Panchanan Kanungo and his book
ନେତାଙ୍କ ଟେଲିଫୋନ୍ ଟ୍ୟାପିଂ ପାଇଁ ୧୯୮୮ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେ ଇସ୍ତଫା ଦେବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୦୫ରେ ନେତାଙ୍କ ଟେଲିଫୋନ୍ ଟ୍ୟାପିଂ କରୁଥିବାର ସଙ୍କେତ ଦେଇଛନ୍ତି ତାଙ୍କ ସହ କାମ କରିଥିବା ପୂର୍ବତନ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଞ୍ଚାନନ କାନୁନଗୋ। ଶ୍ରୀ କାନୁନଗୋଙ୍କ ସଦ୍ୟ ପ୍ରକାଶିତ ପୁସ୍ତକ ‘ମାନ୍ୟବର ମୁଖ୍ୟମନ୍ତ୍ରୀ’ରେ ସେ ଏହାର ଅବତାରଣା କରିଛନ୍ତି।
ନବୀନଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଥିବା କାନୁନଗୋ ୨୦୦୪ ନିର୍ବାଚନରେ ହାରିଯାଇଥିଲେ। ସେ ଲେଖିଛନ୍ତି- ହାରିବା ପରେ ବି ୨୦୦୫ରେ ମୋର ନବୀନଙ୍କ ସହ ସଂପର୍କ ଥିଲା। ହଠାତ୍ ଗୋଟିଏ ଦିନ ନବୀନ କହିଲେ, ପଞ୍ଚାନନ ବାବୁ ଖୁବ୍ ଭଲ କଥା। କାଗଜ ତିଆରି ବ୍ୟାଗ୍ ଓ ବିଭିନ୍ନ ଥଳି କରିବାର ଆବଶ୍ୟକତା ଅଛି। ବୁଝି ହୋଇନଥିଲା ଏକଥା ସେ କାହିଁକି କହିଲେ?
ମନେ ପଡ଼ିଲା, ଦୁଇ ଦିନ ତଳେ ତାଙ୍କ ଝିଆରି କଲିକତା ଯିବା ସମୟରେ ସେ ଟେଲିଫୋନରେ କହିଥିଲେ- ସେଠାରୁ ଗୋଟିଏ କାଗଜରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ତିଆରି ମେସିନ ପାଇଁ ଦାମ୍ କେତେ ପଡ଼ୁଛି ଓ ତାର ସମଗ୍ର ଆନୁଷଙ୍ଗିକ ବ୍ୟବସ୍ଥା ବୁଝି ଆସିବାକୁ। ଏହିକଥା କେବଳ ସେହି ଦୁଇ ଜଣଙ୍କ ଭିତରେ ହୋଇଥିଲା। ସେତେବେଳେ କଲିକତା ଯାଉଥିବା ଝିଆରି ଟ୍ରେନରେ ଥିଲେ। ଏକଥା ଅନ୍ୟ ତୃତୀୟ ବ୍ୟକ୍ତି କେହି ଜାଣିନଥିଲେ। କିନ୍ତୁ ନବୀନ ବାବୁ ଜାଣିପାରିଲେ। ଏକଥାରୁ ସ୍ପଷ୍ଟ ହେଲା ନବୀନ ବାବୁ ଟେଲିଫୋନ୍ ଟ୍ୟାପିଂ କରିବାର କୌଶଳ ଆପଣାଇଛନ୍ତି।
ପଞ୍ଚାନନ କାନୁନଗୋଙ୍କ ପୁସ୍ତକ ‘ମାନ୍ୟବର ମୁଖ୍ୟମନ୍ତ୍ରୀ- ସଂପର୍କ ଓ ସଂପର୍କିତ’ଆଉ ଗୋଟିଏ ଦିନର କଥା ନବୀନ ବାବୁ କହିଲେ, ପଞ୍ଚାନନ ବାବୁ ଏବେ ଇଂଲଣ୍ଡ ଯିବା ଠିକ୍ ନୁହେଁ। ଅତ୍ୟଧିକ ଥଣ୍ଡା ଥିବାରୁ ଶୀତ ହେଉଥିବ। ଅକ୍ଟୋବର ମାସ ପରେ ଯିବେ। ବୁଝି ହୋଇଥିଲା ଯେ ଏ ଖବର କେବଳ ସେ ଜାଣନ୍ତି, କାରଣ ଓଡ଼ିଶା ଚାମ୍ବର ଅଫ୍ କମର୍ସର ଏକଦା ସଭାପତି ଥିବା ଜଣେ ବନ୍ଧୁ ରାମଚନ୍ଦ୍ର ମହାପାତ୍ର ହିଁ ଜାଣିଥିଲେ। କାରଣ ସେ କିଛି ଟଙ୍କା ଯୋଗାଡ଼ କରି ମୋତେ ସାଙ୍ଗରେ ଦିଲ୍ଲୀ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଆମେ ଦୁହେଁ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲୁ। ତାହା ନବୀନ ବାବୁ ଜାଣିବାର ଏକମାତ୍ର ଉପାୟ ହେଲା ଟେଲିଫୋନ୍ ଟ୍ୟାପିଂ।‘
