Advertisment

ବିଜେଡି ସହ ମେଣ୍ଟ କରିବୁନି, ଓଡ଼ିଶାରେ ଏକାକୀ ଲଢ଼ିବୁ: ବିଜେପି

ଓଡ଼ିଶାରେ କୌଣସି ମେଂଟ ହେବନି । ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ ।

author-image
Ordigital Desk
ଅଦ୍ୟତନ ହୋଇଛି
Manmohan Samal

Manmohan Samal

କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ ରାଜ୍ୟରେ କ୍ଷମତାସୀନ ବିଜେଡିର ସମ୍ପର୍କ ଅଧିକ ନିବିଡ଼ ହେଉଥିବାବେଳେ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସହ କୌଣସି ପ୍ରକାରର ମେଂଟକୁ ବିଜେପି ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି । ବିଜେଡି ସହ କୌଣସି ମେଂଟ ହେବ ନାହିଁ ଓ ଓଡ଼ିଶାରେ ବିଜେପି ସବୁ ଆସନରେ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛି । ଏହାସହିତ ଆଗୁଆ ନିର୍ବାଚନ ଘୋଷଣା ହେଲେ ବି ଦଳ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛି। ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଚାଣଜ୍ୟ ଅମିତ୍ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଭେଟଘାଟ ପରେ ବିଜେଡି ଓ ବିଜେପି ମଧ୍ୟରେ ଆଗାମୀ ନିର୍ବାଚନରେ ମେଂଟ ହୋଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି ।

Advertisment

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ କୌଣସି ମେଂଟ କରିବ ନାହିଁ ଓ ଏକାକୀ ଲଢ଼ି ରାଜ୍ୟରେ ସରକାର ଗଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି । ସେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ସମ୍ଭାବନାକୁ ଖାରଜ କରି କହିଛନ୍ତି ଯେ, ଆମେ ନିଜ ଦମରେ ରାଜ୍ୟରେ ସରକାର ଗଢ଼ିବାରେ ସକ୍ଷମ ହେବୁ ।

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଓଡ଼ିଶାରେ କୌଣସି ମେଂଟ ହେବନି । ବିଜେପି ଏକାକୀ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଲଢ଼ିବ । ଆଗୁଆ ନିର୍ବାଚନ ଘୋଷଣା ହେଲେ ଦଳ ସେଥିପାଇଁ ପ୍ରସ୍ତୁତ ଅଛି । ବିଜେପି ଏକ ଅନ୍ତରୀଣ ସର୍ଭେ କରିଥିଲା । ଏହି ଅନ୍ତରୀଣ ସର୍ଭେରେ ଜୁଲାଇ ମାସରେ ବିଜେପି ରାଜ୍ୟରେ ଆଗରେ ଥିଲା । ଅଗଷ୍ଟରେ ବି ଆଗରେ ରହିବୁ । ରାଜ୍ୟବାସୀଙ୍କ ମତ ଆମ ସପକ୍ଷରେ ଅଛି । ଦଳ ମଧ୍ୟ ନିଜର ନିର୍ବାଚନୀ ରଣନୀତି କରିଛି । ସମସ୍ତେ ପରିଶ୍ରମ କରିବୁ । ଅପ୍ରତ୍ୟାଶିତ ସିଟ୍ ମିଳିବ ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ସାମଲ କହିଛନ୍ତି ।

Advertisment

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ବିଜେଡି ଖୋଲାଖୋଲି ଭାବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଦିଲ୍ଲୀ ସର୍ଭିସ ବିଲରେ ସମର୍ଥନ ଦେବା ସହ ବିରୋଧୀଙ୍କ ଅନସ୍ଥା ପ୍ରସ୍ତାବକୁ ବିରୋଧ କରିଥିଲା । ଓଡ଼ିଶାକୁ କେନ୍ଦ୍ର ସରକାର ବହୁ ସହଯୋଗ ଦେଉଛନ୍ତି ବୋଲି କହି ବିଜେଡି ସାଂସଦମାନେ ମୋଦି ସରକାରଙ୍କୁ କୃତଜ୍ଞତା ଜଣାଇବାକୁ ବି ପଛାଇ ନଥିଲେ ।

ଏସବୁ ଘଟଣାକୁ ନେଇ ଜାତୀୟସ୍ତରରେ ବିଜେଡିକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଆଉ ରାଜ୍ୟରେ ଉଭୟ ଦଳ ବିଜେଡି ଓ ବିଜେପିର କର୍ମୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଆଜି ବିଜେପି ପକ୍ଷରୁ ରାଜ୍ୟରେ କୌଣସି ମେଂଟ ସମ୍ଭାବନାକୁ ଖାରଜ କରାଯିବା ପରେ ଆଗୁଆ ନିର୍ବାଚନକୁ ନେଇ ବିଜେଡିର ରଣନୀତି କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।

BjD Bjp