Advertisment

ଏୟାପୋର୍ଟ ନାଁରେ ମାଲକାନଗିରିବାସୀଙ୍କୁ ଭୂଆଁ ବୁଲାଇଥିଲେ ନବୀନ!

ଆର୍‌ଟିଆଇ ମାଧ୍ୟମରେ DGCAଠାରୁ ମିଳିଥିବା ତଥ୍ୟ ଅନୁସାରେ ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅନୁମତି ନାହିଁ।

author-image
Manoranjan Sial
Malkangiri

Malkangiri

ସାଧାରଣ ନିର୍ବାଚନର ପୂର୍ବରୁ ଲୋକାର୍ପିତ ହୋଇଥିଲା ମାଲକାନଗିରି ଏୟାରପୋର୍ଟ। ଆଉ ଲୋକାର୍ପଣ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଲି ଉଦ୍‌ଘାଟନ କରିନଥିଲେ, ଏୟାରପୋର୍ଟରେ ବଣ୍ଡା ଜନଜାତୀର ଲୋକଙ୍କ ସହିତ ଫଟୋ ପୋଜ୍‌ ମଧ୍ୟ ଦେଇଥିଲେ। ଏୟାରପୋର୍ଟ ଲୋକାର୍ପଣ ହେବାର ୭ ମାସ ପରେ ସାମ୍ନାକୁ ଆସିଲା ସତ। ଆଉ ସତ ଖୋଲିଲା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(DGCA)ର ତଥ୍ୟ।

Advertisment

ଆର୍‌ଟିଆଇ ମାଧ୍ୟମରେ DGCAଠାରୁ ମିଳିଥିବା ତଥ୍ୟ ଅନୁସାରେ ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଅନୁମତି ନାହିଁ। ଖାଲି ସେତିକି ନୁହେଁ, ମାଲକାନଗିରିରେ ଏୟାରପୋର୍ଟ ପରିଚାଳନା ଉଦ୍ଦେଶ୍ୟରେ ଏରୋଡ୍ରମ୍‌ ଲାଇସେନ୍ସ ଲାଗି ଆବେଦନ ଆସି ନଥିବା ମଧ୍ୟ ସ୍ପଷ୍ଟ କରିଛି DGCA। ତେବେ ଏଠି ପ୍ରଶ୍ନ ଉଠୁଛି, ୨୦୨୪ ଜାନୁଆରୀ ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଉଦ୍‌ଘାଟନ ହେଲା ବୋଲି କାହିଁକି ମିଛ କହିଥିଲେ? ଯଦି ବିମାନବନ୍ଦର ଉଦଘାଟନ ହୋଇ ନଥିଲା, ତାହାହେଲେ ଏଥିପାଇଁ ଖବର କାଗଜରେ କାହିଁକି ଦିଆଯାଇଥିଲା ଲମ୍ବା ଲମ୍ବା ବିଜ୍ଞାପନ? କାହିଁକି କରାଯାଇଥିଲା ମାଳ ମାଳ ପ୍ରଚାର ପ୍ରସାର? ନିର୍ବାଚନକୁ ଦୃଷ୍ଟିରେ ରଖି ମାଲକାନଗିରିର ନିରୀହ ଜନତାଙ୍କୁ ଭୂଆଁ ବୁଲାଇଥିଲା କି ପୂର୍ବର ବିଜେଡି ସରକାର?

ସେପଟେ ବିମାନ ସେବା ବିଶେଷଜ୍ଞଙ୍କ ମତ, DGCAର ବିନା ଅନୁମତିରେ ଚାଲିପାରିବନି ବିମାନବନ୍ଦର। ଏୟାରପୋର୍ଟରେ ଯାତ୍ରୀଙ୍କ ଲାଗି ଟିକେଟ କାଉଣ୍ଟର, ଆନୁସଙ୍ଗିକ ବ୍ୟବସ୍ଥା ସହ ସୁରକ୍ଷା ଲାଗି ଚେକ୍‌ ଇନ୍‌ ବ୍ୟବସ୍ଥା ରହିବା ଜରୁରୀ। ତେବେ ରାଜ୍ୟରେ ହେଲିକପ୍ଟର ଉଡ଼ାଣ ଉଦ୍ଦେଶ୍ୟରେ ଏୟାରଷ୍ଟ୍ରିପ୍‌ ସ୍ଥାପନ ପାଇଁ DGCAର ଅନୁମତି ଆବଶ୍ୟକ ନାହିଁ। ତେଣୁ ଏହା ବିମାନବନ୍ଦର ଥିଲା ନା ଏୟାରଷ୍ଟ୍ରିପ୍‌ ତାକୁ ନେଇ ପୁଣି ଉଠିଛି ପ୍ରଶ୍ନ।

Advertisment

କିଛି ଦିନ ତଳେ ମାଲକାନଗିରି ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ବିଚିତ୍ର ଚିତ୍ର। ତଥାକଥିତ ବିମାନବନ୍ଦର ଭିତରେ ଚରୁଥିଲେ ଗାଈପଲ। ଟର୍ମିନାଲରେ ଶୋଇଥିଲେ ବୁଲା କୁକୁର। ବିମାନବନ୍ଦର ଟର୍ମିନାଲରୁ ରନୱେକୁ ଯାଇଥିବା ରାସ୍ତାରେ ଘାଇ ପଡ଼ିଥିଲା। ପାଚେରୀରୁ ଝରଣା ଭଳି ପାଣି ଝରୁଥିଲା। ଏବେ ଅପେକ୍ଷା ମାଲକାନଗିରିର ଏହି ତଥାକଥିତ ବିମାନ ବନ୍ଦର ଆଗକୁ କେଉଁ ରୂପ ନେଉଛି।

Malkangiri BjD Naveen Patnaik Malkangiri Airport