ଏ ନେଇ ଆମେ ପଞ୍ଚାନନ କାନୁନଗୋଙ୍କ ପ୍ରତିକ୍ରିୟା ଲୋଡ଼ିବାରୁ ସେ କହିଛନ୍ତି,ଏକଥା ମୁଁ ଲେଖିଛି। ମୁଁ ଟେଲିଫୋନ୍ ଟ୍ୟାପିଂ ନେଇ କାହା ନିକଟରେ ଅଭିଯୋଗ କରିନି। ଏକଥାରୁ ଲାଗୁଥିଲା ସେ ମୋତେ ଅବିଶ୍ୱାସ କରୁଛନ୍ତି।
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, ପୂର୍ବରୁ ମେଲ୍ ସେନସର ହେଉଥିଲା। ତା’ ପରେ ଟଲିଫୋନ୍ ଟ୍ୟାପିଂ ହୋଇଛି। ମୁଁ ଜର୍ଣ୍ଣାଲିଜିମ୍ ସହ ଆକ୍ଟିଭିଜିମ୍ କରୁଥିଲି। ଅନେକ ବିରୋଧୀ ନେତା ତଥା ଆକ୍ଟିଭିଷ୍ଟମାନଙ୍କ ଫୋନ୍ ଟ୍ୟାପ୍ ହୁଏ। କେହି ତାକୁ ସେତେବେଳେ ଏକ୍ସପୋଜ କଲେନି। ନହେଲେ ସରକାର ଅସୁବିଧାରେ ପଡ଼ିଥାନ୍ତେ।
ଫୋନ୍ ଟ୍ୟାପିଂ ନେଇ ଆରଟିଆଇରେ ମିଳିଥିବା ତଥ୍ୟ ନିକଟରେ ସୂଚନା ଅଧିକାର ଆଇନରେ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୨୩ ତାରିଖରେ ମିଳିଥିବା ଏକ ଉତ୍ତରକୁ ଦେଖିଲେ, ଗତ ୫ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଓ ସୁରକ୍ଷା ଦୃଷ୍ଟିରୁ ମାତ୍ର ୧୬ଟି ଫୋନ୍ ଟ୍ୟାପିଂ ହୋଇଥିଲା। ୨୦୨୦ ଓ ୨୦୨୧ରେ କୌଣସି ଫୋନ୍ ଟ୍ୟାପିଂ ହୋଇନଥିବାବେଳେ ୨୦୨୨ରେ ଗୋଟିଏ, ୨୦୨୩ରେ ୯ଟି ଓ ୨୦୨୪ରେ ୬ଟି ଫୋନ୍ ଟ୍ୟାପିଂ ହୋଇଛି। ତେବେ ୨୦୨୫ ମସିହା ଏପ୍ରିଲ ୧୬ ତାରିଖ ସୁଦ୍ଧା କୌଣସି ଫୋନ୍ ଟ୍ୟାପିଂ ହୋଇନାହିଁ।
୨୦୧୨ରେ ସୂଚନା ଅଧିକାର ଆଇନରେ ଫୋନ୍ ଟ୍ୟାପିଂ ସଂଖ୍ୟାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କୁ ମିଳିଥିବା ଏକ ତଥ୍ୟକୁ ନେଇ ବିଧାନସଭାରେ ତୁମ୍ବିତୋଫାନ୍ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା- ୨୦୦୦ରୁ ୨୦୦୬ ମସିହା ଭିତରେ କୌଣସି ଫୋନ୍ ଟ୍ୟାପିଂ ହୋଇନଥିଲା। ତେବେ ୨୦୦୮ରୁ ୨୦୧୨ ଭିତରେ ୪,୬୨୦ଟି ଫୋନ୍ ଟ୍ୟାପିଂ ହୋଇଥିଲା। ଅର୍ଥାତ୍ ବର୍ଷକୁ ପ୍ରାୟ ୧୧୦୦ ଫୋନ୍ ଟ୍ୟାପିଂ ହୋଇଥିଲା।
ବିଧାନସଭାରେ ୨୦୧୨ ନଭେମ୍ବର ୨୬ ତାରିଖରେ ଏ ସଂପର୍କରେ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ କହିଥିଲେ ଯେ କୌଣସି ନେତାଙ୍କ ଫୋନ୍ ଟ୍ୟାପ୍ ହୋଇନାହିଁ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଓ କେତେକ ଜରୁରୀକାଳୀନ ପରିସ୍ଥିତିରେ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ, 1885 ଆଧାରରେ ଟେଲିଫୋନ୍ ଟ୍ୟାପିଂ କରାଯାଇଛି। ତେବେ ବିରୋଧୀଙ୍କ ଦାବି ଓ ହଟ୍ଟଗୋଳ ସତ୍ତ୍ୱେ ସରକାର କାହାର ଫୋନ୍ ଟ୍ୟାପ୍ କରିଛନ୍ତି ଓ କେଉଁ କାରଣ ପାଇଁ ଫୋନ୍ ଟ୍ୟାପ୍ ହୋଇଛି, ତାହା ସ୍ପଷ୍ଟ କରିନଥିଲେ।
ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750248346.jpg)