାକୁ କହିଛି ।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ଗୌତମବୁଦ୍ଧ ଦାସ ସିଧାସଳଖ ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟ ବିଜେପି ପାଇଁ ସ୍ୱାସ୍ଥ୍ୟ ଏକ ରାଜନୀତିକ ପ୍ରସଙ୍ଗ ହୋଇଥାଇପାରେ କିନ୍ତୁ ବିଜେଡି ପାଇଁ ଏହା ପ୍ରାଥମିକତା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ନିବେଶ କରିବାରେ ବିଜେଡି ବିଶ୍ୱାସ କରେ । ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ବିଜେପି ଯେଉଁ ବାହାସ୍ଫୋଟ ମାରୁଥିଲା ତାହା ଗତକାଲି କେନ୍ଦ୍ରୀୟ ବଜେଟ ଆସିବା ପରେ ଓଡ଼ିଶା ବିଜେପିର ମିଛ ପଦାରେ ପଡ଼ିଯାଇଛି । ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ରର ୭୨୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ହିସାବ କଲେ ପ୍ରତି ରାଜ୍ୟ ପାଇଁ ହାରାହାରି ୨୦୦କୋଟି ଟଙ୍କା ପଡ଼ିବ । ଆୟୁଷ୍ମାନ ତୁଳନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ବହୁତ ଉନ୍ନତ । ବାର୍ଷିକ ବ୍ୟୟ ବି ବହୁଗୁଣା ଅଧିକ । କେନ୍ଦ୍ର ସରକାର ବର୍ଷକୁ ୨୦୦କୋଟି ଦେବେ, ଯାହାକି ଆମର ଗୋଟିଏ ଜିଲ୍ଲା ପାଇଁ ଖର୍ଚ୍ଚ । ଆଉ ୨୯ଟି ଜିଲ୍ଲାର ଖର୍ଚ୍ଚ କିଏ ତୁଲାଇବ ବୋଲି ଶ୍ରୀମତୀ ମିଶ୍ର ତାତ୍ସଲ୍ୟ କରିଥିଲେ । ସେ କହିଥିଲେ ଯେ, ଆୟୁଷ୍ମାନ ଯୋଜନାରେ ପର୍ଯ୍ୟାପ୍ତ ପାଣ୍ଠି ଆବଂଟନ ହୋଇନି । ଆୟୁଷ୍ମାନ ଯୋଜନାରେ ପ୍ରତି ରାଜ୍ୟକୁ ବର୍ଷକୁ ୨୦୦କୋଟି ଟଙ୍କା ଆବଂଟନ ହେଉଥିବାବେଳେ ଆମ ବିଏସକେୱାଇରେ ପ୍ରତି ଜିଲ୍ଲାକୁ ବର୍ଷକୁ ୨୦୦କୋଟି ଟଙ୍କା ଦିଆଯାଉଛି । ସମଗ୍ର ଭାରତ ପାଇଁ ୭୨୦୦କୋଟି ଟଙ୍କା ଥିବାବେଳେ ଗୋଟିଏ ରାଜ୍ୟ ପାଇଁ ୬ହଜାର କୋଟି ଟଙ୍କା । କେନ୍ଦ୍ରୀୟ ବଜେଟ ଆସିବା ପରେ ଓଡ଼ିଶା ବିଜେପି ନିଜ ଭୁଲ୍ ବୁଝୁ ଓ ଆଉ ରାଜ୍ୟବାସୀଙ୍କୁ ରାଜ୍ୟ ବିଜେପି ଭୂଆଁ ନବୁଲାଉ ବୋଲି ବିଜେଡି କହିଛି ।

ଏହାର ଜବାବରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଅହଙ୍କାର ରହିଛି, ବଜେଟ୍ ପ୍ରତିକ୍ରିୟାରେ ଆୟୁଷ୍ମାନ ଭାରତକୁ ନେଇ ରାଜନୀତିକ ଟିପ୍ପଣୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପି ପ୍ରତି ପ୍ରୟୋଗ କରିଥିବା ଶବ୍ଦ ଶୋଭନୀୟ ନୁହେଁ । ବିଏସକେୱାଇ ଯୋଜନାରେ କେଉଁ ରୋଗୀଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ତା’ର ତଥ୍ୟ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରନ୍ତୁ । ବାରମ୍ବାର ଦାବି ପରେ ବି ସରକାର ଏପର୍ଯ୍ୟନ୍ତ ଏହି ତଥ୍ୟ କାହିଁକି ସାର୍ବଜନୀନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Advertisment

ସେହିପରି ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବଜେଟକୁ ଭଲରେ ଜାଣି ଟ୍ୱିଟ୍ କରିଛନ୍ତି ନା ତାଙ୍କ ଅଜାଣତରେ ଆଉ କିଏ ଟ୍ୱିଟ୍ କରିଛି । ଆୟୁଷ୍ମାନ ଭାରତ ଯୋଜନାରେ ୫୦କୋଟିରୁ ଅଧିକ ରୋଗୀଙ୍କୁ ୮୦ହଜାର କୋଟି ଟଙ୍କାର ସହାୟତା ମିଳିଛି । ୯ହଜାରରୁ ଅଧିକ ଜନଔଷଧି କେନ୍ଦ୍ରରେ ଗରିବଙ୍କୁ ୨୦ହଜାର କୋଟି ଟଙ୍କାର ଲାଭ ପାଇଛନ୍ତି । ରାଜ୍ୟ ସରକାର ରାଜନୀତିକ ଅଭିସନ୍ଧି ରଖି ଦୀର୍ଘ ୫ବର୍ଷ ହେଲା ଓଡ଼ିଶାର ପ୍ରାୟ ୬୦ଲକ୍ଷ ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖିଛନ୍ତି । ଏପରିକି ଅନ୍ୟ ରାଜ୍ୟରେ କାମ କରୁଥିବା ୨୫ଲକ୍ଷ ଓଡ଼ିଆଙ୍କୁ ମଧ୍ୟ ଏହି ସ୍କିମରୁ ବଂଚିତ ରଖିବାକୁ ରାଜ୍ୟ ସରକାର ପଛାଇ ନାହାନ୍ତି । ସେମାନେ ଯେଉଁ ସବୁ ରାଜ୍ୟରେ କାମ କରୁଛନ୍ତି ସେଠାରେ ଆୟୁଷ୍ମାନ ଯୋଜନାର ଫାଇଦା ନେଇପାରୁଥାନ୍ତେ ବୋଲି ବିଜେପି କହିଛି ।

BjD Bjp Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe